ଭୁଶୁଡ଼ି ଗଲାଣି ଉଚ୍ଚଶିକ୍ଷା : ଭାରପ୍ରାପ୍ତ ଅଧ୍ୟକ୍ଷରେ ଚାଲିଛି ୬୫୦ କଲେଜ

ସରକାରୀ କଲେଜରେ ନାହିଁ ପ୍ରଫେସର ପଦ

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଏକାଧିକ ଯୋଜନା ହେଉଛି। ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଲାଗି ମେଧାବୃତ୍ତି ଦିଆଯାଉଛି। ଯୁକ୍ତ୩ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କରୁ ଋଣ ଆସୁଛି। ହେଲେ ଆଜି ପର୍ଯ୍ୟନ୍ତ ସମସ୍ତ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଭାରପ୍ରାପ୍ତ ଅଧ୍ୟକ୍ଷରେ ଚାଲିଛି ରାଜ୍ୟର ୬୫୦ଟି ଡିଗ୍ରି କଲେଜ। ଯେଉଁଥି ପାଇଁ ସବୁଠି ପାଠପଢ଼ା ପ୍ରଭାବିତ ହେଉଛି। ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ରାଜ୍ୟର ୫୨ଟି ସରକାରୀ କଲେଜ ଓ ୫୯୮ଟି ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ତେଣୁ ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ସେମାନେ ଛାତ୍ରଛାତ୍ରୀଙ୍କ କ୍ଲାସ ନେବା ସହ କଲେଜର ସମସ୍ତ ଦାୟିତ୍ୱ ବୁଝୁଛନ୍ତି। ଗୋଟିଏ ପଟେ ସମସ୍ତ ଡିଗ୍ରି କଲେଜରେ ଆବଶ୍ୟକ ଅଧ୍ୟାପକ ନଥିବା ବେଳେ ଅନ୍ୟପଟେ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଦାୟିତ୍ୱରେ ବସାଇବା ଦ୍ୱାରା କ୍ୟାମ୍ପସରେ ପାଠପଢ଼ା ଠିକ୍‌ ଭାବେ ଚାଲିପାରୁ ନଥିବା ଶିକ୍ଷାବିତ୍‌ମାନେ ଅଭିଯୋଗ କରିଛନ୍ତି। କେତେକ କଲେଜ ଦୀର୍ଘ ବର୍ଷ ହେଲା ଭାରପ୍ରାପ୍ତ ଦାୟିତ୍ୱରେ ଚାଲିଛି। ଅଧ୍ୟାପକଙ୍କ ନିଯୁକ୍ତିପତ୍ରରେ ଲେଖାଯାଇଛି ଯେ ସେମାନେ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ସହ କ୍ଲାସ ନେବେ। ନିୟମିତ ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଏଭଳି ନିୟମ ନଥିବା‌ ବେଳେ ଭାରପ୍ରାପ୍ତ କ୍ଷେତ୍ରରେ ଏଭଳି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ୁଛି। ଭାରପ୍ରାପ୍ତରେ ଥିବା‌ରୁ ସେମାନେ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି। କଲେଜର ମୌଳିକ ସମସ୍ୟାରୁ ସେମାନେ ମୁଣ୍ଡ ଖସାଇ ଦେଉଛନ୍ତି। ଅଳ୍ପ ବର୍ଷ ଚାକିରି କରିଥିବା ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଯା‌ଉଥିବାରୁ କଲେଜର ବରିଷ୍ଠ ଅଧ୍ୟାପକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। କେତେକ କଲେଜରେ ଶିଷ୍ୟ ଅଧ୍ୟକ୍ଷ ପଦରେ ଥିବା ବେଳେ ଗୁରୁ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପରି ସ୍ଥିତି ଦେଖିବାକୁ ମିଳୁଛି।

ସବୁଠାରୁ ବଡ଼ କଥା ହେଉଛି, ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ପାଇଁ ଏବେ ଉପଯୁକ୍ତ ଯୋଗ୍ୟତାଧାରୀଙ୍କ ଅଭାବ ଦେଖିବାକୁ ମିଳୁଛି। ନିୟମ ଅନୁଯାୟୀ ସରକାରୀ ପ୍ରଫେସର ଯୋଗ୍ୟତାଧାରୀ ବ୍ୟକ୍ତି ହିଁ ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷ ହୋଇପାରିବେ। ଡିଗ୍ରି କଲେଜ ପାଇଁ ରିଡର ଯୋଗ୍ୟତା ଆବଶ୍ୟକ। ହେଲେ ବର୍ତମାନ ଓଡ଼ିଶାରେ ଜଣେ ବି ସରକାରୀ ପ୍ରଫେସର ନାହାନ୍ତି କି ସରକାରୀ ପ୍ରଫେସର ପଦ ହିଁ ନାହିଁ। ‌ପୂର୍ବରୁ ଖଲ୍ଲିକୋଟ, ରେଭେନ୍ସା ଓ ଗଙ୍ଗାଧର ମେ‌େହର ସ୍ୱୟଂଶାସିତ କଲେଜରେ ପ୍ରଫେସର ପଦ ରହିଥିଲା। ଉକ୍ତ ୩ଟି କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିବାରୁ ସେଠାରୁ ପ୍ରଫେସର ପଦ ହିଁ ଉଠିଯାଇଛି। ଆଗରୁ ବରିଷ୍ଠତା ଭିତ୍ତିରେ ଅଧ୍ୟକ୍ଷ ପଦବୀ ପୂରଣ ହେଉଥିବା ଏବେ ସେହି ବ୍ୟବସ୍ଥାକୁ ୨୦୦୧-୦୨ରୁ ଉଠାଇ ଦିଅାଯାଥିବାରୁ ଉଚ୍ଚଶିକ୍ଷା ପ୍ରଭାବିତ ହେଉଥିବା ଅଭିଯୋଗ ଉଠିଛି।

କେବଳ ଅଧ୍ୟକ୍ଷ ନୁହଁନ୍ତି। ଅଧ୍ୟାପକମାନଙ୍କ ସଙ୍କଟ ଏବେ ବି ଜାରି ରହିଛି। ସରକାରୀ ଡିଗ୍ରି କଲେଜରେ ୧୨୮୪ ଓ ଅନୁଦାନପ୍ରାପ୍ତ କଲେଜରେ ୧୬୬୬ ଅଧ୍ୟାପକ ପଦ ଖାଲି ରହିଛି। ସେହିପରି ସରକାରୀ କଲେଜରେ ୧୧୬୫ଟି ଅଣଣିକ୍ଷକ ପଦ ଖାଲି ରହିଥିବା ବେଳେ ଅନୁଦାନପ୍ରାପ୍ତ କଲେଜରେ ୧୦୯୮ଟି ପଦ ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର