ଓଡ଼ିଶା ବିଜେପିକୁ ନେଇ ଚିନ୍ତାରେ ହାଇକମାଣ୍ଡ

ଶାରଦା ଗଲେ, ଏବେ ବସନ୍ତଙ୍କୁ ନେଇ ଚାପ, ନୂଆ ସଭାପତି ନିଯୁକ୍ତି ନେଇ ଜୋର ଧରିଲାଣି ଚର୍ଚ୍ଚା, ଆଜି ଆସୁଛନ୍ତି ଅମିତ ଶାହ, ଅପରାହ୍ଣରେ ବୈଠକ

ଭୁବନେଶ୍ୱର: ହଠାତ୍‌ ବିଜେପି ରାଜ୍ୟ ସଂଗଠନ ସଂପାଦକ ଶାରଦା ପ୍ରସାଦ ଶତପଥୀଙ୍କୁ ବଦଳି କରିଦେଲେ ବିଜେପି ନେତୃତ୍ୱ। ତାଙ୍କ ସ୍ଥାନରେ ସଂଘର କଟକ ବିଭାଗ ପ୍ରଚାରକ ମାନସ ମହାନ୍ତିଙ୍କୁ ଦାୟିତ୍ୱ ଦେବା ଲାଗି ସ୍ଥିର ହୋଇଛି। ଏଭଳି ପରିବର୍ତ୍ତନ ପଛର ପ୍ରକୃତ କାରଣ ସଂପର୍କରେ ନେତୃତ୍ୱ କୌଣସି ସଫେଇ ଦେଇନାହାନ୍ତି। ଯାହା ସୂଚନା ମିଳୁଛି, ଶାରଦାଙ୍କ ରେକର୍ଡ ସନ୍ତୋଷଜନକ ନଥିଲା। ଶାରଦାଙ୍କ ପରେ ଏବେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ଜୋର ଧରିଲାଣି। ୨୦୧୯ ଫେବ୍ରୁଆରି ମାସରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବା କଥା। ଏହାର ୧୦ମାସ ପୂର୍ବରୁ ସଭାପତି ପରିବର୍ତ୍ତନ ଚର୍ଚ୍ଚା ପଛର କାରଣ ସମାନ, ଅର୍ଥାତ୍‌ ଖରାପ୍‌ ପ୍ରଦର୍ଶନ ବୋଲି କୁହାଯାଉଛି। ପଞ୍ଚାୟତ ନିର୍ବାଚନରେ ଶ୍ରୀ ପଣ୍ଡା ନିଜ ନିର୍ବାଚନମଣ୍ଡଳୀରେ ଭଲ ପ୍ରଦର୍ଶନ କରିନଥିବାରୁ ଦଳ ନିନ୍ଦିତ ହୋଇଥିଲା। ବିଜେପୁର ଉପନିର୍ବାଚନ ଦଳ ଜିତିପାରିଲା ନାହିଁ। କେବଳ ସେତିକି ନୁହେଁ, ରାଷ୍ଟ୍ରୀୟ ସଭାପତିଙ୍କ ମିସନ ୧୨୦+ ସ୍ୱପ୍ନକୁ ସାକାର କରିବା ଲାଗି ଯେତେସବୁ ରଣନୀତି ନିର୍ଧାରଣ ହୋଇଥିଲା, ତାର କାର୍ଯ୍ୟାନ୍ଵୟନରେ ମେଞ୍ଚା ମେଞ୍ଚା ବିଫଳତା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ନେତୃତ୍ୱ ସାମ୍ନାରେ ଓଡ଼ିଶା ବିଜେପିର ଯେଉଁ ଚିତ୍ର ରଖାଯାଇଥିଲା, ତାହା ଯେ ବାସ୍ତବତା ନୁହେଁ, ଏକଥା ସେମାନେ ବୁଝିସାରିଲେଣି। ଏଣୁ ଅତ୍ୟନ୍ତ ଦୁର୍ବଳ ସଂଗଠନକୁ ନେଇ ନିର୍ବାଚନ ସାମ୍ନା କରିବା ଅପେକ୍ଷା ବଡ଼ ଧରଣର ଅଦଳବଦଳ କରି ପରୀକ୍ଷାନିରୀକ୍ଷା ପାଇଁ ନେତୃତ୍ୱ ଚିନ୍ତା କରୁଛନ୍ତି। ଏହି ପ୍ରକ୍ରିୟାକୁ ଆଗକୁ ନେବା ଲାଗି ଶ୍ରୀ ପଣ୍ଡାଙ୍କୁ ଇସ୍ତଫା ଦେବା ପାଇଁ ଦଳ ଯେ କୌଣସି ମୁହୂର୍ତ୍ତରେ କହିପାରେ ବୋଲି ଗୋଟିଏ ମହଲ ମତ ରଖୁଛନ୍ତି।

ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ଏଥିସହିତ ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି। ସବୁଠାରୁ ବଡ଼ କଥା ହେଉଛି, କାହା ଲୋକଙ୍କୁ ଏ ନିଯୁକ୍ତିରେ ଗୁରୁତ୍ୱ ଦିଆଯାଉଛି? ସଂଘର ପ୍ରଭାବ ବେଶୀ ରହୁଛି, ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତଙ୍କୁ ନେତୃତ୍ୱ ଗୁରୁତ୍ୱ ଦେଉଛନ୍ତି? ଏ କ୍ଷେତ୍ରରେ କ’ଣ ରହୁଛି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟମାନଙ୍କ ଭୂମିକା? ଦଳର ମୁଖ୍ୟଧାରାରୁ ଦୂରେଇ ଯାଇଥିବା ନେତାଙ୍କୁ ଗୁରୁତ୍ୱ ଦେଇ ପୁଣି ଥରେ ଦଳର ମୁଖ୍ୟସ୍ରୋତକୁ ଫେରାଇ ଆଣିବେ ନା ସେମାନଙ୍କୁ ବାଏ ବାଏ କରିବା ଲାଗି ବାଟ ଫିଟାଇ ଦିଆଯିବ?
ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ବିଜେପି କର୍ମୀ। ବିଜେପିର ଏହି ଗୋଟିଚାଳନା ଉପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ ନଜର ରଖିଛନ୍ତି। ଅପେକ୍ଷା କରାଯାଉଛି, ଶାହଙ୍କ ମିସନ ୧୨୦+କୁ ସାକାର କରିବା ଲାଗି ଦଳ ଆନ୍ତରିକତା ବା ନିଷ୍ଠା ପ୍ରକଟ କରୁଛି ନା ଏହା କେବଳ ସ୍ଲୋଗାନରେ ରହିଯିବ?

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଗତ ସାଂଗଠନିକ ଅଦଳବଦଳ ପ୍ରକ୍ରିୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ବଡ଼ ଭୂମିକା ଥିଲା, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଧର୍ମେନ୍ଦ୍ର ନିଜର ମନ ମୁତାବକ ଟିମ୍‌ ଗଠନ କରିଥିଲେ ଓ ଉଭୟ ଶାରଦା ଓ ବସନ୍ତ ଏହାର ଅଂଶବିଶେଷ। ଯେଉଁଥିପାଇଁ ବିଜୟ ମହାପାତ୍ର ଦଳଠାରୁ ଧୀରେ ଧୀରେ ଦୂରେଇ ଗଲେ ବା ତାଙ୍କୁ କୋଣଠେସା କରି ଦିଆଗଲା। ହେଲେ ଉଭୟଙ୍କ ପ୍ରଦର୍ଶନ ଖୋଦ୍‌ ମନ୍ତ୍ରୀଙ୍କୁ ବି ବିଚଳିତ କରିଦେଇଛି। ଏଣୁ ଶାରଦାଙ୍କୁ ବଦଳି କରାଯାଇଛି। ମାତ୍ର ଏବେ ଯାହାଙ୍କୁ ନୂଆ ସଂଗଠନ ସଂପାଦକ ଭାବେ ନିଯୁକ୍ତି ଦିଆଯାଉଛି, ସେ କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପର ନୁହନ୍ତି। ବରଂ ଏ କ୍ଷେତ୍ରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପୂର୍ବ ପ୍ରାନ୍ତର ଏକ ବଡ଼ ଭୂମିକା ରହିଛି।

ବିଜେପି ନେତାମାନଙ୍କର କହିବା କଥା ହେଉଛି, ଏବେ ସଭାପତି ପରିବର୍ତ୍ତନ ନିହାତି ଆବଶ୍ୟକ। ଅନ୍ୟଥା ଦଳ ଆଗକୁ ଯାଇପାରିବ ନାହିଁ। ଏପରିକି ବିରୋଧୀ ଭୂମିକାରେ ରହିବା ବି କଷ୍ଟସାଧ୍ୟ ହୋଇପାରେ। ଏହି ପଦବି ଲାଗି ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ବିଜେପି ଉପସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀଙ୍କ ନାମ ଆଲୋଚନାରେ ରହିଛି। ହେଲେ ଅଡୁଆଟି ହେଉଛି, ସଭାପତି ପଦ ସହିତ ରାଜ୍ୟ ନେତୃତ୍ୱରେ କାହାର ଗୁରୁତ୍ୱ ରହିବ, ସେ ବାର୍ତ୍ତା ସାମ୍ନାକୁ ଆସିବାକୁ ଥିବାରୁ ଦଳରେ ଛକାପଞ୍ଝା ଚାଲିଛି।
ଗୋଟିଏ ବର୍ଗର ମତ ହେଉଛି, ଦୀର୍ଘ ଦିନ ହେଲା ପଶ୍ଚିମ ଓଡିଶାକୁ ବିଜେପି ସଭାପତି ପଦ ମିଳିଛି। କେତେବେଳେ ଜୁଏଲ ଓରାମ ତ ଆଉ କେବେ ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ ଏହି ପଦରେ ଅଛନ୍ତି। ଏବେ ବସନ୍ତ ପଣ୍ଡା ମଧ୍ୟ ପଶ୍ଚିମ ଓଡ଼ିଶାର। ଏମାନେ ନିଜ ଅଞ୍ଚଳରେ ବେଶ୍‌ ପ୍ରଭାବୀ ହୋଇଥାଇପାରନ୍ତି ବା ସେ ଅଞ୍ଚଳରେ ଦଳର ଶକ୍ତି ବଢାଇଛନ୍ତି। ମାତ୍ର ଉପକୂଳ ସଂଗଠନକୁ ସଜାଡି ପାରୁନାହାନ୍ତି। ଏବେ ଉପକୂଳ, ଉତ୍ତର, ଦକ୍ଷିଣ ଓ କେନ୍ଦ୍ର ଓଡ଼ିଶା ବିଜେପି ପାଇଁ ଚ୍ୟାଲେଞ୍ଜ ହୋଇଥିବାରୁ ପୂର୍ବ ଓଡ଼ିଶାରୁ କାହାକୁ ସଭାପତି କରାଯିବା ଉଚିତ୍‌। ଏ କ୍ଷେତ୍ରରେ ଦୁଇଜଣ ନାମ ଆଗରେ ରହିଛି। ସମୀର ମହାନ୍ତିଙ୍କୁ ବିଜେପିର ବର୍ତ୍ତମାନର କ୍ଷମତାଶାଳୀ ଗୋଷ୍ଠୀ ସମର୍ଥନ କରୁଛନ୍ତି। ସେପଟେ ସଂଘ ତାଲିକାରେ ଶ୍ରୀ ଷଡ଼ଙ୍ଗୀଙ୍କ ନାଁ ରହୁଛି। ଦଳର ତୃଣମୂଳସ୍ତରର ଅନେକ ନେତାଙ୍କ ମତ ବି ସେୟା। ଆଉ ଗୋଟିଏ ଗୋଷ୍ଠୀ ଏକଘରିକିଆ ହୋଇପଡିଥିବା ବିଜୟ ମହାପାତ୍ରଙ୍କୁ ମନାଇବା କଥା ଉଠାଉଛନ୍ତି।

ଏପରିସ୍ଥଳେ ବିବାଦକୁ ଏଡାଇବା ପାଇଁ ପୁଣି ଥରେ ପଶ୍ଚିମ ଓଡ଼ିଶାକୁ ସଭାପତି ପଦ ଠେଲି ଦିଆଯାଇପାରେ। ଏ ଫର୍ମୁଲାରେ ବିଧାୟକ ଦଳ ନେତା ଶ୍ରୀ ସିଂହଦେଓଙ୍କ ପଲା ଭାରି ରହିଛି। ହେଲେ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ତିରୋଟ ସମୟରେ ଶ୍ରୀ ସିଂହଦେଓ ରାଜି ହେବେ ତ? ଗତ ଥର ସଭାପତି ପରିବର୍ତ୍ତନର ତରିକା, ବିଧାୟକ ଦଳ ନେତା ନିଯୁକ୍ତି କ୍ଷେତ୍ରରେ ଦଳ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲା, ତାକୁ କଣ ସେ ଭୁଲିଯିବେ?

ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିକଟତମ ମହଲ ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ରୋକ୍‌ଠୋକ୍‌ କହୁଛନ୍ତି।
ଉଲ୍ଲେଖଯୋଗ୍ୟ, ବିଜେପି ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରିବା ଲାଗି ମାନସମନ୍ଥନ ଆରମ୍ଭ ହୋଇଯାଇଛି। ସଂଘ ମଧ୍ୟ ଏ ନେଇ ଘନ ଘନ ମନ୍ତ୍ରଣା ଚଳାଇଛି। ଆସନ୍ତାକାଲି ରାଷ୍ଟ୍ରୀୟ ସଭାପତି ଶ୍ରୀ ଶାହ ଭବାନୀପାଟଣାରେ ଏକ ସାଧାରଣ ସଭାରେ ଯୋଗଦେବା ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କର ଏକ ବୈଠକ ଡାକିଛନ୍ତି। ପ୍ରଥମେ ବିସ୍ତାରକଙ୍କୁ ଭେଟିବେ। ପରେ ବିଧାୟକ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତିଙ୍କ ସମେତ ଦଳୀୟ ସାଂଗଠନିକ ପଦାଧିକାରୀ ଏବଂ କୋର୍‌ କମିଟି ସଭ୍ୟ ପ୍ରମୁଖଙ୍କୁ ନେଇ ଏକ ବୈଠକ ହେବ। ଏହି ବୈଠକରେ ଶ୍ରୀ ଶାହଙ୍କ ସଙ୍କେତ କଣ ହେବ, ତାହା ଉପରେ ଦଳର ନଜର ରହିଛି। ସମ୍ଭବତଃ, ଶ୍ରୀ ଶାହ ଓଡ଼ିଶା ଗସ୍ତରୁ ଫେରିବା ପରେ ସାଂଗଠନିକ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇପାରେ।
ଗତ ଥର ସଭାପତି ପଦ ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାରେ ରହିଥିଲା। ହେଲେ ଶେଷ ମୁହୂର୍ତ୍ତରେ ସେ ବାଦ୍‌ ପଡ଼ିଯାଇଥିଲେ।

ସମ୍ବନ୍ଧିତ ଖବର