ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମଞ୍ଜୁର କରାଯାଇଥିବା ଜାମିନ ଖାରଜ କରିବା ପୂର୍ବରୁ ତଦନ୍ତ ଆବଶ୍ୟକ

କଟକ: କୌଣସି ମାମଲାରେ ପୂର୍ବରୁ ମଞ୍ଜୁର କରାଯାଇଥିବା ସର୍ତମୂଳକ ଜାମିନ ଖାରଜ କରିବା ପୂର୍ବରୁ ଅଭିଯୋଗର ସତ୍ୟାସତ୍ୟ ନେଇ ଅଦାଲତ ପ୍ରଥମେ ତଦନ୍ତ କରିବା ଆବଶ୍ୟକ। ବିନା ନୋଟିସରେ ତଥା ଅଭିଯୁକ୍ତକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ତାକୁ ପ୍ରଦାନ କରାଯାଇଥିବା ଜାମିନ ରଦ୍ଦ କରିବା ସମ୍ବିଧାନ ପ୍ରଣିତ ମୌଳିକ ନୀତିର ବିରୋଧ କରୁଛି ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏଥି ସହିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ଜାମିନ ଖାରଜ ନିର୍ଦ୍ଦେଶକୁ ରଦ୍ଦ କରିବା ସହିତ ଆବେଦନକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଜାମିନ ପ୍ରଦାନ ଆଦେଶ କାଏମ ରଖିଛନ୍ତି। ଏଥି ସହିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଦୁଇ ମାସ ଭିତରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୫, ଫେବ୍ରୁଆରି ୨୮ରେ ବାଲୁଗାଁ ଥାନା ପୁଲିସ୍‌ କରିଣ କୁମାର ଓ ଦାସରଥି ବେହେରାଙ୍କୁ ଗିରଫ କରି ମାର୍ଚ୍ଚ ୧ରେ ବାଣପୁର ଜେଏମଏଫସି ଅଦାଲତରେ ହାଜର କରିଥିଲା। ସେମାନଙ୍କୁ ପୁଲିସ ହାଜତରେ ନିର୍ଯାତନା ଦିଆଯାଇଥିଲା ବୋଲି ଉଭୟ କିରଣ ଓ ଦାଶରଥୀ ଅଦାଲତରେ ଅଭିଯୋଗ କରିଥିଲେ। ସେମାନଙ୍କୁ ମେଡିକାଲକୁ ପରୀକ୍ଷା ପାଇଁ ପଠା ଯାଉ ବୋଲି ଅଭିଯୁକ୍ତିଙ୍କ ପକ୍ଷରୁ ଅଦାଲତରେ ପ୍ରାର୍ଥନା କରାଯାଇଥିଲା। ଅଦାଲତ ଏପରି ଆବେଦନକୁ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ମେଡିକାଲ ରିପୋର୍ଟରେ ଅଭିଯୁକ୍ତଙ୍କ ଶରୀରରେ ୪ଟି କ୍ଷତ ଚିହ୍ନ ଥିବା ସ୍ପଷ୍ଟ ହୋଇଥିଲା। ଅଦାଲତରେ ଏହି ରିପୋର୍ଟ ଦାଖଲ ହୋଇଥିଲା। ଏହାପରେ ମାର୍ଚ୍ଚ ୭ରେ ଅଦାଲତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜାମିନରେ ଛାଡ ପାଇବା ପରେ ଅଭିଯୁକ୍ତମାନେ ସପ୍ତାହର ଦୁଇ ଦିନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷରେ ଜାମିନରେ ମୁକୁଳିବା ପରେ ଉଭୟ ଅଭିଯୁକ୍ତ ଘଟଣାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ପାଇଁ ଏସପି ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥି ସହିତ ପୁଲିସ ହେପାଜତରେ ସେମାନଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଥିବା ଦର୍ଶାଇ ଉପଯୁକ୍ତ କ୍ଷତିପୂରଣ ପାଇଁ ଉଭୟ ମାର୍ଚ୍ଚ ୧୬ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଥିଲେ।

ଅନ୍ୟପକ୍ଷରେ ଏହାପରେ ଥାନା ଅଧିକାରୀ ଏପ୍ରିଲ ୧୯ରେ ଜେଏମଏଫସି ଅଦାଲତଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ ଜାମିନରେ ଆସିବା ପରେ ଉଭୟ ଅଭିଯୁକ୍ତ ସର୍ତ୍ତ ଉଲ୍ଲଂଘନ କରିଛନ୍ତି। ଏହା ପରେ ସେମାନଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଜାମିନ୍‌ ଅଦାଲତ ଖାରଜ କରିଥିଲେ। ସେମାନଙ୍କୁ ଗିରଫ କରିବା ପାଇଁ ଅଦାଲତ ଆଦେଶ ଦେଇଥିଲେ। ଅଦାଲତଙ୍କ ଏପରି ଆଦେଶକୁ ଚାଲେଞ୍ଜ କରି ଉଭୟ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଏପରି ରିପୋର୍ଟ ପୁଲିସ ଦେଇଥିଲା। ପୂର୍ବରୁ ପ୍ରଦାନ କରାଯାଇଥିବା ଜାମିନ ରଦ୍ଦ କରିବା ପୂର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଏକାଧିକ ରାୟର ଅବତାରଣା କରି ଶ୍ରୀ ନନ୍ଦ ଦର୍ଶାଇଥିଲେ ଯେ ଏପରି କରାଯିବା ଦ୍ୱାରା ଆବେଦନକାରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି।

ସମ୍ବନ୍ଧିତ ଖବର