ରେଭେନ୍‌ସା ବିଶ୍ୱବିଦ୍ୟାଳୟ ନିଯୁକ୍ତି ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

କଟକ : ରେଭେନ୍‌ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର, ପ୍ରାଧ୍ୟାପକ ଓ ଅଧ୍ୟାପକ ନିଯୁକ୍ତି ପାଇଁ ୨୦୧୬, ଜାନୁଆରି ୨୯ରେ ଜାରି ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ଆଇନ ଅନୁସାରେ ସାନି ବିଜ୍ଞପ୍ତି ପ୍ରକାଶ କରି ନିଯୁକ୍ତି ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରେଭେନ୍ସାର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଡକ୍ଟର ଦୀନେଶ ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ୧୫ ଜଣ ବଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲା ସହିତ ନିଯୁକ୍ତି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଡକ୍ଟର ସୁଜାତା ମିଶ୍ର, ଡକ୍ଟର ମନୋରଂଜନ ବେହୁରା, ସଂହିତା ପାଢୀ, ଡକ୍ଟର ନନ୍ଦିନୀ ମିଶ୍ର, ଡକ୍ଟର ଗାୟତ୍ରୀ ହାଲଦାର ପ୍ରମୁଖଙ୍କ ତରଫରୁ ଦାୟର ପୃଥକ ମାମଲା ଗୁଡିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଏଥି ସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ରେଭେନ୍ସା କୁଳପତିଙ୍କ ବିରୋଧରେ ଦାୟର ସମସ୍ତ ଅଦାଲତ ଅବମାନନା ମାମଲାର ମଧ୍ୟ ଆଜି ଅନ୍ତ ଘଟିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର ମିଶ୍ର, ଜୟନ୍ତ ରଥ, ଆଇନଜୀବୀ କାଳୀ ପ୍ରସନ୍ନ ମିଶ୍ର, ବିଜ୍ଞାନ ଶର୍ମା, ଶାଶ୍ୱତ ଦାସ, କ୍ଷୀରୋଦ ରାଉତ ଏବଂ ରେଭେନ୍ସା ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋରଂଜନ ମହାନ୍ତି, ଆଇନଜୀବୀ ପ୍ରତାପ ଚନ୍ଦ୍ର ମିଶ୍ର ଓ କବିର କୁମାର ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର