ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଇ ମାସ ଭିତରେ ସବୁ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ

କଟକ : ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନକୁ ନେଇ ରହିଥିବା ପୂର୍ବ ନିର୍ଦ୍ଦେଶକୁ ଦୁଇ ମାସ ଭିତରେ ପାଳନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଓଡ଼ିଶା ଉପଭୋକ୍ତା ସଂଘ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଥିଲା। ପ୍ରତି ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ ସଂପର୍କିତ ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ୨ ମାସ ମହଲତ ଖଣ୍ଡପୀଠ ପ୍ରଦାନ କରିଥିଲେ। ଯଦି ଏଥିରେ ଅବହେଳା କରାଯାଏ ତେବେ ପରବର୍ତ୍ତୀ ଶୁଣାଣି ସମୟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର, ବିରଜା ପ୍ରସନ୍ନ ବଳ, ଅରୁଣ କୁମାର ସାହୁ ଓ ପ୍ରଶାନ୍ତ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଖାଉଟିଙ୍କ ଅଧିକାର ସୁରକ୍ଷା ତଥା ହିତ ପାଇଁ ଆଇନ ଅନୁସାରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଖାଉଟି ସୁରକ୍ଷା ପରିଷଦ ଗଠନ ପାଇଁ ସଂଘ ପକ୍ଷରୁ ୨୦୦୮ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏଥି ସହିତ ପରିଷଦ ଗଠନ ପରେ ଏଥିରେ ସଦସ୍ୟ ନିଯୁକ୍ତି ପାଇଁ ମଧ୍ୟ ଆବେଦନରେ ପ୍ରାର୍ଥନା କରାଯାଇଥିଲା। ୨୦୦୮, ଅକ୍ଟୋବର ୨୭ରେ ମାମଲାର ଶୁଣାଣି କରି ହାଇକୋର୍ଟ ସମସ୍ତ ଜିଲ୍ଲାରେ ୬ମାସ ମଧ୍ୟରେ ଖାଉଟି ସୁରକ୍ଷା ପରିଷଦ ଗଠନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ଏଥି ସହିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପ୍ରତି ମାସରେ ଉପଭୋକ୍ତାଙ୍କ ବୈଠକ ଆୟୋଜନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟ ସରକାର ପାଳନ କରି ନଥିଲେ। ଏ ନେଇ ସଂଘ ପକ୍ଷରୁ ଅଦାଲତ ଅବମାନନା ମାମଲା ୨୦୦୯ ମସିହାରେ ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର