ଓଡ଼ିଶାରେ ଉଚ୍ଚଶିକ୍ଷାର ଦୟନୀୟ ସ୍ଥିତି

ଶ୍ରେଷ୍ଠ ଶହେରେ ନାହାନ୍ତି ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ, ଓୟୁଏଟି ଓ ଉତ୍କଳର ନୈରାଶ୍ୟଜନକ ପ୍ରଦର୍ଶନ

ଭୁବନେଶ୍ବର : ଉଚ୍ଚଶିକ୍ଷା ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ସରକାରୀ ଅର୍ଥ ବି ଦିଆଯାଉଛି। ପାଠ୍ୟକ୍ରମରେ ବି ସଂସ୍କାର ଆସୁଛି। ବିଶ୍ବବିଦ୍ୟାଳୟ ଓ କଲେଜର ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପାଣ୍ଠିରୁ କୋଟି କୋଟି ଟଙ୍କା ଆସୁଛି। ଏତେ ସବୁ ପରେ ବି ଉଚ୍ଚଶିକ୍ଷା ସ୍ଥିତିରେ କୌଣସି ପରିବର୍ତନ ହେଉନି। ନୂଆ କରି ପ୍ରତିଷ୍ଠା ହୋଇଥିବା ଘରୋଇ ଶିକ୍ଷାନୁଷ୍ଠାନ ଜାତୀୟସ୍ତରରେ ସଫଳତା ହାସଲ କରୁଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ଦୟନୀୟ ସ୍ଥିତି ଲାଗିରହିଛି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ଏନ୍‌ଆଇଆରଏଫ୍‌ ପକ୍ଷରୁ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାକୁ ଦେଖିଲେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ସ୍ଥିତି କେତେ ତଳକୁ ଖସିଲାଣି ତାହା ଜଳ ଜଳ ହୋଇ ଦିଶୁଛି। ୯ଟି ଶ୍ରେଣୀରେ ପ୍ରକାଶ ପାଇଥିବା ତାଲିକାରେ କୌଣସି ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି।

୨୦୧୮ରେ ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ତାଲିକାର ୯୧ତମ ସ୍ଥାନରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ପ୍ରଦର୍ଶନ ଏଥର ନୈରାଶ୍ୟଜନକ ହୋଇଛି। ଓୟୁଏଟିରେ ଲାଗିରହିଥିବା ଅଚଳାବସ୍ଥା ସା‌ଙ୍ଗକୁ କୁଳପତି ପଦବିକୁ ନେଇ ଏଠାରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାର ପ୍ରତିଫଳନ ରୢାଙ୍କ ଉପରେ ପଡ଼ିଛି। ବାବୁମାନେ ନିଜର ସ୍ବାର୍ଥ ପ‌ାଇଁ ଓୟୁଏଟିର ସ୍ବାଭିମାନ ତଥା ନାଁକୁ କେତେ ତଳକୁ ନେଇପାରନ୍ତି ତାହା ଦେଖିବାକୁ ମିଳିଛି।

୨୦୧୬ରେ ନାକ୍‌ ‘ଏ+’ ଗ୍ରେଡ୍‌ ସହ କେନ୍ଦ୍ର ସରକାରଙ୍କ କାଟାଗୋରି-୧ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଲଜ୍ଜାଜନକ ସ୍ଥିତି ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନ ଦେଶର ‘ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ’ ଭିତରକୁ ତ ଆସିପାରିଲାନି ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ଶ୍ରେଣୀରେ ବି ସ୍ଥାନ ପାଇନି। ଗୁଣାତ୍ମକ ଶିକ୍ଷା, ଗବେଷଣାକୁ ନେଇ ଡିଣ୍ତିମ ପିଟୁଥିବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି। ୨୦୧୮ରେ ‘ଶ୍ରେଷ୍ଠ ଶହେ ତାଲିକାର ୧୪୬ତମ ସ୍ଥାନରେ ଥିବା ଏହି ବିଶ୍ବବିଦ୍ୟାଳୟ ଏଥର ୧୯୭ତମ ସ୍ଥାନକୁ ଖସିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ(୧୬୨), ସମ୍ବଲପୁର ବିଶ୍ବବିଦ୍ୟାଳୟ(୧୮୪), ଭିଏସ୍‌ଏସ୍‌ୟୁଟି ବୁର୍ଲା(୧୯୬) ବ୍ୟତୀତ ଆଉ କୌଣସି ବି ବିଶ୍ବବିଦ୍ୟାଳୟ ୨୦୦ ରୢାଙ୍କ ଭିତରେ ଆସିପାରି ନାହାନ୍ତି। ରେଭେନ୍ସା, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ‌ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ବିପିୟୁଟି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ଓଡ଼ିଶାରେ ଥିଲେ ମଧ୍ୟ ତାହା ୨୦୦ ତାଲିକା ମଧ୍ୟକୁ ନ ଆସିବା ପରିତାପର ବିଷୟ। ଉକ୍ତ ବିଶ୍ବବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ଆବେଦନ କରି ନଥିବା ଜଣାପଡ଼ିଛି। ପୂର୍ବ ଭାରତର ଶିକ୍ଷା ହବ୍‌ ବୋଲି କୁହାଯାଉଥିବା ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ସଜାଡ଼ିବା ପାଇଁ ରାଜ୍ୟ ସରକାର ବାର୍ଷିକ ଦୁଇ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଇ-ପାଠାଗାର, ଡିଜିଟାଲ କ୍ଲାସରୁମ୍‌, କ୍ୟାମ୍ପସ ସମ୍ପ୍ରସାରଣ ପରି ଦିଗ ପ୍ରତି ଦୃଷ୍ଟି ଦେଉଛନ୍ତି। ବିଶ୍ବବ୍ୟାଙ୍କରୁ ବି ଋଣ ଆଣି ଉଚ୍ଚଶିକ୍ଷା ବ୍ୟବସ୍ଥା ସଜାଡ଼ିବା ଲାଗି ଅଣ୍ଟା ଭିଡ଼ୁଛନ୍ତି। ଏତେ ସବୁ ପରେ ବି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ରାଜ୍ୟର ଉଚ୍ଚଶିକ୍ଷାର ଦୁର୍ବଳ ସ୍ଥିତିକୁ ଜାହିର‌୍‌ କରୁଛି।

ବୈଷୟିକ ଶିକ୍ଷାର ବି ସମାନ ସ୍ଥିତି। ବିପିୟୁଟି କି ଏହା ଅଧୀନସ୍ଥ କୌଣସି ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ଏହି ସର୍ଭେରେ ସ୍ଥାନ ନ ପାଇବା ବୈଷୟିକ ଶିକ୍ଷା ସ୍ଥିତିକୁ ପଦାରେ ପକାଇଛି। କିଟ୍‌, ସୋଆ ପରି ଘରୋଇ ଶିକ୍ଷାନୁଷ୍ଠାନ ପୁଣିଥର ନିଜର ସ୍ଥିତି ଜାହିର କରିଥିବା ବେଳେ ସିଇଟି, ଆଇଜିଆଇଟି ପରି ପ୍ରମୁଖ ଶିକ୍ଷାନୁଷ୍ଠାନ ଆବେଦନ ହିଁ କରିପାରି ନାହାନ୍ତି। ୪ଟି ପୁରାତନ ମେଡିକାଲ କଲେଜ ରହିଥିଲେ ମଧ୍ୟ ସେମାନେ ଆବେଦନ କରିନାହାନ୍ତି। ସାଧାରଣ କଲେଜ, ଫାର୍ମାସି, ଆର୍କିଟେକଚର ବର୍ଗରେ ଓଡ଼ିଶାରୁ କୌଣସି ଶିକ୍ଷାନୁଷ୍ଠାନ ନାହାନ୍ତି। ସରକାରୀ ତ ଦୂରର କଥା। ଘରୋଇ ଶିକ୍ଷାନୁଷ୍ଠାନ ବି ଆସି ପାରି ନାହାନ୍ତି। ଦୁଇ ହଜାରରୁ ଅଧିକ ସାଧାରଣ କଲେଜ, ୧୦ରୁ ଅଧିକ ଲ’ କଲେଜ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଫାର୍ମାସି ଓ ଆର୍କିଟେକଚର ଶିକ୍ଷାନୁଷ୍ଠାନ ରହିଥିଲେ ମଧ୍ୟ ଗୋଟିଏ ବି ତାଲିକାକୁ ଆସିପାରିନି।

ସମ୍ବନ୍ଧିତ ଖବର