ସ୍ୟାଟ୍ ଭବିଷ୍ୟତ ସଂପର୍କରେ ଅଗଷ୍ଟ ୮ରେ ଶୁଣାଣି

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌)ରେ ଖାଲି ପଡିଥିବା ଅଧୢକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସ˚ଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ରେ ହେବ। ପରବର୍ତ୍ତୀ ଶୁଣାଣି ସମୟରେ ସରକାର ସ୍ୟାଟ୍ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ ପକ୍ଷ ରଖିବେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଟକ ଓଏଟି ବାର୍ ଆସୋସିଏସନ୍ ଓ ଭୁବନେଶ୍ବର ଓଏଟି ବାର୍ ଆ‌େସାସିଏସନ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଏକତ୍ର ଶୁଣାଣି ଚାଲିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୯, ଜାନୁଆରି ୧୦ରେ ମାମଲାର ଶୁଣାଣି କରି ହାଇକୋର୍ଟ ସ୍ୟାଟ୍‌ରେ ଖାଲି ପଡିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସ˚ଗରେ ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନ‌ିର୍ଦ୍ଦେଶ ଦେଇଥିଲେ। ଖାଲି ପଡିଥିବା ପଦବିରେ ଆଡ୍‌-ହକ୍ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ୨୦୧୯, ମେ’୧୬ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ସରକାର ଚାହିଁ‌ଲେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସ୍ୟାଟର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ପାରିବେ ବୋଲି ରାୟରେ ସ୍ପଷ୍ଟ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସ୍ୟାଟ୍ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଔପଚାରିକ ଭାବେ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ସ୍ୟାଟ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରାଯାଉଥିବା ବେଳେ ଏବେ କେବଳ କାର୍ଯ୍ୟକାରୀ ଅଧ୍ୟକ୍ଷ ସ୍ୟାଟରେ ମାମଲା ଗୁଡିକର ଶୁଣାଣି କରୁଛନ୍ତି। ସ୍ୟାଟର କଟକ ବେଞ୍ଚ, ଭୁବନେଶ୍ବର ପ୍ରମୁଖ ବେଞ୍ଚ ସହିତ ବ୍ରହ୍ମପୁର ଓ ସମ୍ବଲପୁରର ସର୍କିଟ୍ ବେଞ୍ଚରେ ଜଣେ ବିଚାରପତି ଶୁଣାଣି କରୁଥିବାରୁ ଏକ ପ୍ରକାର ଅଚଳାବସ୍ଥା ଲାଗି ରହିଛି। ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବୁନାଲ ଆଇନ ଅନୁସାରେ ଅଧିକା˚ଶ ମାମଲା ଦୁଇ ଜଣ ବିଚାରପତିଙ୍କୁ ନେଇ ଖଣ୍ତପୀଠରେ ଶୁଣାଣି ହେବା କଥା। କିନ୍ତୁ ବର୍ତ୍ତମାନ କାର୍ଯ୍ୟକାରୀ ଅଧୢକ୍ଷଙ୍କ ବ୍ୟତୀତ ଅନ୍ୟ ସଦସ୍ୟ ନଥିବାରୁ ଦୁଇ ଜଣ ବିଚାରପତିଙ୍କୁ ନେଇ ଖଣ୍ତପୀଠ ଆଉ ବସି ପାରୁ ନାହିଁ। ଫଳରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇ ପାରୁ ନାହିଁ।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ୨୦୧୪, ଫେବ୍ରୁଆରି ୧୮ରେ ଟ୍ରିବୁନାଲରେ ଅଧୢକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସ˚ପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥାୟୀ ଅଧୢକ୍ଷ ପଦ ସମେତ ୭ଟି ସଦସ୍ୟ ପଦ ଖାଲି ପଡିଛି। ଏପରି ପରିସ୍ଥିତିରେ ଖାଲି ପଡିଥିବା ଅଧୢକ୍ଷ ପଦ ଓ ସଦସ୍ୟ ପଦ ପୂରଣ ହେବା ଜରୁରୀ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର