ପାଣିରେ ରହିଛି ବିଷ ! ରାଜ୍ୟର ୬ଟି ଜିଲ୍ଲାର ଭୂତଳ ଜଳରେ ରହିଛି ମାତ୍ରାଧିକ ଫ୍ଲୋରାଇଡ, ରୋଗର କାରଣ ହୋଇପାରେ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ପାନୀୟ ଜଳସମସ୍ୟା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଆସିବା ପୂର୍ବରୁ ହିଁ ରାଜ୍ୟରେ ଜଳକଷ୍ଟ ଦେଖିବାକୁ ମିଳିଲାଣି । ଏପରିକି ଭୂତଳ ଜଳ ଧୀରେ ଧୀରେ କମିବା ନେଇ ବିଭିନ୍ନ ସମୟରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ତେବେ ରାଜ୍ୟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେବେ କେଉଁ ସବୁ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଉଛି କେଉଁ ଅଞ୍ଚଳରେ ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ ରହିଛି । ତାହାର ସବିଶେଷ ଉତ୍ତର ବିଧାନସଭାରେ ରଖିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ।

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ଭୂତଳ ଜଳସ୍ତର ହ୍ରାସ ଓ ବୃଦ୍ଧି ନିରୀକ୍ଷଣ କାର୍ଯ୍ୟ ଜଳସମ୍ପଦ ବିଭାଗ ଦ୍ୱାରା କରାଯାଉଛି । କିନ୍ତୁ ଜଳ ଅମଳ ଜରିଆରେ ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ଏଯାଏଁ କୌଣସି ଅର୍ଥ  ବିନିଯୋଗ କରାଯାଇନାହିଁ ।

ସେହିଭଳି ଅନୁଗୁଳ, ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୟାଗଡ, ନୂଆପଡା ଜିଲ୍ଲାଗୁଡିକର କିଛି ଅଞ୍ଚଳରେ ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ ରହିଛି । ତେବେ ଏହି ସବୁ ଅଞ୍ଚଳରେ ଭୂପୃଷ୍ଠ ଜଳକୁ ବିନିଯୋଗ କରି ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ଏହିସବୁ ଅଞ୍ଚଳରେ ଥିବା ନଳକୂପମାନଙ୍କରେ ଡିଫ୍ଲୋରିଡେସନ ପ୍ଲାଣ୍ଟ ସ୍ଥାପନ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ତେବେ ଫ୍ଲୋରାଇଡ ଯୁକ୍ତ ଜଳଯୋଗୁଁ ଦୂରାରୋଗ୍ୟ ବ୍ୟାଧିରେ ଲୋକମାନେ ପୀଡିତ ଥିବା କଥା ବିଭାଗ ଦୃଷ୍ଟିକୁ ଆସିନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସମ୍ବନ୍ଧିତ ଖବର