ଫ୍ରାଞ୍ଚାଇଜ୍‌ କମ୍ପାନିକୁ ବିଦ୍ୟୁତ ବିଭାଗର କ୍ଷମତା ପ୍ରଦାନ ପ୍ରସଂଗ : ହାଇକୋର୍ଟ ଲୋଡିଲେ ସ୍ପଷ୍ଟୀକରଣ

କଟକ : ବିଦ୍ୟୁତ ବିଭାଗରେ ଫ୍ରାଞ୍ଚାଇଜ୍‌ କମ୍ପାନିର ଅଧିକାରୀଙ୍କ ଆଇନ ଅନୁସାରେ ଆସେସିଂ ଅଫିସର କ୍ଷମତା ରହିଛି କି ନାହିଁ ସେ ସଂପର୍କରେ ସ୍ପଷ୍ଟ କରିବା ପାଇଁ ରାଜ୍ୟ ଶକ୍ତି ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍ଟ୍ରିସିଟି ଆକ୍ଟ, ୨୦୦୩ର ଧାରା ୧୨୬ରେ କୌଣସି ଗ୍ରାହକଙ୍କ ବିଦ୍ୟୁତ ଲୋଡ୍‌ ଯାଞ୍ଚ ଓ ଆକଳନ(ଆସେସମେଣ୍ଟ) ସଂପର୍କିତ କ୍ଷମତା ରାଜ୍ୟ ଶକ୍ତି ବିଭାଗ ଫ୍ରାଞ୍ଚାଇଜି କମ୍ପାନିକୁ ପ୍ରଦାନ କରି ପାରିବେ ବା ନାହିଁ ସେ ସଂପର୍କରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଗ୍ଲୋବାଲ ଫିଡ୍ସ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ୱାଇଁ, ଭବାନୀ ଶଙ୍କର ତ୍ରିପାଠୀ, ଅତୁଲ ତ୍ରିପାଠୀ ଓ ସରକାରଙ୍କ ପକ୍ଷରୁ ଏଜିଏ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ୨୦୧୩, ଜାନୁଆରି ୧୧ରେ ବିଜ୍ଞପ୍ତି ପ୍ରକାଶ କରି ଫ୍ରାଞ୍ଚାଇଜ୍‌ କମ୍ପାନିକୁ ଧାରା ୧୨୬ରେ ଥିବା କ୍ଷମତା ପ୍ରଦାନ କରିଥିଲେ। ଧାରା ୧୨୬ରେ ଥିବା ବ୍ୟବସ୍ଥା ଅନୁସାରେ ବିଦ୍ୟୁତ ବିଭାଗ, ଲାଇସେନ୍ସି ଓ ବିଦ୍ୟୁତ ବୋର୍ଡର ଅଧିକାରୀ ଆସେସିଂ ଅଫିସର ଭାବେ କ୍ଷମତା ପ୍ରୟୋଗ କରି ପାରିବେ। କିନ୍ତୁ ସରକାର ବିଜ୍ଞପ୍ତି ପ୍ରକାଶ କରି ଆସେସିଂ ଅଫିସର କ୍ଷମତା ଫେଡ୍‌କୋ ଭଳି ଫ୍ରାଞ୍ଜଇଜ୍‌ କମ୍ପାନିକୁ ପ୍ରଦାନ କରିଥିଲେ। ଫ୍ରାଞ୍ଜଇଜ୍‌ କମ୍ପାନି ଅଧିକାରୀ ଆସେସିଂ ଅଫିସର କ୍ଷମତା ପ୍ରୟୋଗ କରି ଆବେଦନକାରୀ ସଂସ୍ଥା ଉପରେ ଲକ୍ଷାଧିକ ଟଙ୍କା ଜରିମାନା କରିଥିଲେ। ଫ୍ରାଞ୍ଚାଇଜ୍‌ କମ୍ପାନି ଅଧିକାରୀ କେଉଁ ଆଇନ ବଳରେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ତର୍ଜମା କରାଯିବା ଆବଶ୍ୟକ। ଏଥି ସହିତ ୨୦୧୩, ଜାନୁଆରି ୧୧ ବିଜ୍ଞପ୍ତିର ବୈଧତାକୁ ନେଇ ମଧ୍ୟ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏପରି ବିଜ୍ଞପ୍ତି ଆଇନ ଉଲ୍ଲଂଘନ କରୁଛି ଓ ଏହା ରଦ୍ଦ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର