ଆଇଏମ୍‌ଏରୁ ଡିଗ୍ରିଧାରୀ ଚାକିରି ଓ ଉଚ୍ଚଶିକ୍ଷାରୁ ବଞ୍ଚିତ ଅଭିଯୋଗ : ହାଇକୋର୍ଟଙ୍କ ଜବାବ ତଲବ

କଟକ : ଭୁବନେଶ୍ୱର ଅନ୍ଧାରୁଆସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଥମେଟିକ୍ସ ଆଣ୍ଡ୍‌ ଆଣ୍ଡ ଆପ୍ଲିକେସନ୍ସ (ଆଇଏମ୍‌ଏ) ଅନୁଷ୍ଠାନରୁ ଏମ୍‌ଏ/ଏମ୍‌ଏସ୍‌ସି ଇନ୍‌ କମ୍ପ୍ୟୁଟେସନାଲ ଫାଇନାନ୍ସ ଡିଗ୍ରି ହାସଲ କରିଥିବା ପ୍ରାର୍ଥୀମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ବିଜ୍ଞାନ ଓ କାରିଗରୀ ବିଭାଗ ସଚିବ, ଉଚ୍ଚଶିକ୍ଷା ସଚିବ, ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ ୟୁଜିସିକୁ ନୋଟିସ୍‌ ଜାରି କରିଛନ୍ତି। ଏମ୍‌ଏ/ଏମ୍‌ଏସ୍‌ସି ଇନ୍‌ କମ୍ପ୍ୟୁଟେସନାଲ ଫାଇନାନ୍ସ ଡିଗ୍ରି ଅନ୍ୟ କେଉଁ ଡିଗ୍ରି ସହିିତ ସମକକ୍ଷ ସେ ନେଇ ପ୍ରତିପକ୍ଷ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ଏ.କେ.ରଥଙ୍କୁ ଗଠିତ ଖଣ୍ଡପୀଠ ସୁନୀଲ କୁମାର ସାହୁ ଓ ଅନ୍ୟ ୯ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଭୁ ପିତ୍ୟାର୍ଥୀ କୁମାର ପଣ୍ଡିତ ମାମଲା ପରିଚାଳନା କରୁଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଏମ୍‌ଏ/ଏମ୍‌ଏସ୍‌ସି ଇନ୍‌ କମ୍ପ୍ୟୁଟେସନାଲ ଫାଇନାନ୍ସ ଡିିଗ୍ରି ହାସଲ କରିଥିବା ପ୍ରାର୍ଥୀ ବର୍ତ୍ତମାନ ହତାଶ ଅବସ୍ଥାରେ ବୁଲୁଛନ୍ତି। ଏଡି ଡିଗ୍ରି ଏମ୍‌ବିଏ(ଫାଇନାନ୍ସ) ସହିତ ସମକକ୍ଷ ନାଁ ଅନ୍ୟ କେଉଁ ଡିଗ୍ରି ସହିତ ସମକକ୍ଷ ତାହା ସ୍ପଷ୍ଟ ହୋଇ ପାରୁ ନାହିଁ। ଫଳରେ ଏହି ଡିିଗ୍ରି ହାସଲ କରିଥିବା ପ୍ରାର୍ଥୀମାନେ ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ସୁବିଧା ପାଇ ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର