ରାଉରକେଲା ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ମାମଲା : ବିଧାୟକ ସାରଦା ନାୟକଙ୍କୁ ନୋଟିସ୍

କଟକ : ରାଉରକେଲା ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାର ଆଜି ଶୁଣାଣି ହୋଇଛି। ହାଇକୋର୍ଟ ମାମଲାର ଶୁଣାଣି କରି ବିଧାୟକ ସାରଦା ନାୟକଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ଏ. ‌କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପିର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଧାୟକ ଶ୍ରୀ ନାୟକ ଲାଭଜନକ ପଦବିରେ ଥିବା ବେଳେ ନାମାଙ୍କନପତ୍ର ଦାଖଲ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି ବୋଲି ଅଭିଯୋଗ ହୋଇଛି। ତାଙ୍କ ସତ୍ୟପାଠ ଅସଂପୂର୍ଣ୍ଣ ଏବଂ ତାଙ୍କ ବିରୋଧରେ ଥିବା ମାମଲା ସଂପର୍କରେ ସେ ସଂପୂର୍ଣ୍ଣ ତଥ୍ୟ ଦେଇନଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଏପରି ପରିସ୍ଥିତିରେ ଶ୍ରୀ ନାୟକଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ଓ ତାଙ୍କୁ ରାଉରକେଲା ଆସନରୁ ବିଜୟୀ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ ବିଧାୟକ ଶ୍ରୀ ନାୟକଙ୍କ ସହିତ କଂ‌େଗ୍ରସ ପ୍ରାର୍ଥୀ ବୀରେନ ସେନାପତି, ବିଏସ୍‌ପିର ବିଷ୍ଣୁଚରଣ ‌ମହାନ୍ତ, ସୁରମା ମିଶ୍ର, ଲମ୍ବୋଦର ମହାନ୍ତ, ଧର୍ମେନ୍ଦ୍ର ମହାପାତ୍ର, ପୀତବାସ ମିଶ୍ର, ବିକାଶ ମାନସିଂ, ମହମ୍ମଦ ରିଜୱାନ ରାହିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର