ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୬ ବିଧାୟକ

ମୁଖ୍ୟ ବିଚାରପତିଙ୍କୁ ଭେଟି ପାରିଲେନି

ଭୁବନେଶ୍ବର/କଟକ/ସମ୍ବଲପୁର : ଆଜି ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ୍‌ରେ ପଶ୍ଚିମ ଓଡ଼ିଶାର ୬ଜଣ ବିଧାୟକ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବି କରିଛନ୍ତି। ଏ ନେଇ ସବିଶେ‌ଷ ପ୍ରସ୍ତାବ ଆଣିଲେ, ସହଯୋଗ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଦର୍ଶାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେଇଥିଲେ।

ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବକିଶୋର ଦାସ, ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ସମ୍ବଲପୁର ବିଜେଡି ବିଧାୟିକା ଡା. ର‌ାସେଶ୍ବରୀ ପାଣିଗ୍ରାହୀ, ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ, ଦେବଗଡ଼ର ବିଜେପି ବିଧାୟକ ନୀତେଶ ଗଙ୍ଗଦେବ ଓ କୁଚିଣ୍ଡାର ବିଜେପି ବିଧାୟକ ରବି ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଂଗକୁ ନେଇ କଟକ ଆସିଥିବା ପଶ୍ଚିମ ଓଡ଼ିଶାର ବିଧାୟକ ଦଳ ଆଜି ମୁଖ୍ୟ ବିଚାରପତିଙ୍କୁ ଭେଟି ପାରି ନାହାନ୍ତି। ଆଜି ମୁଖ୍ୟ ବିଚାରପତିଙ୍କୁ ଭେଟିବା ପାଇଁ ଏହି ବିଧାୟକମାନେ ହାଇକୋର୍ଟରେ ଆସି ପହଞ୍ଚିଥିଲେ। ମୁଖ୍ୟ ବିଚାରପତି ୩ ତାରିଖ ଅପରାହ୍ନ ୪.୩୦ରେ ଭେଟିବା ପାଇଁ ପୂର୍ବରୁ ସମୟ ଦେଇଥିଲେ। ଏହାପରେ ୨୧ ତାରିଖରେ କଂପ୍ଲାଏ ରିପୋର୍ଟ ଦେବା ପାଇଁ ସମ୍ବଲପୁର ବିଧାୟିକାଙ୍କୁ ଚିଠି ଦିଆଯାଇ ଥିଲା। କେତେ ଜଣ ଓ ‌କିଏ କିଏ ଭେଟିବାକୁ ଆସୁଛନ୍ତି ତାହା ସ୍ପଷ୍ଟ କରିବାକୁ କୁହାଯାଇ ଥିଲା। ମାତ୍ର ବିଧାୟକମାନଙ୍କ ପକ୍ଷରୁ ଏହାର ଉତ୍ତର ନ ମିଳିବାରୁ ମୁଖ୍ୟ ବିଚାରପତି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ପୂର୍ଣ୍ଣ ଖଣ୍ଡପୀଠ ଶୁଣାଣି ଆରମ୍ଭ ହେବା ଯୋଗୁଁ ବିଧାୟକମାନଙ୍କ ସହ ଆଲୋଚନା ସମ୍ଭବ ହୋଇନଥିଲା। ତେବେ ପରବର୍ତ୍ତୀ ସମୟରେ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା ପାଇଁ ଚେଷ୍ଟା କରାଯିବ ବୋଲି ସମ୍ବଲପୁର ବିଧାୟିକା ଡ.ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର