ଗଠନ ହେବ ଇଣ୍ଟର ୟୁନିଭର୍ସିଟି କାଉନ୍‌ସିଲ୍‌

ରେଭେନ୍ସାରେ ଉଚ୍ଚଶିକ୍ଷା ସଂସ୍କାର ସମ୍ମିଳନୀ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଓଡ଼ିଶାର ଉଚ୍ଚଶିକ୍ଷାରେ ଉନ୍ନତି ଓ ସଂସ୍କାର ଆଣିବା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଦିନିକିଆ ସମ୍ମିଳନୀରେ ଓଡ଼ିଶାର ୯ଟି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହିତ ଉଚ୍ଚଶିକ୍ଷା ବିଭାଗ ଉପସଭାପତି ଉପସ୍ଥିତ ଥିଲେ। ସମସ୍ୟାର ସମାଧାନ ପାଇଁ ବୈଠକରେ ନିଆଯାଇଥିବା ବିଭିନ୍ନ ପ୍ରସ୍ତାବ ଓ ଯୋଜନାକୁ ଆଗାମୀ ଦିନରେ ଉଚ୍ଚଶିକ୍ଷା ବିଭାଗ ଓ କୁଳାଧିପତିଙ୍କ କାର୍ଯ୍ୟାଳୟକୁ ପଠାଯିବ।

ରେଭେନ୍ସା କୁଳପତି ପ୍ରଫେସର ଡକ୍ଟର ଈଶାନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଦେଖାଯାଉଥିବା ସମସ୍ୟା ଉପରେ ଏଥିରେ ଆଲୋଚନା କରାଯାଇଛିା ବିଶ୍ୱବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସଂଖ୍ୟାର ଅଧ୍ୟାପକ ଓ କର୍ମଚାରୀଙ୍କ ନିଯୁକ୍ତି, ରିସର୍ଚ୍ଚ ସ୍କଲାରଙ୍କ ପାରିଶ୍ରମିକ ବୃଦ୍ଧି, ଗୋଟିଏ ସମୟରେ ସମସ୍ତ ବିଶ୍ୱବିଦ୍ୟାଳୟରେ ପରୀକ୍ଷା କରିବା, ସବୁଠାରେ ଗୋଟିଏ ସିଲାବସ୍‌ ଲାଗୁ କରିବା, ଇଣ୍ଟର ୟୁନିଭର୍ସିଟି ରିସର୍ଚ୍ଚ ହବ୍‌ ଗଠନ, ଫୁଲଟାଇମ୍‌ ରିସର୍ଚ୍ଚ ପାଇଁ ଅଧିକ ପ୍ରୋତ୍ସାହନ ଦେବା, ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ବଜେଟରେ ଅଧିକ ଅନୁଦାନ ଦେବା ପରି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି।

ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗର ଉପସଭାପତି ପ୍ରଫେସର ଅଶୋକ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଏଫଏମ୍‌ କୁଳପତି ପ୍ରଫେସର ମଧୁସ୍ମିତା ଦାସ, ଉତ୍ତର ଓଡ଼ିଶା କୁଳପତି ପ୍ରଫେସର ପି.କେ ଚାନ୍ଦ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଧା ମାଧବ ଦାଶ, ଆରଡି ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର, ଖଲିକୋଟ୍‌ କ୍ଲଷ୍ଟର କୁଳପତି ପ୍ରଫେସର ଏ.ଏନ୍‌. ମିଶ୍ର, ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀକାନ୍ତ ମହାପାତ୍ର, ବହ୍ମପୁର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ସମ୍ମିଳନୀରେ ଯୋଗ ଦେଇଥିଲେ। ବୈଠକରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମସ୍ତ କର୍ତ୍ତୃପକ୍ଷ ଓ ବିଭିନ୍ନ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ। ଅଗାମୀ ଦିନରେ ରାଜ୍ୟରେ ଇଣ୍ଟର ୟୁନିଭର୍ସିଟି କାଉନସିଲ୍‌ ଗଠନ କରାଯିବା ସହ ରେଭେନ୍ସା ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସ୍କଲାରଙ୍କୁ ନେଇ ସମ୍ମିଳନୀ ଓ ରିସର୍ଚ୍ଚ ମେଥୋଡୋଲ୍‌ଜି ଉପରେ ବୈଠକ ଅୟୋଜନ କରାଯିବ ବୋଲି କୁଳପତି ପ୍ରଫେସର ଡକ୍ଟର ଈଶାନ ପାତ୍ର କହିଛନ୍ତି। ବୈଠକରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ଯୋଜନା ଓ ପ୍ରସ୍ତାବ ଗ୍ରହଣ କରାଯାଇଛି। ତାହାକୁ ରାଜ୍ୟ ସରକାର ଓ କୁଳାଧିପତିଙ୍କ ନିକଟକୁ ପଠାଯିବ ବୋଲି ପ୍ରଫେସର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର