୨ ସପ୍ତାହ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ତେବେ ଗତକାଲି ଅପେକ୍ଷା ଆଜି ରାଜ୍ୟର ଅଧିଂକାଶ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରି କମିଛି। ଗତକାଲି ତାଳଚେର, ଟିଟିଲାଗଡ଼, ବୌଦ୍ଧ, ମାଲକାନଗିରି ଓ ବଲାଙ୍ଗୀର ଆଦି ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଟପିଥିଲା। ଆଜି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବାକି ୪ଟି ସହରରର ପାରଦ ପ୍ରାୟ ୧ରୁ ୨ଡିଗ୍ରି ଖସିଛି। ଗତକାଲିର ଉତ୍ତପ୍ତ ସହର ତାଳଚେରର ତାପମାତ୍ରା ଆଜି ପାଖାପାଖି ୨ ଡିଗ୍ରି ଖସି ୩୯.୬ ଡିଗ୍ରି ରହିଥିଲା। ସେହିପରି ଟିଟିଲାଗଡ଼ର ତାପମାତ୍ରା ୪୧ଡିଗ୍ରିରୁ ଖସି ୩୯ ଡିଗ୍ରି ରହିଥିଲା। ଅନ୍ୟପକ୍ଷରେ ବଲାଙ୍ଗୀରରେ ଆଜି ୩୮.୮ ଡିଗ୍ରି, ବୌଦ୍ଧରେ ୩୯ ଡିଗ୍ରି ରେକର୍ଡ ହୋଇଛି। ତେବେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ବିଶିଷ୍ଟ ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପବଳୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟକୁ ବହୁଥିବା ଉତ୍ତର-ପଶ୍ଚିମା ପବନ ପରିବର୍ତ୍ତେ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି। ତେଣୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମ୍‌ ରହିଛି। କିନ୍ତୁ ଆସନ୍ତାକାଲି ଅର୍ଥାତ୍‌ ଶନିବାରଠାରୁ ଦକ୍ଷିଣ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା କିଛି ମାତ୍ରାରେ ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୪ ଓ ୫ତାରିଖ ଦିନ ସର୍ବୋଚ୍ଚ ତାପମାତ୍ରା କମିବ। ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ୫ ତାରିଖ ଦିନ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା କମିପାରେ। ସେହିପରି ଭୁବନେଶ୍ବର ସମେତ ଉପକୂଳ ଓ ଏହା ସଂଲଗ୍ନ ଅଞ୍ଚଳରେ ୭ ଓ ୮ତାରିଖରେ ପାଗ ମେଘୁଆ ରହିବା ସହ ଓ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ତାପମାତ୍ରା କମ୍‌ ରହିବ। ୯ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ଦ୍ରୁତ ଗତିରେ ବଢ଼ିବ। ୧୪ ତାରିଖରେ ଦକ୍ଷିଣ ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସେହି ସ୍ଥାନରେ ତାପମାତ୍ରା କିଛି ହ୍ରାସ ପାଇବ। କିନ୍ତୁ ରାଜ୍ୟର ଅନ୍ୟ ସ୍ଥାନରେ ଗରମ ଲାଗି ରହିବ। ୧୩ତାରିଖ ଦିନ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଟପିବ। ଏହା ୧୬ଯାଏଁ ଚାଲୁ ରହିବ। ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ଓ ପୁଣି ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବ।

ସମ୍ବନ୍ଧିତ ଖବର