ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ପିଲା

କାରଣ ଖୋଜିବାକୁ ଅଧ୍ୟକ୍ଷମାନଙ୍କୁ ମନ୍ତ୍ରୀଙ୍କ ପରାମର୍ଶ
ଯୁକ୍ତ୩ରେ ଖାଲିଥିବା ସିଟ୍‌ ପାଇଁ ପୁଣିଥରେ ନାମଲେଖା
୨୬ରୁ ଆବେଦନ, ସେପ୍ଟେମ୍ବର ୧୦ରେ ମେଧା ତାଲିକା

ଭୁବନେଶ୍ବର : ଯୁକ୍ତ୨ ପରେ ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଖୋଦ୍‌ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବି ଏକଥାକୁ ସ୍ବୀକାର କରିଛନ୍ତି। ଗତକାଲି ଅନୁଷ୍ଠିତ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଦର୍ଶାଇଥିଲେ ଯେ ପ୍ରତିବର୍ଷ ପ୍ରାୟ ସାଢ଼େ ୪ ଲକ୍ଷ ପିଲା ମାଟ୍ରିକ୍‌ ପାସ୍‌ କରୁଛନ୍ତି। ସେମାନଙ୍କ ମଧ୍ୟରୁ ସାଢ଼େ ୩ ଲକ୍ଷ ପିଲା ଯୁକ୍ତ୨ରେ ନାମ ଲେଖା‌ଉଛନ୍ତି। ଆଉ ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଅନ୍ୟ ପାଠ୍ୟକ୍ରମକୁ ଯାଉଛନ୍ତି। ତେବେ ଯୁକ୍ତ୨ରେ ପାସ୍‌ ପରେ ପ୍ରାୟ ୪୦ ପ୍ରତିଶତ ପିଲା ଉଚ୍ଚଶିକ୍ଷା‌ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁଥିପାଇଁ ଯୁକ୍ତ୩ରେ ୮୦ ହଜାର ସିଟ୍‌ ଖାଲି ପଡ଼ୁଛି। ଏହାପଛରେ କ’ଣ କାରଣ ରହିଛି? କାହିଁକି ଉଚ୍ଚଶିକ୍ଷା ପାଇଁ ପିଲା ଆସୁନାହାନ୍ତି? କଲେଜରେ ପାଠପଢ଼ା ହେଉନି ନା ଆଉ କେଉଁଠି ଅସୁବିଧା ରହୁଛି? ଯଦି ପିଲାମାନେ ଅର୍ଥ ଖର୍ଚ୍ଚ କରି ଘରୋଇ କଲେଜରେ ପଢ଼ିବାକୁ ଯାଉଛନ୍ତି ତେବେ ମାଗଣା ପଢ଼ିବାକୁ କାହିଁକି ଆସିବେ ନାହିଁ ? କଲେଜ ଅଧ୍ୟକ୍ଷମାନେ ଏଥିପ୍ରତି ଗୁରୁତ୍ବ ଦେବା ସହ ଶୈକ୍ଷିକ ବାତାବରଣ ଉପରେ ଫୋକସ୍‌ କରିବା ଆବଶ୍ୟକ।

ମନ୍ତ୍ରୀଙ୍କ ପରାମର୍ଶର ଗୋଟିଏ ଦିନ ପରେ ଯୁକ୍ତ୩ରେ ଖାଲିପଡ଼ିଥିବା ସିଟ୍‌ଗୁଡ଼ିକ ପୂରଣ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଅଗଷ୍ଟ ୨୬ରେ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ ‘www.samodisha.gov.in’ ଓ ‘www.dheodisha.gov.in’ ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ। ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ରହିଛି। ଆବେଦନକାରୀ ଛାତ୍ରଛାତ୍ରୀ ସେପ୍ଟେମ୍ବର ୪ ସୁଦ୍ଧା ସାମ୍‌ସ ରିସୋର୍ସ ସେଣ୍ଟର(ଏସ୍‌ଆରସି)ରେ ସିଏଏଫ୍‌ର ନକଲ ଦାଖଲ କରିପାରିବେ। ସେପ୍ଟେମ୍ବର ୧୦ ପୂର୍ବାହ୍ନ ୧୧ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ। ୧୦ରୁ ୧୨ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ।

ଆବେଦନ କରିବା ପୂର୍ବରୁ କେଉଁ କଲେଜରେ ସିଟ୍‌ ଖାଲି ରହିଛି ସେନେଇ ଛାତ୍ରଛାତ୍ରୀ ଯାଞ୍ଚ କରିବା ଆବଶ୍ୟକ। ଯଦି ଆଶାୟୀ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ୟୁଜର୍‌ ନେମ୍‌ ଓ ପାସ୍‌ୱାର୍ଡ ହାସଲ କରିଥିବେ ତେବେ ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଆଉଥରେ ୟୁଜର୍‌ ନେମ୍‌ ଓ ପାସ୍‌ୱାର୍ଡ ବାହାର କରିବା ଦରକାର ନାହିଁ। ୟୁଜର୍‌ ନେମ୍‌ ଓ ପାସ୍‌ୱାର୍ଡ ପାଇଥିବା ଛାତ୍ରଛାତ୍ରୀ ତାହାକୁ ବ୍ୟବହାର କରି ଆବେଦନ କରିପାରିବେ। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିବେ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୭୫ ଟଙ୍କା ଫି’ ରଖାଯାଇଥିବା ବେଳେ ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ୧୭୫, ଭିନ୍ନକ୍ଷମ ଓ କିନ୍ନରଙ୍କ ପାଇଁ କୌଣସି ଫି’ ରଖାଯାଇ ନାହିଁ। ସାମ୍‌ସ ସଫ୍ଟୱେୟାର ଓ ୱେବସାଇଟ୍‌ଗୁଡ଼ିରେ କେନ୍ଦ୍ରୀୟ ମେଧା ତାଲିକା ପ୍ରକାଶ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ଯୁକ୍ତ୩ ଡିଗ୍ରି, ସ୍ବୟଂଶାସିତ, ସେଲ୍ଫ ଫାଇନାନ୍ସିଂ ଓ ସଂସ୍କୃତ କଲେଜରେ ୮୨ ହଜାର ୧୬୮ ସିଟ୍‌ ଖାଲି ପଡ଼ିଛି। ସାମ୍‌ସ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୦୪୭ଟି କଲେଜରେ ମୋଟ ୨ ଲକ୍ଷ ୪୩ ହଜାର ୨୭୪ ସିଟ୍‌ ରହିଛି। ସେଥିମଧ୍ୟରୁ ୧ ଲକ୍ଷ ୬୧ ହଜାର ୧୦୬ ସିଟ୍‌ ପୂରଣ ହୋଇଛି। କଳା ବିଭାଗରେ ସର୍ବାଧିକ ୧ ଲକ୍ଷ ୩୯ ହଜାର ୪୪୧ ସିଟ୍‌ ମଧ୍ୟରୁ ୧ ଲକ୍ଷ ୧ ହଜାର ୩୫୫ ସିଟ୍‌ ପୂରଣ ହୋଇଛି। ଫିଜିକାଲ ସାଇନ୍ସରେ ୪୩ ହଜାର ୨୩୦ ସିଟ୍‌ରୁ ୨୩ ହଜାର ୯୩୬, ବାୟୋଲୋଜିକାଲ ସାଇନ୍ସରେ ୨୭ ହଜାର ୬୬ ସିଟ୍‌ରୁ ୧୮ ହଜାର ୩୦୭, ବାଣିଜ୍ୟରେ ୩୧ ହଜାର ୮୨୭ ସିଟ୍‌ରୁ ୧୬ ହଜାର ୩୪୬, ସେଲ୍ଫ ଫାଇନାନ୍ସିଂରେ ୧୭୧୦ ସିଟ୍‌ରୁ ୧୧୬୨ ସିଟ୍‌ ପୂରଣ ହୋଇଛି।

ସମ୍ବନ୍ଧିତ ଖବର