ଜୁନ୍ ୧୮ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଉଚ୍ଛେଦ କରାଯାଇ ପାରିବ ନାହିଁ: ହାଇକୋର୍ଟ

କଟକ: ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଉଚ୍ଛେଦ କରାଯାଇ ପାରିବ ନାହିଁ। କୌଣସି ନାଗରିକ ବା ଅନୁଷ୍ଠାନର ସଂପତ୍ତି ନିଲାମ ପାଇଁ ବ୍ୟାଙ୍କ ପଦକ୍ଷେପ ନେଇ ପାରିବ ନାହିଁ। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ ସ୍ଥିତିରେ ଲୋକମାନେ ନିଜ ଆଇନଗତ ସମସ୍ୟାର ପ୍ରତିକାର ପାଇଁ ଅଦାଲତରେ ପହଞ୍ଚିବାରେ ସୃଷ୍ଟି ହୋଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଚିତ୍ତରଂଜନ ଦାଶ ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ କୋର୍ଟ, ଟ୍ରିବୁନାଲ, ଜୁଡିସିଆଲ ଓ କ୍ବାସିଜୁଡିସିଆଲ କର୍ତ୍ତୃପକ୍ଷ ମାନିବାକୁ ବାଧ୍ୟ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ଲୋକ ଯେଭଳି ସମସ୍ୟା ନ ଭୋଗିବେ ତାହା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ ସମ୍ବିଧାନର ଧାରା ୨୨୬, ୨୨୭, ସିଆରପିସିର ଧାରା ୪୮୨, ୪୮୩ ଓ ସିପିସିର ଧାରା ୧୫୧ରେ ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗ କରି ଏପରି ରାୟ ପ୍ରଦାନ କରିଛନ୍ତି।

ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି ଯେ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ, ସୁରକ୍ଷା ୨୦୨୦ ଜୁନ୍ ୧୮ ପର୍ଯ୍ୟନ୍ତ ସଂପ୍ରସାରିତ ହେବ। ହାଇକୋର୍ଟଙ୍କ ଅଧୀନରେ ଥିବା ରାଜ୍ୟର ସମସ୍ତ ସର୍ବ-ଅର୍ଡିନେଟ୍ କୋର୍ଟ, ପରିବାର ଅଦାଲତ, ‌ଶ୍ରମ ଅଦାଲତ, ଟ୍ରିବୁନାଲ, ଜୁଡିସିଆଲ ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ଅନ୍ତରୀଣ ନିର୍ଦ୍ଦେଶ ଯଦି ଲକ୍‌ଡାଉନ ଆରମ୍ଭ ସମୟରେ ବଳବତ୍ତର ଥିବ ତେବେ ଏହାର ଅବଧି ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଯଦି ରାଜ୍ୟର କୌଣସି ଅଦାଲତର ଅନ୍ତରୀଣ ନିର୍ଦ୍ଦେଶର ସମୟ ସୀମା ନଥିବ ଓ ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଆଦେଶ ରହିଥିବ ତେବେ ନିର୍ଦ୍ଦିଷ୍ଟ ମାମଲାରେ ଏହା ସଂଶୋଧିତ ବା ଉଠାଇଦେବା ପାଇଁ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଯଦି କୌଣସି ସିଭିଲ କୋର୍ଟ କିମ୍ବା ଅନ୍ୟ ଫୋରମରେ ବିଚାରାଧୀନ ସୁଟ୍‌ ବା ମାମଲାରେ ରିଟିନ୍ ଷ୍ଟେଟମେଣ୍ଟ ବା ଜବାବ ଦାଖଲ ପାଇଁ ନିର୍ଦ୍ଦି‌ଷ୍ଟ ତାରିଖ ସଂପର୍କରେ ଆଦେଶ ନ ଥାଏ ତେବେ ଏଥି ପାଇଁ ସମୟସୀମା ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

ଅନ୍ୟପକ୍ଷରେ ଯଦି ପକ୍ଷ ଚାହିଁବେ ତେବେ ଜୁନ୍ ୧୮ ତାରିଖ ପୂର୍ବରୁ ନିଜ ଜବାବ ବା ରିଟିନ୍ ଷ୍ଟେଟମେଣ୍ଟ ଦାଖଲ କରି ପାରିବେ। ଏଥି ସହିତ ଉଚ୍ଛେଦ, ସ୍ଥାନାନ୍ତରଣ ଓ ଭାଙ୍ଗିବା ସଂକ୍ରାନ୍ତରେ ହାଇକୋର୍ଟ ସହିତ ସମସ୍ତ ସବ୍-ଅର୍ଡିନେଟ୍ କୋର୍ଟ, ଟ୍ରିବୁନାଲ, ଜୁଡିସିଆଲ କିମ୍ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ନିର୍ଦ୍ଦେଶ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ। ରାଜ୍ୟ ସରକାର, ସରକାରଙ୍କ କୌଣସି ବିଭାଗ, ପୌର ନିଗମ, ପରିଷଦ, ବୋର୍ଡ, ଗ୍ରାମ ପଞ୍ଚାୟତ, ଲୋକାଲ ବଡି ବା ଅନ୍ୟ ଏଜେନ୍ସି କୌଣସି ବ୍ୟକ୍ତିବିଶେଷ ବା ଅନୁଷ୍ଠାନର ଦଖଲରେ ଥିବା ଜମି ବା ସଂପତ୍ତିରୁ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ଉଚ୍ଛେଦ ଓ ନିର୍ମାଣ ଭାଙ୍ଗିବା ପାଇଁ ପଦକ୍ଷେପ ଗ୍ରହଣ କରି ପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଜନସାଧରଣଙ୍କ ବୃହତର ଜରୁରୀ ସ୍ବାର୍ଥ ଦୃଷ୍ଟିରୁ ଯଦି ଉଚ୍ଛେଦ ବା ନିର୍ମାଣ ଭଙ୍ଗାଯିବା କାର୍ଯ୍ୟ ସରକାରଙ୍କ ପାଇଁ ଆବଶ୍ୟକ ଥାଏ ତେବେ ଏହି ନିର୍ଦ୍ଦେଶ ଲାଗୁ ହେବ ନାହିଁ।  ଏଥି ସହିତ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା କୌଣସି ବ୍ୟକ୍ତି ବା ଅନୁଷ୍ଠାନର ସଂପତ୍ତି ନିଲାମ ପାଇଁ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ପଦକ୍ଷେପ ଗ୍ରହଣ କରି ପାରିବେ ନାହିଁ।

ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଓ ସେସନ୍ସ କୋର୍ଟ ପୂର୍ବରୁ ପ୍ରଦାନ କରିଥିବା ସମସ୍ତ ଅନ୍ତରୀଣ ସୁରକ୍ଷାର ଅବଧି ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯଦି ‌ଆଗୁଆ ଜାମିନ ମାମଲାରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷାର ଅବଧି ଇତିମଧ୍ୟରେ ସରି ଯାଇଥାଏ କିମ୍ବା ଆଜି ଶେଷ ହୋଇଥାଏ ତେବେ ଏହା ପୂର୍ବଭଳି ଜୁନ୍ ୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅନ୍ୟପକ୍ଷରେ ଯଦି କୌଣସି ପକ୍ଷ ଅନ୍ତରୀଣ ସୁରକ୍ଷା ପାଇଥିବା ଅଭିଯୁକ୍ତର ଆଚରଣ ଦ୍ବାରା ଅସନ୍ତୁଷ୍ଟ ହୁଅନ୍ତି ତେବେ ମାମଲା ବିଚାରାଧୀନ ଥିବା ଅଦାଲତରେ ସେ ଅନ୍ତରୀଣ ସୁରକ୍ଷା ରଦ୍ଦ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଆଜି ସ୍ପଷ୍ଟ କରାଯାଇଛି। ହାଇକୋର୍ଟ ଓ ସେସନ୍ସ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଯଦି କୌଣସି ବ୍ୟକ୍ତି ଅନ୍ତରୀଣ ଜାମିନରେ ଜେଲରୁ ଛାଡ ପାଇଥାନ୍ତି ଓ ଏହି ଜାମିନର ନିର୍ଦ୍ଦିଷ୍ଟ ଅବଧି ଧାର୍ଯ୍ୟ କରାଯାଇ ଥାଏ ତେବେ ଏହି ଅନ୍ତରୀଣ ଜାମିନର ସମୟସୀମା ସର୍ତ୍ତମୂଳକ ଭାବେ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଅନ୍ତରୀଣ ଜାମିନରେ ଥିବା ବ୍ୟକ୍ତି ନିଜ ଜାମିନର ଅସଦବ୍ୟବହାର କରୁ ନାହାନ୍ତି ଓ ଅଦାଲତଙ୍କ ଜୁରିସଡିକ୍ସନ୍ ଭିତରେ ରହୁଛନ୍ତି ବୋଲି ଦର୍ଶାଇ ଏକ ସତ୍ୟପାଠ ସହିତ ପିଟିସନ୍ ପ୍ରତି ୧୦ ଦିନରେ ଥରେ ଓକିଲଙ୍କ ମାଧ୍ୟମରେ ଅଦାଲତରେ ଦାଖଲ କରିବେ। ଯଦି କୌଣସି ବ୍ୟକ୍ତି ଅଦାଲତଙ୍କ ନିର୍ଦ୍ଦେଶରେ ଜେଲରୁ ପାରୋଲରେ ଛାଡ ପାଇଥାନ୍ତି ଓ ଏହାର ଏକ ନିର୍ଦ୍ଦିଷ୍ଟ ଅବଧି ଶେଷ ହେବାର ତାରିଖ ଥାଏ ତେବେ ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଏପରି ଅବଧି ବୃଦ୍ଧି କରାଯିବ।

୭ ବର୍ଷ ଦଣ୍ଡାଦେଶ ଥିବା ମାମଲାରେ ଅଭିଯୁକ୍ତର ଗିରଫଦାରୀ ଉପରେ ଅଙ୍କୁଶ ଜାରି କରାଯାଇଛି। ଯଦି କୌଣସି ମାମଲାରେ ଲାଗିଥିବା ଦଫା କଗନିଜିବଲ୍ ହୋଇଥାଏ ଓ ସର୍ବାଧିକ ଦଣ୍ଡାଦେଶ ୭ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ତେବେ ସିଆରପିସିର ଧାରା ୪୧(କ) ପାଳନ ନ କରି ପୁଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତରବର ହେବ ନାହିଁ। ଏଭଳି ବ୍ୟବସ୍ଥା ଜୁନ୍ ୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ପୁଲିସର ଗିରଫ କରିବା ସଂପର୍କିତ କ୍ଷମତା ନିଷେଧ ବା ତା ଉପରେ ପ୍ରତିବନ୍ଧକ ନୁହେଁ, କିନ୍ତୁ ଦେଖା ଦେଇଥିବା ପରିସ୍ଥିତିରେ ଯଥା ସମ୍ଭବ ପ୍ରତ୍ୟକ୍ଷଭାବେ ପାଳନ ପାଇଁ ଏକ ପରାମର୍ଶ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ହାଇକୋର୍ଟ, ସବ୍-ଅର୍ଡିନେଟ୍ କୋର୍ଟ, ଟ୍ରିବୁନାଲ କିମ୍ବା ଅନ୍ୟ କୌଣସି ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ  ପାଇଁ ରାଜ୍ୟ ସରକାର, ସରକାରୀ ବିଭାଗର ଅଧିକାରୀ, କେନ୍ଦ୍ର ସରକାର, ବିଭାଗର ଅଧିକାରୀ, ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ପବ୍ଲିକ୍ ଓ ପ୍ରାଇଭେଟ  କମ୍ପାନି, ଫାର୍ମ ବା ବ୍ୟକ୍ତିବିଶେଷଙ୍କ ପାଇଁ ଯଦି ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଲକ୍‌ଡାଉନ ବେଳେ ଶେଷ ହୋଇଥାଏ ବା ଶେଷ ହେବାକୁ ଯାଉଥାଏ ତେବେ ଏହି ଅବଧିକୁ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ଆବେଦନକାରୀ ଆଇନଜୀବୀ ବିଜୟ କୁମାର ରଗଡ, ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଗୋପାଳକୃଷ୍ଣ ମହାନ୍ତି, ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅନୁପ କୁମାର ବୋଷ ପ୍ରମୁଖ ଉପସ୍ଥିତ ରହି ଖଣ୍ଡପୀଠଙ୍କୁ ଦେଖା ଦେଇଥିବା ପରିସ୍ଥିତି ସଂପର୍କରେ ଅବଗତ କରିଥିଲେ।

ସମ୍ବନ୍ଧିତ ଖବର