ବଦଳିବ ହାଇସ୍କୁଲ ପାଠ୍ୟକ୍ରମ : ୨୦୧୯ରେ ୯ମ ଓ ୨୦୨୦ରେ ୧୦ମରେ ହେବ ଲାଗୁ

୨୦୨୧ରେ ନୂତନ ପାଠ୍ୟକ୍ରମରେ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର :ବଦଳିବ ହାଇସ୍କୁଲ ପାଠ୍ୟକ୍ରମ। ୯ମ ଓ ୧୦ମ ଶ୍ରେଣୀର ସମସ୍ତ ବିଷୟରେ କିଛିଟା ପରିବର୍ତନ ହେବ। ନୂତନ ବିଷୟ ସାମିଲ କରାଯିବା ସହ କିଛି ବିଷୟକୁ ବି ବାଦ୍‌ ଦିଆଯିବ। ବର୍ତମାନ ସମୟକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଢ଼ାଞ୍ଚାରେ ପରିବର୍ତନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

୨୦୧୯-୨୦ ଶିକ୍ଷାବର୍ଷରୁ ନୂତନ ପାଠ୍ୟକ୍ରମକୁ ୯ମ ଶ୍ରେଣୀରୁ ଲାଗୁ କରାଯିବ। ଏବେ ଯେଉଁମାନେ ୮ମ ଶ୍ରେଣୀରେ ପଢ଼ୁଛନ୍ତି ସେମାନେ ନୂତନ ପାଠ୍ୟକ୍ରମ ଅନୁଯାୟୀ ୯ମ ଓ ୧୦ମ ଶ୍ରେଣୀରେ ଶିକ୍ଷା ଗ୍ରହଣ କରିବେ। ୨୦୨୧ରେ ନୂତନ ପାଠ୍ୟକ୍ରମରେ ମାଟ୍ରିକ୍‌ ପରୀକ୍ଷା ଦେବେ। ନୂତନ ପାଠ୍ୟକ୍ରମରେ ସଂସ୍କାର ଆଣିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ଦାୟିତ୍ୱ ଦିଆଯାଇଛି।

ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ପାଇବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକ୍ରିୟା ଆରମ୍ଭ କରିଛି। ପରିଷଦର ସିଲାବସ୍‌ କମିଟିକୁ ନୂତନ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି। ଇତି ମଧ୍ୟରେ କମିଟିର ପ୍ରାରମ୍ଭିକ ବୈଠକ ମଧ୍ୟ ଶେଷ ହୋଇଛି। ପ୍ରତି ବିଷୟ ପାଇଁ ୭ରୁ ୮ ଜଣ ଶିକ୍ଷାବିତ୍‌ଙ୍କୁ ନେଇ ସିଲାବସ୍‌ କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ ପ୍ରସ୍ତାବ ଦେବା ପରେ ସିଲାବସ୍‌ ପରିବର୍ତନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନାରା ବେଗମ୍‌ କହିଛନ୍ତି ୨୦୧୯-୨୦ ଶିକ୍ଷାବର୍ଷରେ ୯ମ ଶ୍ରେଣୀରେ ପାଠ୍ୟକ୍ରମ ପରିବର୍ତନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ବହି ପରିବର୍ତନ କରିବା ସମ୍ଭବପର ନୁହେଁ। ଏନ୍‌ସିଇଆରଟି କରୁଥିବା ନ୍ୟାସନାଲ କରିକୁଲମ୍‌ ଫ୍ରେମ୍‌ଓ୍ଵାର୍କ (ଏନ୍‌ସିଏଫ୍‌) ଆଧାରରେ ହାଇସ୍କୁଲ ପାଠ୍ୟକ୍ରମରେ ପରିବର୍ତନ ହୋଇଥାଏ। ଏବେ ସୁଦ୍ଧା ଏନ୍‌ସିଏଫ୍‌ ପକ୍ଷରୁ କୌଣସି ରିପୋର୍ଟ ଆସିନି। ତାହାକୁ ଦୃଷ୍ଟିରେ ରଖି ସିଲାବସ୍‌ କମିଟିର ଗୋଟିଏ ପର୍ଯ୍ୟାୟ ବୈଠକ ବସିସାରିଛି। ଆସନ୍ତା ସପ୍ତାହରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବ। ଶେଷ ଥର ପାଇଁ ୨୦୧୨-୧୩ରେ ସିବିଏସ୍‌ଇ ଢାଞ୍ଚାରେ ୯ମ ଓ ୧୦ମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତନ ହୋଇଥିଲା।

ଶିକ୍ଷାବିତ୍‌ଙ୍କ ମତରେ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିୟମିତ ବ୍ୟବଧାନରେ ସିଲାବସ୍‌ ପରିବର୍ତନ ହେବା ଦରକାର। ସମ୍ପୂର୍ଣ୍ଣ ସିଲାବସ୍‌କୁ ଏକାଥରେ ପରିବର୍ତନ କରିବା ସମ୍ଭବପର ନୁହେଁ। ତେଣୁ କିଛି କିଛି ପରିବର୍ତନ କରାଯିବା ଦ୍ୱାରା ପାଠ୍ୟକ୍ରମରେ ସଂସ୍କାର ଆସିପାରିବ। ସିଲାବସ୍‌ରେ କ’ଣ ରହିବ ସେନେଇ ପ୍ରଥମେ ଆଲୋଚନା କରି ପ୍ରସ୍ତାବ ଆସିବା ପରେ ପାଠ୍ୟପୁସ୍ତକ ଲେଖାଯିବ। ତେଣୁ ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ସିଲାବସ୍‌ ପରିବର୍ତନ ହୋଇପାରିବ ନାହିଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର