ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

କେନ୍ଦ୍ରକୁ କଡ଼ା ଚିଠି ଲେଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦାବି ସଚିବାଳୟରେ ଉଠିଛି। ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ୧୫ ଜଣିଆ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ନେଇ ଦାବି ଜଣାଇଛନ୍ତି। ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆଦିଲ୍ଲୀକୁ ପଠାଇ କେନ୍ଦ୍ର ସରକାରଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି। ଏହା ସହ ଚଳିତ ମୌସୁମୀ ଅଧିବେଶନରେ ଯେପରି ଏହି ବିଲ୍‌ ସଂସଦରେ ଗୃହୀତ ହୁଏ, ତାହାକୁ ଧ୍ୟାନରେ ରଖି ରାଜ୍ୟ ସରକାର ଓ ରାଜ୍ୟର ସାଂସଦମାନେ ତ୍ୱରିତ ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣିବା ପରେ କେନ୍ଦ୍ରକୁ ଏକ କଡ଼ା ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି। ଆଲୋଚନା ସମୟରେ ସରକାରୀ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ଓ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ କମିଟିର ଆବାହକ ଅଶୋକ ଦାଶ ଗଣମାଧ୍ୟମକୁ କହିଥିଲେ, ୨୦୧୩ରେ ଉପା ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। ଉପା ସରକାର ମଧ୍ୟ ନିଜ ମତାମତ ଦେଇଥିଲେ। କିନ୍ତୁ ତାହା ପର ଠାରୁ ସେ ନେଇ କୌଣସି ଅଗ୍ରଗତି ହୋଇ ନାହିଁ। ଆଜି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଲୁ। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ଦାବିକୁ ସମର୍ଥନ କରିଥିଲେ। ଏହି ପ୍ରସଙ୍ଗରେ ଦୃଢ଼ ଦାବି ନେଇ ସେ କେନ୍ଦ୍ରକୁ ଚିଠି ଲେଖିବେ ବୋଲି କହିଛନ୍ତି।

କମିଟିର ମୁଖପାତ୍ର ସୁରେଶ୍ୱର ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇଛି। ରାଜ୍ୟର ଆଇନ ବିଶାରଦମାନଙ୍କୁ ନେଇ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆଦିଲ୍ଲୀ ଯାଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ପ୍ରସଙ୍ଗରେ ଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଚଳିତ ମୌସୁମୀ ଅଧିବେଶନରେ ଏ ସଂକ୍ରାନ୍ତୀୟ ବିଲ୍‌ ଗୃହୀତ କରିବାକୁ ରାଜ୍ୟର ସାଂସଦମାନେ ନିଷ୍ଠାପର ଉଦ୍ୟମ କରିବାକୁ ମଧ୍ୟ ନିବେଦନ କରାଯାଇଛି।

ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ, ମୁଖ୍ୟମନ୍ତ୍ରୀ ୨୦୧୩ରେ କେନ୍ଦ୍ରକୁ ଚିଠି ଲେଖିଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ହାଇକୋର୍ଟ କୌଣସି ମତ ଦେଲେ ନାହିଁ କି କେନ୍ଦ୍ର ସରକାର କିଛି ପଦକ୍ଷେପ ନେଲେ ନାହିଁ। ମୁଖ୍ୟମନ୍ତ୍ରୀ ପୁନର୍ବାର କେନ୍ଦ୍ରକୁ ଚିଠି ଲେଖିବା ପାଇଁ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ଆଇନଜୀବୀମାନଙ୍କ ସମସ୍ତ ଯୁକ୍ତି ଶୁଣିଛନ୍ତି। ସେ ନିଶ୍ଚିତ ଆବଶ୍ୟକ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର