ହାଇକୋର୍ଟ ଫୁଲ ବେଞ୍ଚର ଗୁରୁତ୍ବପୂର୍ଣ୍ଣ ରାୟ : ସଂପତ୍ତି ବାଜ୍ୟାପ୍ତି ବଦଳରେ ଅର୍ଥଦଣ୍ଡ ଦେବା କ୍ଷମତା କୋର୍ଟର ନାହିଁ

କଟକ : ଯଦି ଆଇନରେ ବ୍ୟବସ୍ଥା ନାହିଁ ତେବେ ବାଜ୍ୟାପ୍ତି ନିର୍ଦ୍ଦେଶ ପରିବର୍ତ୍ତେ ଅଦାଲତ ଅର୍ଥଦଣ୍ଡ ବା ଜରିମାନା ଆଦାୟ ପାଇଁ ନି‌େର୍ଦ୍ଦଶ ଦେଇ ପାରିବେ ନାହିଁ। ଓଡ଼ିଶା ଜଙ୍ଗଲ ଆଇନ, ୧୯୭୨ର ଧାରା ୫୬(୨-କ) ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟର ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ୍ ବେଞ୍ଚ ଏପରି ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ, ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୯, ମାର୍ଚ୍ଚ ୨୯ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ମାମଲାର ରାୟ ପ୍ରକାଶ ପାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ସେକ ଆୟୁବଙ୍କ ପକ୍ଷରୁ ଦାୟର ରିଟ୍ ଆବେଦନର ଶୁଣାଣି ସମୟରେ ଜଙ୍ଗଲ ଆଇନର ଧାରା ୫୬(୨-କ)ରେ ଥିବା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା। ଏହି ଧାରାରେ ଜଙ୍ଗଲ ଆଇନ ଅନୁସାରେ ଘଟିଥିବା ଅପରାଧରେ ବ୍ୟବହୃତ ହୋଇଥିବା ଯନ୍ତ୍ରପାତି, ଦଉଡି, ଚେନ୍, ବୋଟ୍, ଗାଡି, ଶଗଡ ଜବତ ହେବା ପରେ ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ପ୍ରଦାନର ବ୍ୟବସ୍ଥା ରହିଛି। ଧାରା ୫୬(୨-କ)ରେ କେବଳ ଜବତ ସଂପତ୍ତିର ବାଜ୍ୟାପ୍ତି ନିର୍ଦ୍ଦେଶ ପାଇଁ ବ୍ୟବସ୍ଥା ରହିଥିବା ବେଳେ ‘ବାଜ୍ୟାପ୍ତି ପରିବର୍ତ୍ତେ ଅର୍ଥଦଣ୍ଡ/ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ କି ନାହିଁ’ ପ୍ରସଂଗକୁ ନେଇ ଫୁଲ ବେଞ୍ଚରେ ଶୁଣାଣି ହୋଇଥିଲା। ବାଜ୍ୟାପ୍ତି ବଦଳରେ ଜରିମାନା ନିର୍ଦ୍ଦେଶ ଦେଇ ଜବତ ଗାଡି/ସଂପତ୍ତି ଛାଡିବା ପାଇଁ ଆଦେଶ ଦିଆଯାଇ ପାରିବ ନାହିଁ ବୋଲି ଝାଡଖଣ୍ଡ ରାଜ୍ୟ ବନାମ ଗୋବିନ୍ଦ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ରହିଥିବା ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏଥି ସହିତ ବ୍ୟବସ୍ଥାପକ ସଭା ଦ୍ବାରା ଗୃହୀତ ଆଇନ ଯଦି ସ୍ପଷ୍ଟ ଓ ଏଥିରେ କୌଣସି ଦ୍ବନ୍ଦ୍ବ ନଥାଏ ତେବେ ତାହାର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟଙ୍କ ଏକାଧିକ ରାୟରେ ଉଲ୍ଲେଖ କରାଯାଇଥିବା ସଂପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଓଡ଼ିଶା ଜଙ୍ଗଲ ଆଇନର ଧାରା ୫୬(୨-କ)ରେ କେବଳ ବାଜ୍ୟାପ୍ତି ପ୍ରସଂଗରେ ଉଲ୍ଲେଖ କରାଯାଇଥିବା ବେଳେ ବିକଳ୍ପ ଭାବେ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ଉପସ୍ଥାପନ କରାଯାଇଥିବା ଯୁକ୍ତିକୁ ଖଣ୍ଡପୀଠ ଗ୍ରହଣ କରି ଏପରି ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର