ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଏ.ମୋହତାଙ୍କ ପରଲୋକ

କଟକ: ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଏ.ମୋହତାଙ୍କ ପରଲୋକ ଘଟିଛି। ମହାରାଷ୍ଟ୍ରର ଅକୋଲାରେ ଆଜି ସଂଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଜଷ୍ଟିସ ମୋହତା ୧୯୯୪, ସେପ୍ଟେମ୍ବର ୨୮ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୧୯୯୫, ଏପ୍ରିଲ ୨୫ ପର୍ଯ୍ୟନ୍ତ ସେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ୧୯୩୩, ଏପ୍ରିଲ ୨୬ରେ ମହାରାଷ୍ଟ୍ରର ଅକୋଲାରେ ଜନ୍ମିତ ଜଷ୍ଟିସ ମୋହତା ନାଗପୁର ଆଇନ କଲେଜରୁ ଏଲଏଲବି ପାସ୍‌ କରିବା ପରେ ଓକିଲାତି କରିଥିଲେ। ମହାରାଷ୍ଟ୍ର ଆଇନଜୀବୀ ପରିଷଦର ସେ ଦୁଇ ଥର ସଦସ୍ୟ ନିର୍ବାଚିତ ହୋଇଥିଲେ। ୧୯୭୪ରେ ସେ ପରିଷଦର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୯, ଏପ୍ରିଲ ୨୭ରେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ଏହା ପରେ ୧୯୯୪ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବା ସମୟରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ଆଇନ ସଂକ୍ରାନ୍ତରେ ସେ ଅନେକ ଉପାଦେୟ ପ୍ରବନ୍ଧ ଲେଖିଥିବା ବେଳେ ଶ୍ରୀଲଙ୍କା, ପାକିସ୍ତାନ, ଭୁଟାନରେ ଅନୁଷ୍ଠିତ ସାର୍କ ଆଇନ ସମ୍ମେଳନରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଲିଗାଲ ଏଡ୍‌ ଯୋଜନା ପ୍ରଣୟନ କମିଟିରେ ମଧ୍ୟ ସେ ସଦସ୍ୟ ଥିଲେ।  ୧୯୯୩, ଏପ୍ରିଲ ୨୬ରେ ଔରଙ୍ଗାବାଦରେ ବାୟୁସେନା ବିମାନ ଦୁର୍ଘଟଣା ତଦନ୍ତ କମିଟିର ସେ ଅଧ୍ୟକ୍ଷ ଥିଲେ। ତାଙ୍କ ବିୟୋଗରେ ଆଇନଜୀବୀ ମହଲରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର