ନକଲି ସାର୍ଟିଫିକେଟ୍‌ରେ ହାଇସ୍କୁଲ ପିଇଟି

ମାଧ୍ୟମିକ ଶିକ୍ଷା ନିର୍ଦେଶକ କରିବେ ତଦନ୍ତ, ଯୋଗ୍ୟତା ନଥାଇ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତ

ଭୁବନେଶ୍ବର : ନକଲି ସାର୍ଟିଫିକେଟ୍‌ ଦେଇ ହାଇସ୍କୁଲରେ ନିଯୁକ୍ତ ହୋଇଛନ୍ତି ଫିଜିକାଲ ଏଜୁକେସନ ଟିଚର(ପିଇଟି)। ଗୋଟିଏ କି ଦୁଇଟି ବିଦ୍ୟାଳୟ ନୁହେଁ। ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ନକଲି ସାର୍ଟିଫିକେଟ୍‌ ଓ ଯୋଗ୍ୟତା ନଥାଇ ପିଇଟି ନିଯୁକ୍ତି ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଏନେଇ ମାଳ ମାଳ ଅଭିଯୋଗ ଆସିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଭାଗ। ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଗଣଶିକ୍ଷା ବିଭାଗରେ ହୋଇଥିବା ଅଭିଯୋଗ ଅନୁଯାୟୀ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା କେତେଜଣ ପିଇଟିଙ୍କ ଆବଶ୍ୟକୀୟ ଯୋଗ୍ୟତା‌ ନାହିଁ। ମାଟ୍ରିକ୍‌ ସହ ସାର୍ଟିଫିକେଟ୍‌ ଇନ୍‌ ଫିଜିକାଲ ଏଜୁକେସନ୍‌ (ସିପିଇଡି) ଯୋଗ୍ୟତା ଥାଇ ସେମାନେ ପିଇଟି ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଯୁକ୍ତ୨ ସହ ସିପିଇଡି କରିଥିବା ଦର୍ଶାଇଛନ୍ତି। ବେଆଇନ ଭାବେ ଏପରିକି କରିଥିବା ଏବେ ନଜରକୁ ଆସିଛି। ସେହିପରି ନିୟମିତ ହୋଇଥିବା କେତେଜଣ ପିଇଟି ନକଲି ସାର୍ଟିଫିକେଟ୍‌/ଯୋଗ୍ୟତା ଦର୍ଶାଇ ନିଯୁକ୍ତି ପାଇଛନ୍ତି। ଉଚ୍ଚ ଯୋଗ୍ୟତା ଆଧାରରେ ଦରମା ହାସଲ କରୁଥିବା ଜଣାପଡ଼ିଛି। ତେଣୁ ଏହା ଉପରେ ତଦନ୍ତ କରିବାକୁ କୁହାଯାଇଛି। ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ପିଇଟିଙ୍କ ନାମ, କାର୍ଯ୍ୟରେ ଯୋଗଦେବା ତାରିଖ, କେଉଁ ସ୍କୁଲରେ କାର୍ଯ୍ୟ ଆରମ୍ଭ କରିଥିଲେ? ତାଙ୍କ ଯୋଗ୍ୟତା କ’ଣ? କେବେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ? ‌କେଉଁ ସ୍କେଲ୍‌ରେ ଦରମା ପାଉଛନ୍ତି? ପିଇଟିଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ହାଇସ୍କୁଲରେ ନିଯୁକ୍ତି ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ଯୋଗ୍ୟତା ନେଇ ମଧ୍ୟ ଏକାଧିକ ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର ସମୀକ୍ଷା କରିଛନ୍ତି। ଆଲୋଚନାରୁ ଜଣାପଡ଼ିଛି ଯେ ରାଜ୍ୟର କେତେକ ଜିଲ୍ଲାରେ ଅଣ ତାଲିମପ୍ରାପ୍ତ ହିନ୍ଦୀ ଶିକ୍ଷକ ସରକାରୀ ଓ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ହିନ୍ଦୀ‌ରେ ସ୍ନାତକ ଓ ସ୍ନାତକୋତ୍ତର ରହିଛି। ତଥାପି ସେମାନଙ୍କୁ ତାଲିମପ୍ରାପ୍ତ ଗ୍ରାଜୁଏଟ୍‌ ଭାବେ ଗଣନା କରାଯିବା ସହ ସେହି ସ୍କେଲ୍‌ରେ ଦରମା ଦିଆଯାଉଛି। ୨୦୦୮ର ସରକାରୀ ବିଜ୍ଞପ୍ତି ଅନୁଯାୟୀ ହିନ୍ଦୀ ଶିକ୍ଷକମାନେ ତାଲିମପ୍ରାପ୍ତ ହେବା ଦରକାର। ସେମାନଙ୍କର ହିନ୍ଦୀରେ ବି.ଏଚ୍‌.ଇଡ଼ି/ବିଏଡ୍‌ ଯୋଗ୍ୟତା ରହିବା ଦରକାର। ଫଳରେ ସେମାନେ ଟିଜିଟି ସ୍କେଲ୍‌ରେ ଦରମା ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିଥାନ୍ତି। କିନ୍ତୁ ଯୋଗ୍ୟତା ନଥାଇ ସେମାନେ ଦରମା ହାସଲ କରୁଛନ୍ତି। ଯେଉଁଥିପାଇଁ ସେହି ଯୋଗ୍ୟତାଧାରୀ ଅନ୍ୟ ଶିକ୍ଷକମାନେ ମଧ୍ୟ ସମାନ ସୁବିଧା ସୁଯୋଗ ପାଇବାକୁ ଦାବି କରୁଛନ୍ତି। ସଂସ୍କୃତ ଶିକ୍ଷକଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା ଉପୁଜୁଛି। ଅଣତାଲିମପ୍ରାପ୍ତ ଶିକ୍ଷକ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ଅନୁଦାପ୍ରାପ୍ତ ହାଇସ୍କୁଲରେ କାର୍ଯ୍ୟ କରୁଛନ୍ତି। ଏହା ଉପରେ ସବି‌ଶେଷ ତଥ୍ୟ ପ୍ରଦାନ କରିବାକୁ ମାଧ୍ୟମିକ ଶିକ୍ଷା ନି‌ର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା‌ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର