ଭୁବନେଶ୍ୱର : ରାଜ୍ୟ ସରକାର ବିଧିବଦ୍ଧ ଭାବେ ଐତିହ୍ୟ କ୍ୟାବିନେଟ୍ ଗଠନ କରିଛନ୍ତି। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଐତିହ୍ୟ କ୍ୟାବିନେଟ୍ରେ ମୋଟ୍ ୮ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଅର୍ଥ ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟ ଶାସନ ସଚିବ ଐତିହ୍ୟ କ୍ୟାବିନେଟ୍ର କ୍ୟାବିନେଟ୍ ସଚିବ ଭାବେ କାର୍ଯ୍ୟ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଆବାହକ ରହିବେ ଓ ସଂପୃକ୍ତ ସମସ୍ତ ବିଭାଗର ସଚିବମାନେ ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ କାର୍ଯ୍ୟ କରିବେ। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ଭାଷା, ସାହିତ୍ୟ, ଇତିହାସ ଓ ସଂସ୍କୃତିର ସଂରକ୍ଷଣ, ବିକାଶ ଓ ସମୃଦ୍ଧି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ସହ କ୍ୟାବିନେଟ୍ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏ ସମ୍ପର୍କିତ ଅନ୍ୟ ବିଭାଗଗୁଡ଼ିକ ନୀତି ପ୍ରଣୟନରେ ଐତିହ୍ୟ କ୍ୟାବିନେଟ୍ ପରାମର୍ଶ ଦେବ। ଓଡ଼ିଆ ଭାଷା, ସଂସ୍କୃତି ଉପରେ ଅଧିକ ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣ ଦିଗରେ ଏହା କାର୍ଯ୍ୟ କରିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ସମନ୍ଵୟ ରକ୍ଷା କରି ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତି ଓ ମଞ୍ଜୁରି କରିବା କ୍ୟାବିନେଟ୍ର ଅନ୍ୟତମ ମୁଖ୍ୟ କାର୍ଯ୍ୟ ହେବ।
ସୂଚନାଯୋଗ୍ୟ ଯେ ୨୦୧୭ ଡିସେମ୍ବର ୨୬ରେ ପୁରୀରେ ଅନୁଷ୍ଠି କ୍ୟାବିନେଟ୍ ବୈଠକରେ ‘ଐତିହ୍ୟ କ୍ୟାବିନେଟ୍’ ଗଠନ ନେଇ ନିଷ୍ପତ୍ତି ହୋଇଥିଲା। ଏହା ପୂର୍ବରୁ ୨୦୧୬ ମସିହାରେ ରାଜ୍ୟ ସରକାର କୃଷି କ୍ୟାବିନେଟ୍ ଗଠନ କରିଥିଲେ।