ଡାକ୍ତର ରବୀନ୍ଦ୍ର ଜେନାଙ୍କ ଅଡୁଆ ବଢ଼ିଲା: ହାଇକୋର୍ଟରୁ ମିଳିଲାନି ଅନ୍ତରୀଣ ସୁରକ୍ଷା

କଟକ: ଏସ୍‌ସିବି ମେଡିକାଲ କଲେଜ କ୍ଲିନିକାଲ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ଅଡୁଆ ବଢିଛି। ଭିଜିଲାନ୍ସ ମାମଲାରେ ତାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିପାରି ନାହିଁ। ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ସେ ଦାୟର କରିଥିବା ଆଗୁଆ ଜାମିନ ଆବେଦନର ଶୁଣାଣି ଆଜି ଜଷ୍ଟିସ ସି.ଆର୍‌.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଶୀତ ଅବକାଶ ପରେ କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଭିଜିଲାନ୍ସକୁ କେସ୍‌ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଶ୍ରୀ ଜେନାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ଖଣ୍ଡପୀଠ ମନା କରିଛନ୍ତି। ଏପରି ପରିସ୍ଥତିରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ନିକଟରୁ ଅନୁମତି ନେଇ ଛୁଟିରେ ଥିବା ଶ୍ରୀ ଜେନାଙ୍କ ପାଇଁ ସମସ୍ୟା ବଢିଛି। ନିକଟରେ ସମାନ ଅଭିଯୋଗରେ ଆସୋସିଏଟ୍‌ ପ୍ରଫେସର ଡାକ୍ତର ସୁଧା ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ଶ୍ରୀ ଜେନାଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଶ୍ରୀ ଜେନାଙ୍କ ସଂପର୍କରେ ଭିଜିଲାନ୍ସ ଟିମ୍‌ ଏସ୍‌ସିବି ମେଡିକାଲ ଡିନ୍‌ ତଥା ପ୍ରିନ୍ସିପାଲଙ୍କ ନିକଟରୁ ତଥ୍ୟ ସଂଗ୍ରହ କରି କେନ୍ଦ୍ରାପଡାର ମହାକାଳପଡାରେ ଚଢଉ କରିଥିଲା। ଶ୍ରୀ ଜେନାଙ୍କୁ ଗିରଫ କରିବା ପାଇଁ ଭିଜିଲାନ୍ସ ଟିମ୍‌ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରୁଥିବା ବେଳେ ବର୍ତ୍ତମାନ ହାଇକୋର୍ଟରୁ ନିରାଶ ହେବା ପରେ ଡାକ୍ତର ଜେନାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ନଭେମ୍ବର ୨୨ ତାରିଖରେ ଡାକ୍ତର ଜୋନଙ୍କ ଘରେ ଭିଜିଲାନ୍ସ ଚଢଉ କରିଥିଲା। ଚଢଉରୁ ଭିଜିଲାନ୍ସ ଡାକ୍ତର ଜେନାଙ୍କର ୩କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିବା କୁହାଯାଉଛି। ତାଙ୍କର କଟକର ୩ଟି ସ୍ଥାନରେ ଘର, ୨ଟି ସ୍ଥାନରେ ପ୍ଲଟ୍‌, ଭୁବନେଶ୍ୱରରେ ପତ୍ନୀଙ୍କ ନାଁରେ ଫ୍ଲାଟ୍‌, ପାରାଦୀପରେ ପ୍ଲଟ୍‌ ରହିଥିବା ଜଣାପଡିଛି। ଏଥି ସହିତ ତାଙ୍କ ବ୍ୟାଙ୍କ ଲକରରୁ ମଧ୍ୟ ବିପୁଳ ପରିମାଣର ସୁନା ଓ ହୀରା ଜବତ କରାଯାଇଛି। ଡାକ୍ତର ଜେନା ବିଭିନ୍ନ ସମୟରେ ବିଦେଶ ଗସ୍ତ କରିଥିବା ଘଟଣାର ମଧ୍ୟ ଖୋଳତାଡ କରାଯାଉଛି। ଉଦ୍ଦେଶ୍ୟମୂଳକ ଭାବେ ଔଷଧ କମ୍ପାନିକୁ ସୁହାଇଲା ଭଳି ପଦକ୍ଷେପ ନେଇ ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚାଇବା, ଏଥିପାଇଁ ଷଡଯନ୍ତ୍ର କରିବା ଓ ଆୟବହିର୍ଭୂତ ସଂପତ୍ତି ଠୁଳ କରିବା ଭଳି ଅଭିଯୋଗରେ ଡାକ୍ତର ଜେନାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର