ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟକୁ ନେଇ ହାଇକୋର୍ଟ ବାର୍‌ର ପ୍ରତିକ୍ରିୟା : ହାଇକୋର୍ଟ କାମରେ କୌଣସି ବାଧା ନାହିଁ

ବାର କହିଲା କୋର୍ଟ ବର୍ଜନ ଶାନ୍ତିପୂର୍ଣ୍ଣ, ସୁପ୍ରିମକୋର୍ଟରେ ଭୁଲ ତଥ୍ୟ ରଖିଥିବା ଆଇନଜୀବୀଙ୍କୁ ବାର୍‌ରୁ ନିଲମ୍ବନ

କଟକ : ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ଉପରେ ଆଜି ମତ ରଖିଛି ହାଇକୋର୍ଟ ବାର୍ ଆସୋସିଏସନ। ସୁପ୍ରିମକୋର୍ଟରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରାଯାଇଛି। ଆସନ୍ତାକାଲି ଏସଂପର୍କିତ ମାମଲାର ଶୁଣାଣି ସମୟରେ ପ୍ରକୃତ ତଥ୍ୟ ଉପସ୍ଥାପନ କରାଯିବ ବୋଲି ବାର୍ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ହାଇକୋର୍ଟ ସ୍ଥିତି ସଂପର୍କରେ ଭୁଲ ତଥ୍ୟ ରଖିବା ଅଭିଯୋଗରେ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କୁ ବାର ଆସୋସିଏନରୁ ନିଲମ୍ବିତ କରାଯିବା ସହ ତାଙ୍କୁ ନୋଟିସ ଜାରି କରାଯାଇଛି।

ଓଡ଼ିଶା ହାଇକୋର୍ଟରେ ଜାରି ରହିଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଂଗକୁ ନେଇ ସୁପ୍ରିମକୋର୍ଟ ଗତ ୨୨ ତାରିଖ ଦିନ ଶୁଣାଣି ସମୟରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପ୍ରସଙ୍ଗକୁ ନେଇ ଆଜି ହାଇକୋର୍ଟ ବାର୍ ଆସୋସିଏସନ ‌ଆକ୍ସନ କମିଟିର ଜରୁରୀ ବୈଠକ ବସିଥିଲା। ସୁପ୍ରିମକୋର୍ଟ ଏହି ପ୍ରସଂଗରେ ପ୍ରଦାନ କରିଥିବା ନିର୍ଦ୍ଦେଶ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଆଇନଜୀବୀ ଆନ୍ଦୋଳନ ପ୍ରସଂଗରେ ସୁପ୍ରିମକୋର୍ଟରେ ଠିକ ତଥ୍ୟ ଉପସ୍ଥାପନ କରାଯାଇ ନାହିଁ ବୋଲି ସଦସ୍ୟମ‌ାନେ ମତ ଦେଇଥିଲେ। ପ୍ରତିଦିନ ହାଇକୋର୍ଟର ବିଭିନ୍ନ ଖଣ୍ଡପୀଠ ବସି ଶୁଣାଣି କରୁଥିବା ବେଳେ ମହକିଲମାନେ ନିଜେ ଯାଇ ମାମଲାରେ ପକ୍ଷ ରଖୁଛନ୍ତି। ଆଇନଜୀବୀମାନେ କେବଳ କୋର୍ଟ କାର୍ଯ୍ୟରୁ ନିଜକୁ ନିବୃତ ରଖିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ କୋର୍ଟ କାର୍ଯ୍ୟ ବର୍ଜନ କରିଛନ୍ତି। କିନ୍ତୁ କୋର୍ଟ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରାଯାଉ ନାହିଁ। ଏନେଇ ରେଜିଷ୍ଟ୍ରାର ଜେନେରାଲ ମଧ୍ୟ ସୁପ୍ରିମକୋର୍ଟରେ ମତ ରଖିଛନ୍ତି। କିନ୍ତୁ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ଭିନ୍ନ ଏକ ଚିତ୍ର ଉପସ୍ଥାପନ କରାଯାଇଥିଲା। ଏପରି ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସର୍ବସମ୍ମତି କ୍ରମେ ଆକ୍ସନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ହାଇକୋର୍ଟ ବାର ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ଯେ ସୁପ୍ରିମକୋର୍ଟରେ ଭୁଲ ତଥ୍ୟ ଉପସ୍ଥାପନ ପାଇଁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କୁ ବାର୍ ଆସୋସିଏସନରୁ ନିଲମ୍ବନ ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୩୦ ତାରିଖ ମଧ୍ୟରେ ଯଦି ସେ କାରଣ ନ ଦର୍ଶାନ୍ତି ବା ସନ୍ତୋଷଜନକ ଉତ୍ତର ନ ରଖନ୍ତି ତେବେ ନଭେମ୍ବର ୧ରେ ବସିବାକୁ ଥିବା ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ତାଙ୍କୁ ବହିଷ୍କାର କରାଯିବ। ଏଥି ସହିତ ହାଇକୋର୍ଟରେ ଚାଲିଥିବା ଅଦାଲତ ଅବମାନନା ମାମଲା ସଂପର୍କିତ ୨୧ ତାରିଖର ଶୁଣାଣିକୁ ନେଇ ସୁପ୍ରିମକୋର୍ଟରେ ଭୁଲ ଚିତ୍ର ଉପସ୍ଥାପନ ପାଇଁ ଶିବଶଙ୍କରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ଆକ୍ସନ କମିଟି ସଦସ୍ୟ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେଙ୍କୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ଆଇନଜୀବୀ ପରିଷଦକୁ ମଧ୍ୟ ଶ୍ରୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯିବ। ଶିବଶଙ୍କର ମିଶ୍ର ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପ୍ୟାନେଲ ଆଇନଜୀବୀ ହୋଇଥିବା ବେଳେ ତାଙ୍କୁ ପ୍ୟାନେଲରୁ ବାଦ ଦେବା ପାଇଁ ସରକାରଙ୍କୁ ବାର୍ ପକ୍ଷରୁ ଅନୁରୋଧ କରାଯିବ।

ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ହାଇକୋର୍ଟ ବାର୍ ଏହି ମାମଲାରେ ପକ୍ଷ ରଖିବ ନାହିଁ।

ତା ଛଡା ହାଇକୋର୍ଟ ବାର୍ ମାମଲାରେ ପକ୍ଷ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ବାର୍ ବିରୋଧରେ କିଛି ଉଲ୍ଲେଖ ନାହିଁ। ତେଣୁ ପକ୍ଷଭୁକ୍ତ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଏ ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ପ୍ରକୃତ ତଥ୍ୟ ଦାଖଲ କରି ସାରିଥିବା ବେଳେ ପରବର୍ତ୍ତୀ ଶୁଣାଣି ସମୟରେ ଠିକ ତଥ୍ୟ ହାଇକୋର୍ଟ ପକ୍ଷରୁ ଉପସ୍ଥାପନ କରାଯିବ ବୋଲି ସଭାପତି ଶ୍ରୀ ମହାନ୍ତି ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ହାଇକୋର୍ଟ ବାର୍ ସଂପାଦକ ସଂଜୟ କୁମାର ଦାସ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଗତ ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗରେ ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଦାଖଲ କରିଥିବା ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ କାର୍ଯ୍ୟ ଚାଲିବାରେ କୌଣସି ଅସୁବିଧା ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ଏକ ଭିନ୍ନ ଚିତ୍ର ଦର୍ଶାଇଥିଲେ। ସେ ଦର୍ଶାଇଥିଲେ ଯେ କୋର୍ଟ କାର୍ଯ୍ୟ ଚାଲିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି। ବିଚାର ବ୍ୟବସ୍ଥା କାର୍ଯ୍ୟ ସ୍ଥାଣୁ ଅବସ୍ଥାକୁ ଆସିବା ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ମତ ପ୍ରକାଶ କରିଥିଲେ। ନ୍ୟାୟର ମନ୍ଦିରକୁ ଖୋଲା ରଖିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ଉଚିତ। ଏଥିପାଇଁ ହାଇକୋର୍ଟ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପୁଲିସ ସକ୍ଷମ କି ନାହିଁ। ଯଦି ସ୍ଥାନୀୟ ପୁଲିସ ଏଥିରେ ବିଫଳ ହେଉଛି ତାହାହେଲେ ଅର୍ଦ୍ଧସାମରିକ ବାହିନୀ ସହାୟତା ନିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର