ନିଜ ଅଞ୍ଚଳ ପ‌ାଇଁ ଯୁକ୍ତି ବାଢ଼ୁଛନ୍ତି ବିଭିନ୍ନ ଜିଲ୍ଲା ସଂଗଠନ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗ

ବଲାଙ୍ଗୀର/ଭବାନୀପାଟଣା/ସୁବର୍ଣ୍ଣପୁର/ବରଗଡ଼, ୧୮/୬(ଇମିସ): ଦୁଇ ଦିନ ତଳେ ସମ୍ବଲପୁରରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ‌ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେବା ପରେ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲା ସଂଗଠନଗୁଡ଼ିକ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି ଏବଂ ନିଜ ନିଜ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେଉ ବୋଲି ଯୁକ୍ତି ବାଢ଼ିଛନ୍ତି। ଏପରିକି ଏହି ପ୍ରସଙ୍ଗରେ ପାଦେ ଆଗକୁ ଯାଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।  ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି ଯେ ବଲାଙ୍ଗୀରଠାରେ ସ୍ୱାଧୀନତା ପୂର୍ବରୁ ଏକ ହାଇକୋର୍ଟ କାର୍ଯ୍ୟ କରୁଥିଲା। ଗଡ଼ଜାତ ମିଶ୍ରଣ ସମୟରେ ହାଇକୋର୍ଟ କଟକକୁ ଚାଲିଯାଇଥିଲା। ତେଣୁ ବଲାଙ୍ଗୀରରେ ହାଇକୋର୍ଟର ପୁନଃସ୍ଥାପନ କରାଯାଉ। ୨ଠ୧ଠ ମସିହାରୁ ୯ବର୍ଷ ହେଲା ବଲାଙ୍ଗୀର ଓକିଲ ସଂଘ ପ୍ରତି ମାସର ଶେଷ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛି। ଏହି ସମାନ ଦାବିକୁ ନେଇ ୨ଠ୧୩ ମସିହାରେ ମ୍ୟୁନିସିପାଲିଟି ନିର୍ବାଚନ ମଧ୍ୟ ବର୍ଜନ କରାଯାଇଥିଲା। ବଲାଙ୍ଗୀର ବନ୍ଦ, ମଶାଲ ଶୋଭାଯାତ୍ରା, ବାଇକ୍ ରାଲି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାବିର ଯଥାର୍ଥତା ନେଇ ଦୃଷ୍ଟି ଆକର୍ଷଣ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ସି.ଆର୍ ପାଲ କମିସନ ଓ ଯଶବନ୍ତ ସିଂହ କମିସନର ନିର୍ଦ୍ଧାରିତ ମାପଦଣ୍ଡ ଅନୁଯାୟୀ ମଧ୍ୟ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନର ସମସ୍ତ ଯଥାର୍ଥତା ରହିଛି। ତେଣୁ ନିର୍ବାଚନ ପୂର୍ବରୁ ସ୍ଥଗିତ ରଖାଯାଇଥିବା ଏବେ ପୁଣି ବ୍ୟାପକ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ଲଳିତ ନାୟକ ଚେତାବନୀ ଦେଇଛନ୍ତି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧ୍ୟ ଦାବିକୁ ନେଇ ଆନ୍ଦୋଳନ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ଲାଗି କଳାହାଣ୍ଡି ହିଁ ପ୍ରକୃଷ୍ଟ ସ୍ଥାନ ବୋଲି କଳାହାଣ୍ଡି ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା ଯୁକ୍ତି ବାଢ଼ିଛନ୍ତି।ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଜଷ୍ଟିସ ଯଶୱନ୍ତ ସିଂଙ୍କ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ହାଇକୋର୍ଟରୁ ସେହି ଅଞ୍ଚଳକୁ ଯାତାୟାତ ପାଇଁ ୧୦ରୁ ୧୨ ଘଣ୍ଟା ସମୟ ଲାଗୁଥିବ, ପାର୍ବତ୍ୟ ଅଞ୍ଚଳ ହୋଇଥିବ, ଏସ୍‌ସିଏସ୍‌ଟି ସଂଖ୍ୟା ଠିକ ଥିବ, ବେଞ୍ଚ ପାଇଁ ନିଜସ୍ବ କୋଠା ଥିବ, ବେଞ୍ଚ ହେବାକୁ ଥିବା ସହରରେ ଶିକ୍ଷା ବ୍ୟବସ୍ଥା ଠିକ ଥିବା ଭଳି ସମସ୍ତ ଗାଇଡଲାଇନକୁ କଳାହାଣ୍ଡି ଜିଲ୍ଲା ପୂରଣ କରୁଛି। ସେହିଭଳି ରାଜ୍ୟ ସରକାରଙ୍କ ପାଲ କମିଶନଙ୍କ ରିପୋର୍ଟ ଅନୁଯାୟୀ ଏହାହିଁ ପ୍ରକୃଷ୍ଟ ସ୍ଥାନ ବୋଲି ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ପଶ୍ଚିମ ଓଡିଶାର ଅନ୍ୟ କେଉଁ ସ୍ଥାନ ପାଇଁ କଳାହାଣ୍ଡି ଓକିଲ ସଂଘ ସମର୍ଥନ କରୁନାହିଁ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

ଅନୁରୂପ ଭାବେ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ମଧ୍ୟ ସମ୍ବଲପୁରଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସ୍ତାବ ଉପରେ ଆପତ୍ତି ଉଠାଇଛି। ସଂଘର ସଭାପତି ସର୍ବେଶ୍ବର ପୁରୋହିତଙ୍କ ସଭାପତିତ୍ବରେ ଆୟୋଜିତ ଜିଲ୍ଲା ଓକିଲ ସଂଘର ସାଧାରଣ ବୈଠକରେ ସଂଘ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଲେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର କୌଣସି ଆପତ୍ତି ନାହିଁ ବୋଲି ସ୍ପଷ୍ଟ ଭାବରେ ଜିଲ୍ଲା ଓକିଲ ସଂଘକୁ ୩୦ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଥିଲା। ମାତ୍ର ଏଭଳି କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନହୋଇ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସର୍ବସମ୍ମତି ପ୍ରସ୍ତାବ ନିଆଯାଇଛି ବୋଲି ଉଲ୍ଲେଖ କରାଯିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭଣ୍ଡୁର କରିବାକୁ ଉଦ୍ୟମ ହେଉଛି। ଅନ୍ୟ ପକ୍ଷରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଓକିଲ ସଂଘର ଆନ୍ଦୋଳନ ଚଳିତ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ତେବେ ବରଗଡ଼ ଜିଲ୍ଲା ଓକିଲ ସଂଘ ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି କରି ଆସୁଛି। ତେଣୁ ବେଞ୍ଚ କେଉଠି ପ୍ରତିଷ୍ଠା ହେବ, ସେନେଇ ସରକାର ହିଁ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ନିଜ ପୂର୍ବ ଦାବିରେ ଅଟଳ ରହିଛି। ୨୦୧୬ ମସିହାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନର ମନମୁଖି କାର୍ଯ୍ୟକୁ ବିରୋଧ କରି ବରଗଡ଼ ଜିଲ୍ଲା ଓକିଲ ସଂଘ ଏଥିରୁ ଓହରି ଯାଇଥିଲା। ଗତବର୍ଷ ଡିସେମ୍ବର ୧୪ ତାରିଖ ହାଇକୋର୍ଟ ବେଞ୍ଚ ସଂକ୍ରାନ୍ତ ମତଭେଦ ଦୂର କରିବା ପାଇଁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି (ଡିଏସି) ଗଠନ ହୋଇଥିଲା। ଏଥି‌େର ଜିଲ୍ଲାର ୮ଟି ଓକିଲ ସଂଘ ସାମିଲ ଅଛନ୍ତି। ଡିଏସି ନେତୃତ୍ବରେ ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘକୁ ପରବର୍ତୀ ରଣନୀତି ସ୍ଥିର କରିବାକୁ ବରଗଡ଼କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇଥିବା ୩୮ଟି ଓକିଲ ସଂଘରୁ ୧୪ଟି ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର