ବାଲ୍ୟ ବିବାହ ନିଷେଧ ଆଇନ୍‌ ସଂକ୍ରାନ୍ତ ଉଚ୍ଚସ୍ତରୀୟ କମିଟି ଗଠିତ

ଭୁବନେଶ୍ବର : ଓଡ଼ିଶାରେ ୨୧ ପ୍ରତିଶତ ନାବାଳିକା ବିବାହର ପ୍ରକୃତ ଅର୍ଥ କ’ଣ ବୁଝି ନଥିବାବେଳେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯ‌ାଆନ୍ତି। ସେହିଭଳି ୮ ପ୍ରତିଶତ ନାବାଳିକା ବିବାହ ପୂର୍ବରୁ ଅବୈଧ ଭାବେ ଗର୍ଭବତୀ ହୋଇଥାନ୍ତି ବୋଲି ‘ନ୍ୟାସ୍‌ନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୪’ର ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶାର ଉତ୍କଟ ଦାରିଦ୍ର୍ୟ, ଶିକ୍ଷା ଓ ସଚେତନତାର ଅଭାବ ବାଲ୍ୟ ବିବାହର ମୁଖ୍ୟ କାରଣ ବୋଲି ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ଓଡ଼ିଶାରେ ବାଲ୍ୟ ବିବାହ ଘଟଣା ବୃଦ୍ଧି ପାଇବା ଏବଂ ‘ପ୍ରୋହିବିସନ୍‌ ଅଫ୍‌ ଚାଇଲ୍‌ଡ ମ୍ୟାରେଜ୍‌ ଆକ୍‌ଟ-୨୦୦୬’ ସଠିକ ଭାବେ କାର୍ଯ୍ୟକାରୀ ନ ହେବା ନେଇ ସାମାଜିକ କର୍ମୀ ଘାସିରାମ ପଣ୍ଡା ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିବା ପରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମ୍‌ କୋର୍ଟର ନିର୍ଦ୍ଦେଶ ଅନୁସାରେ, ଓଡ଼ିଶାରେ ବାଲ୍ୟ ବିବାହକୁ ରୋକିବା ଉଦ୍ଦେଶ୍ୟରେ ବାଲ୍ୟ ବିବାହ ନିଷେଧ ଆଇନ୍‌-୨୦୦୬ (ପିସିଏମ୍‌ଏ-୨୦୦୬) ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିସନ ଶକ୍ତିର ପ୍ରମୁଖ ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ଥିଲାବେଳେ ମିସନ ଶକ୍ତିର ନିର୍ଦ୍ଦେଶକ ଏହାର ଆବାହକ ସଦସ୍ୟ ଅଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ (ଡବ୍‌ଲ୍ୟୁଡବ୍‌ଲ୍ୟୁ)ର ଯୁଗ୍ମ ସଂପାଦକ, ମହିଳା ଓ ଶିଶୁ ବିକାଶ ବିଭାଗ (ସିଡବ୍‌ଲ୍ୟୁ)ର ଯୁଗ୍ମ ସଂପାଦକ, ମହିଳା ଓ ଶିଶୁ ବିକାଶ ବିଭାଗର ଆଇନ୍‌ ପରାମର୍ଶଦାତା, ଏସ୍‌ପିସି,ଏସ୍‌ପିଏମ୍‌ୟୁ, ୟୁନିସେଫ୍‌ର ମୁଖ୍ୟ ‌କ୍ଷେତ୍ର ଅଧିକାରୀ, ୟୁଏନ୍‌ଏଫ୍‌ପିଏ, ଓଡ଼ିଶାର ଏସ୍‌ପିସି ଏବଂ ସାମାଜିକ କର୍ମୀ ଘାସିରାମ ପଣ୍ଡା ଏହି କମିଟିର ସଦସ୍ୟ ଅଛନ୍ତି।

ବିଶେଷକରି ଓଡ଼ିଶାର ଆଦିବାସୀବହୁଳ ଅଞ୍ଚଳରେ ଶିକ୍ଷା ଓ ସଚେତନତା‌ ଅଭାବରୁ ନାବାଳିକାଙ୍କୁ ବାଲ୍ୟ ବିବାହର ଶିକାର ହେବାକୁ ପଡ଼ିଥାଏ। ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ମାଲ୍‌କାନ୍‌ଗିରି, ରାୟଗଡ଼ା, ନୂଆପଡ଼ା ଭଳି ଜିଲ୍ଲାରେ ବାଲ୍ୟ ବିବାହ ସମସ୍ୟା ଉତ୍କଟ ବୋଲି ବାଲ୍ୟ ବିବାହ ଉପରେ କାର୍ଯ୍ୟ କରୁଥିବା ସଂଗଠନ ‘ଆକ୍ସନ ଏଡ୍‌’ର ପ୍ରୋଗ୍ରାମ ସଂଯୋଜକ ଘାସିରାମ ପଣ୍ଡା ସୂଚନା ଦେଇଛନ୍ତି। ବାଲ୍ୟ ବିବାହର ଜାତୀୟ ହାର ୨୭ ପ୍ରତିଶତ ଥିବାବେଳେ ଓଡ଼ିଶାର ହାର ୨୧ ପ୍ରତିଶତ ରହିଛି। ମାତ୍ର ଆଦିବାସୀବହୁଳ ଜିଲ୍ଲାରେ ଏହି ହାର ଚିନ୍ତାର କାରଣ। ମାଲ୍‌କାନ୍‌ଗିରି ଜିଲ୍ଲାରେ ବାଲ୍ୟବିବାହ ହାର ୩୯.୩ ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ୩୭.୯, କୋରାପୁଟ ଜିଲ୍ଲାରେ ୩୪.୭, ରାୟଗଡ଼ା ଜିଲ୍ଲାରେ ୩୪.୪, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଏହି ହାର ୩୫ ରହିଛି। ଯଦିଓ ଓଡ଼ିଶାର ହାର ଜାତୀୟ ହାର ତୁଳନାରେ ଭଲ ରହିଛି, ତେବେ ଓଡ଼ିଶାର ଏସବୁ ଜିଲ୍ଲାରେ ବାଲ୍ୟ ବିବାହ ସମସ୍ୟା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଓଡ଼ିଶାରେ ବିଶେଷକରି ଆଦିବାସୀ ବସବାସ କରୁଥିବା ଅଞ୍ଚଳରେ ଶିକ୍ଷାନୁଷ୍ଠାନମାନଙ୍କରେ ନାବାଳିକାମାନଙ୍କ ପ୍ରତି ଯୌନ ନିର୍ଯାତନାର ହାର ମଧ୍ୟ ଅଧିକ ବୋଲି ସାମାଜିକ କର୍ମୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର