ବିଂଝାରପୁର ସଂରକ୍ଷିତ ଆସନ : ନିର୍ବାଚନ କମିସନଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଂଝାରପୁର : ଦୀର୍ଘ ୫୭ ବର୍ଷ ହେବ ବିଂଝାରପୁର ବିଧାନସଭା ଆସନ ସଂରକ୍ଷିତ ରହିଥିବା ନେଇ ଆଗତ ଏକ ମାମଲାକୁ ଗ୍ରହଣ କରି ହାଇକୋର୍ଟ ନିର୍ବାଚନ କମିସନଙ୍କୁ ଜବାବ ମାଗିଛନ୍ତି। ଦେଢ଼ମାସ ମଧ୍ୟରେ ଏହି ଜବାବ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଂଝାରପୁର ବିଧାନସଭା ଆସନଟି ୧୯୬୭ ମସିହା ସାଧାରଣ ନିର୍ବାଚନରେ ବିଞ୍ଝାରପୁର ବିଧାନସଭା ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିଲା। ଦୀର୍ଘ ୫୭ ବର୍ଷ ହେବ ଏହି ଆସନଟି ସଂରକ୍ଷିତ ହୋଇ ରହିଛି। ଅନ୍ୟାନ୍ୟ ଆସନ ପରିବର୍ତ୍ତନ ହେଉଥିବା ବେଳେ ଏହି ଆସନ ଦୀର୍ଘ ବର୍ଷ ଧରି ସଂରକ୍ଷିତ ରହିବାକୁ ବିଂଝାରପୁର ବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ୧୯୬୧ ମସିହାରେ ଶେଷଥର ପାଇଁ ଅଣସଂରକ୍ଷିତ ଆସନ ଥିଲା। ଏହି ଆସନକୁ ପୁଣି ଥରେ ସାଧାରଣ ବର୍ଗରେ ପରିବର୍ତନ କରିବାକୁ ସ୍ଥାନୀୟ ଲୋକେ ଅଣ୍ଟା ଭିଡିଛନ୍ତି। ବିଂଝାରପୁର ବ୍ଲକର କଏଣା ରଘୁନାଥପୁର ପଞ୍ଚାୟତର ପତ୍ନୀ ଅଜପା ଦାସ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶ୍ରୀମତୀ ଦାସ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ବିଂଝାରପୁର ବିଧାନସଭା ଆସନଟି ଦୀର୍ଘ ୫୭ ବର୍ଷ ହେବ ସରଂକ୍ଷିତ। ୫୭ ବର୍ଷ ମଧ୍ୟରେ ଦେଶର ଅଧିକାଂଶ ଆସନ ପର୍ଯ୍ୟାୟକ୍ରମେ ପରିବର୍ତନ ହୋଇଥିବା ବେଳେ ବିଂଝାରପୁର ବିଧାନସଭା ଆସନ କାହିଁକି ପରିବର୍ତନ ହୋଇନାହିଁ ବୋଲି ଆବେଦନକାରୀ କୋର୍ଟଙ୍କ ଦୃଷ୍ଟି ଆକର୍ଷର୍ଣ କରିଥିଲେ। ହାଇକୋର୍ଟ ଆବେଦନର ବିଚାର କରି ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କୁ ପକ୍ଷଭୁକ୍ତ କରିବା ସହିତ ନିର୍ବାଚନ କମିସନଙ୍କୁ ଜବାବ ତଲବ କରିଛନ୍ତି।

ଗତ ୧୬ ତାରିଖ ଦିନ ହାଇକୋର୍ଟର ମୁଖ୍ୟ ବିଚାରପତି କଳ୍ପେଶ ଜାଭେରୀ ଓ ବିଚରାପତି ଇନ୍ଦ୍ରଜିତ ମହାନ୍ତି ମାମଲାକୁ ବିଚାର କରି ଆସନ୍ତା ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର