କଟକ: ହାଇକୋର୍ଟର ୨ ଆଇନଜୀବୀ ଗୋଷ୍ଠୀ ମୁହାଁମୁହିଁ, ୨୮ ପ୍ଲାଟୁନ୍‌ ଫୋର୍ସ ମୁତୟନ

କଟକ: ଦୀର୍ଘ ୨ ମାସର ଅଚଳାବସ୍ଥା ପରେ ହାଇକୋର୍ଟ ବାର ଆସୋସିଏସନ୍‌ରେ ଫାଟ ଦେଖା ଦେଇଛି । ଜଣେ ଆଇନଜୀବୀଙ୍କୁ ମାଡ଼ ମରା ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟ ବାର ଆସୋସିଏସନ୍‌ ଯେଉଁ ଆନ୍ଦୋଳନ ଚଳାଇଥିିଲା ସେଥିରେ ଫାଟ ସୃଷ୍ଟି ହୋଇଛି। ବିଜେଡ଼ି ଆଇନଜୀବୀ ସାମୁଖ୍ୟ ଏହି ଆନ୍ଦୋଳନରୁ ଓହରି ଯିବା ପରେ ଦୁଇଭାଗରେ ବିଭକ୍ତ ହୋଇ ଆଇନଜୀବୀମାନେ ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି। ଆଜି ବିଜେଡି ଆଇନଜୀବୀ ସାମୁଖ୍ୟର ଓକିଲମାନେ ହାଇକୋର୍ଟ ପରିସରକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଆନ୍ଦୋଳନକାରୀ ଆଇନଜୀବୀମାନେ ବାଧାଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିି ହୋଇଛି। ଆଉ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହାଇକୋର୍ଟ ବାର ଆସୋସିଏସନ୍‌ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ହାଇକୋର୍ଟ ପରିସରରେ ଓକିଲ ସଂଘର ୨ ଗୋଷ୍ଠୀ ମୁହାଁମୁହିଁ ଓ ଏଥିପାଇଁ ହାଇକୋର୍ଟ ବାର ଭିତରକୁ ପୁଲିସ ପ୍ରବେଶ କରିବା ପରେ ଆନ୍ଦୋଳନ କାରୀମାନେ ଅଧିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।


ସୂଚନାଯୋଗ୍ୟ ଯେ ଜଣେ ଆଇନଜୀବୀଙ୍କୁ ପୁଲିସର ମାଡକୁ ନେଇ ଦୁଇମାସ ଧରି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ବିବାଦ ଅଲଗା ରୂପ ନେଇଛି । ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଏହି ଆନ୍ଦୋଳନରୁ ଓହରି ଯିବ ବୋଲି ନିଷ୍ପତ୍ତି ନେବା ପରେ ହାଇକୋର୍ଟ ବାର ଆସୋସିଏସନ୍‌ର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି। ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଏଭଳି ନିଷ୍ପତିରେ ଆନ୍ଦୋଳନକାରୀ  ଆଇନଜୀବୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ବିଜେଡି ଆଇନଜୀବୀ ସାମୁଖ୍ୟର କର୍ମକର୍ତ୍ତା ଓ ସମର୍ଥକ ଆଇନଜୀବୀମାନେ ହାଇକୋର୍ଟ ପରିସରକୁ ପ୍ରବେଶ ଉଦ୍ୟମ କଲାବେଳେ ତାଙ୍କୁ ଆନ୍ଦୋଳନକାରୀ ଆଇନଜୀବୀମାନେ ଅଟକାଇଥିଲେ।

ପ୍ରାୟ ୫/୬ ଥର ଉଦ୍ୟମ କରିବା ସହିତ ଏହାକୁ ନେଇ ଠେଲାପେଲା ହୋଇଥିଲା। ମାତ୍ର ଆନ୍ଦୋଳନକାରୀ ଆଇନଜୀବୀଙ୍କ ବିରୋଧ ଯୋଗୁଁ ବିଜେଡ଼ି ଆଇନଜୀବୀ ସାମୁଖ୍ୟର କର୍ମକର୍ତ୍ତାମାନେ ଭିତରକୁ ପଶି ନ ପାରି ଫେରି ଯାଇଥିଲେ। ଏହାକୁ ନେଇ ସେଠରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଏବେ ବି ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୨୮ ପ୍ଲାଟୁଡ଼୍‍ ଫୋର୍ସ ମୂତୟନ କରାଯାଇଛି।

ସମ୍ବନ୍ଧିତ ଖବର