ବିବାଦରେ ହାଇଟେକ୍‌ ମେଡିକାଲ କଲେଜ : ଫି’ ବୃଦ୍ଧିକୁ ନେଇ ଛକାପଞ୍ଝା

୫୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ‌‌ଖେଳ, ତଦନ୍ତ ନିର୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ, ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ଦୁଇ ବର୍ଷ ହେଲା ରାଉରକେଲା ହାଇଟେକ୍‌ ମେଡିକାଲ କଲେଜରେ ନାମଲେଖା ବନ୍ଦ ରହିଛି। ଏବେ ପୁଣି ଭୁବନେଶ୍ବର ହାଇଟେକ୍‌ ମେଡିକାଲ କଲେଜକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ଓଜେଇଇରେ ପ୍ରୋଭିଜନାଲ ନାମଲେଖା ସାରିଥିବା ଛାତ୍ରଛାତ୍ରୀ ହାଇଟେକ୍‌ ମେଡିକାଲ କଲେଜରେ ନାମ ଲେଖାଇ ପାରି ନାହାନ୍ତି। ନାମଲେଖା ଫି’ ଷ୍ଟ୍ରକଚର୍‌କୁ ନେଇ କଲେଜ କର୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଦୁଇ ଦିନ ହେଲା ଭୁବନେଶ୍ବରରେ ଡେରା ପକାଇଛନ୍ତି। ଏପଟେ ପ୍ରୋଭିଜନାଲ ନାମଲେଖା ସରିଥିବା ବେଳେ ସେପଟେ କଲେଜ କର୍ତୃପକ୍ଷ ନାମଲେଖା ଲାଗି ସୁଯୋଗ ଦେଉ ନଥିବାରୁ ପିଲାଙ୍କ ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି। କ’ଣ ହେବ ୫୦ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ? ସେମାନେ କେଉଁଠି ନାମ ଲେଖାଇବେ? ପିଲାଙ୍କ ଭବିଷ୍ୟତ ନେଇ ଅଭିଭାବକମାନେ ଏଭଳି ଆଶଙ୍କା ପ୍ରକାଶ କରିଥିବା ବେଳେ ଆଜି ଅଭିଭାବକମାନେ ଓଜେଇଇ କର୍ତୃପକ୍ଷ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘର ସଦସ୍ୟମାନେ ଅଭିଭାବକମାନଙ୍କ ସହ ସାମିଲ ହୋଇ ଦିନତମାମ ଓଜେଇଇ କାର୍ଯ୍ୟାଳୟରେ ବସି ରହିଥିଲେ।

୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭରୁ ହାଇଟେକ୍‌ ମେଡିକାଲ କଲେଜର ନାମଲେଖା ଫି’ ବୃଦ୍ଧିକୁ ନେଇ ବିବାଦ ଲାଗିରହିଛି। ନାମଲେଖା ଫି’ ୧୧ ଲକ୍ଷ ଟଙ୍କା କରିବାକୁ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ପ୍ରସ୍ତାବ ଉପରେ ବିଚାର କରି ରାଜ୍ୟ ସରକାରଙ୍କ ଫି’ ଷ୍ଟ୍ରକଚର କମିଟି ନାମଲେଖା ଫି’କୁ ୬.୫ ଲକ୍ଷ ରଖିବାକୁ କହିଥିଲେ। ଫି’ ବୃଦ୍ଧି କରାଯାଇ ନ ଥିଲା। କମିଟିର ଏହି ପ୍ରସ୍ତାବକୁ କଲେଜ କର୍ତୃପକ୍ଷ ଗ୍ରହଣ କରିବାକୁ ରାଜି ନୁହଁନ୍ତି। ହାଇଟେକ୍‌ ମେଡିକାଲ କଲେଜର ଚେୟାରମ୍ୟାନ୍‌ ତିରୁପତି ପାଣିଗ୍ରାହୀଙ୍କ କହିବା କଥା ହେଉଛି ଯେ ପ୍ରତି ୩ ବର୍ଷରେ ଥରେ ଫି’ ନିର୍ଦ୍ଧାରଣ କରାଯାଇଥାଏ। ସେହି ଅନୁଯାୟୀ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଫି’ ୧୧ ଲକ୍ଷ କରିବାକୁ ୬ ମାସ ତଳେ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସି ନାହିଁ। ଯେଉଁଥିପାଇଁ ଗତ ଜୁଲାଇ ୩ ତାରିଖରେ ଏକ ବିଜ୍ଞାପନ ମାଧ୍ୟମରେ ଅଭିଭାବକଙ୍କୁ ଫି’ ସ˚କ୍ରାନ୍ତରେ ଅବଗତ କରାଯାଇଛି। ଏଥିସହ ୫ ବର୍ଷ ହେଲା ଫି’ ଷ୍ଟ୍ରକଚର କମିଟି କାମ କରୁଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ୬.୫ ଲକ୍ଷ ଟଙ୍କାରେ ପିଲାଙ୍କୁ ମେଡିକାଲ ପାଠକ୍ରମରେ ଶିକ୍ଷା ଦେବା ସମ୍ଭବପର ହେଉନାହିଁ। ଏହାର ପୁନର୍ବିଚାର କରାଯାଉ। ପିଲାଙ୍କର କୌଣସି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଘଟଣାରେ ହସ୍ତକ୍ଷେପ କରିଛନ୍ତି। ୩ ଦିନ ମଧ୍ୟରେ ହାଇଟେକ୍‌ ମେଡିକାଲ କଲେଜ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହାପରେ ପରବର୍ତୀ ନିଷ୍ପତ୍ତି ନିଆଯିବ। ଓଜେଇଇ ସଚିବ ରଞ୍ଜନ ଜେନା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ନାମଲେଖା କରାଯାଉଛି। ଓଜେଇଇରେ ପ୍ରୋଭିଜନାଲ ନାମଲେଖା କରିସାରିଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ହାଇଟେକ୍‌ କଲେଜ କରିବା କଥା। ନାମଲେଖା ସମୟରେ ଫି’ ସମ୍ପର୍କିତ ବିବାଦ ଉଠାଇବା ଠିକ୍‌ ନୁହେଁ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାଇଟେକ୍‌ ମେଡିକାଲ କଲେଜ ସମସ୍ୟା ନେଇ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଏଥିରେ ମେଡିକାଲ କଲେଜ କର୍ତୃପକ୍ଷ ଉପସ୍ଥିତ ରହିବେ। ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ‌କରାଯିବ।

ସମ୍ବନ୍ଧିତ ଖବର