ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ୱେ ପୁଲିସ ଅଧିକାରୀ ଶୁଣାଣି ସମୟରେ ଆବଶ୍ୟକ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଆଡଭୋକେଟ୍‌ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ରେକର୍ଡ ଓ ତଥ୍ୟ ପ୍ରଦାନ ପାଇଁ ଥାନାର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୁହାଯାଉ ଥିବା ବେଳେ ବହୁ ମାମଲାରେ ଏହା ମିଳି ପାରୁ ନାହିଁ। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ୱର ସହିତ ନେଇଛନ୍ତି। ଏପରି ପରିସ୍ଥିତିରେ ଜୁଲାଇ ୨୭ ତାରିଖରେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସତ୍ୟଭାମା ନାୟକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କିଶୋର ଚନ୍ଦ୍ର ରାଜଗୁୁରୁ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କୁ ଭରଣ ପୋଷଣ ଅର୍ଥ ପ୍ରଦାନ ପାଇଁ ନିମ୍ନ ଅଦାଲତ ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିବାରୁ ନିମ୍ନ ଅଦାଲତ ୨୦୧୩ରେ ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ଵାନା(ଏନ୍‌ବିଡବ୍ଲୁ) ଜାରି କରିଥିଲେ। କିନ୍ତୁ ଏନ୍‌ବିଡବ୍ଲୁ କାର୍ଯ୍ୟକାରୀ କରି ନଥିଲା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପୁଲିିସ। ପୁଲିସ ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ ୨୦୧୫ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୫, ଡିସେମ୍ବର ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ନୋଟିସ୍‌ ଜାରି କରିଥିଲେ। ଏହା ପରେ ଏକାଧିକ ଥର ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ କିନ୍ତୁ କୌଣସି ତଥ୍ୟ ଉପସ୍ଥାପନ କରାଯାଇ ନଥିଲା। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଆଡଭୋକେଟ୍‌ ଜେନେରାଲଙ୍କ କାର୍ଯ୍ୟାଳୟ ସୂତ୍ରରୁ ସଂପୃକ୍ତ ଥାନାକୁ ଓ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ବାରମ୍ବାର ମାମଲା ସଂପର୍କିତ ତଥ୍ୟ ଦାଖଲ ପାଇଁ କୁହାଯାଇଥିଲା। କିନ୍ତୁ ଏହା ସତ୍ୱେ ପୁଲିସ ପକ୍ଷରୁ କୌଣସି ତଥ୍ୟ ଦାଖଲ କରାଯାଇ ନଥିଲା। ଫଳରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ଉପସ୍ଥାପନ କରାଯାଇ ପାରି ନଥିଲା। ଏପରି ପରିସ୍ଥିତିରେ ବାରମ୍ବାର ମାମଲାର ଶୁଣାଣି ଘୁଞ୍ଚି ଚାଲିଥିଲା। ହାଇକୋର୍ଟରେ ବହୁ ମାମଲାର ଶୁଣାଣି ସମୟରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ମାମଲାର ଶୁଣାଣିରେ ଅଯଥା ବିଳମ୍ବ ହେଉଛି ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର