ମାଓ ଅଞ୍ଚଳରେ ମୋବାଇଲ୍‌ ସାଟେଲାଇଟ୍‌, ହେଲିକପ୍ଟର ନିୟୋଜିତ : ହି˚ସା ଏଡ଼ାଇବାକୁ ହାଇଆଲର୍ଟ

ପ୍ରାର୍ଥୀଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ, ୧୫ ହଜାର ଅପରାଧୀ ଗିରଫ‌, ୨୧୭ମାରଣାସ୍ତ୍ର, ୪୦ଲକ୍ଷ ଟଙ୍କା ଜବତ

କଟକ : କେନ୍ଦୁଝର ଘଷିପୁରାର ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଜିଲ୍ଲା ପୁଲିସ ସୁରକ୍ଷା ଯୋଗାଇ ଦେବ। ସେମାନଙ୍କ କୌଣସି ଅଭିଯୋଗ ଆସିଲେ, ପୁଲିସ ତୁରନ୍ତ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି, ମାଓ ଅଞ୍ଚଳରେ ହେଲିକପ୍ଟର ଏବ˚ ମୋବାଇଲ୍‌ ସାଟଲାଇଟ୍‌ ଯୋଗାଇ ଦେବା ଉପରେ ଡିଜି ଗୁରୁତ୍ବାରୋପ କରିଛନ୍ତି।

ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ସିପି, ରେଞ୍ଜ ଆଇଜି, ଡିଆଇଜି, ଡିସିପି ଏବ˚ ଏସ୍‌ପିଙ୍କୁ ନେଇ ଏକ ଭିଡିଓ କନ୍‌ଫରେନ୍ସି˚ରେ ଡିଜି ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଆଲୋଚନା କରିଥିଲେ। ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ଆଚରଣ ବିଧି ଠିକ୍‌ ଢଙ୍ଗରେ ପାଳନ ଏବ˚ ନିରପେକ୍ଷ ନିର୍ବାଚନ ଉପରେ ଡିଜି ଗୁରୁତ୍ବ ଦେଇଛନ୍ତି। ବିଶେଷ କରି ସାଧାରଣ ନିର୍ବାଚନରେ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସିଆରପିଏଫ୍‌(କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ), ପରିବହନ, ନକ୍ସଲ ନିରୋଧ ଅପରେସନ୍‌ରେ ସାମିଲ ହେବାକୁ ପର୍ଯ୍ୟାପ୍ତ ଉପକରଣ, ଗୁଇନ୍ଦା ତଥ୍ୟ ସ˚ଗ୍ରହକୁ ଗୁରୁତ୍ବ, ଭିଆଇପି ଏବ˚ ଭିଭିଆଇପିଙ୍କ ପ୍ରଚାର ସମୟରେ ସୁରକ୍ଷା ଯୋଗାଇବା, ପ୍ରାର୍ଥୀଙ୍କ ସୁରକ୍ଷା, ରାଜନୈତିକ ଶତ୍ରୁତା, ଆଚରଣ ବିଧି ପାଳନ, ସୋସିଆଲ୍‌ ମିଡିଆରେ ହି˚ସା ସୃଷ୍ଟିକାରୀ ପୋଷ୍ଟ, ରାଜନୀତି ସମ୍ପର୍କିତ କୌଣସି ପ୍ରକାର ହି˚ସା ଘଟିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡିଜି ନିର୍ଦେଶ ଦେଇଥିଲେ। ମାଓ ପ୍ରଭାବିତ ଜିଲ୍ଲାରେ ଜିଲ୍ଲା ଏସ୍‌ପିମାନେ ଅଧିକ ସତର୍କ ରହିବାକୁ କୁହାଯାଇଛି। ଏପରିକି, ସେହି ଅଞ୍ଚଳର ଏସ୍‌ପିଙ୍କୁ ଆବଶ୍ୟକ ଅନୁଯାୟୀ ସାଟାଲାଇଟ୍‌ ଫୋନ୍‌ ଏବ˚ ହେଲିକପ୍ଟର ଯୋଗାଇବାକୁ ଏଡିଜି(ଅପରେସନ୍‌)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଗତ ଜାନୁଆରୀ ୨୮ତାରିଖରେ ଜିଲ୍ଲା ସ୍ତରର ଏସ୍‌ପି/ଡିସିପିଙ୍କୁ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦିଷ୍ଟ ଟାର୍ଗେଟ ଦିଆଯାଇଥିଲା। ଏହି କ୍ରମରେ ଫେବ୍ରୁଆରି ୧ରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ଡିଜି ସମୀକ୍ଷା କରିଥିଲେ। ଆୟୋଜିତ ବୈଠକରେ ଡିଜି ଡାକ୍ତର ଶର୍ମାଙ୍କ ସମେତ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର