‘ଡିଜିଟାଲ୍‌ ଜେଣ୍ଡର ଆଟ୍‌ଲାସ୍‌’ ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ଡିଜିଟାଲ୍‌ ଜେଣ୍ଡର ଆଟ୍‌ଲାସ୍‌’ ୱେବ୍‌ସାଇଟ୍‌ ଲୋକାର୍ପିତ ହୋଇଛି। ସଚିବାଳୟରେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ୱେବ୍‌ସାଇଟ୍‌ର ଉନ୍ମୋଚନ କରିଛନ୍ତି। ଏହି ଆଟ୍‌ଲାସ୍‌ ଦ୍ୱାରା ରାଜ୍ୟର ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ରାଷ୍ଟ୍ରୀୟସ୍ତରର ଅନୁଷ୍ଠାନରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଯୋଗଦାନର ସ୍ଥିତି ଓ ସଫଳତା ସମ୍ପର୍କରେ ଜଣାପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ୱେବ୍‌ସାଇଟ୍‌ ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ‘ରୁସା ପ୍ରକଳ୍ପ’ ଓ ଏନ୍‌ଆଇସି ସମେତ ଉଚ୍ଚଶିକ୍ଷା ବିଭାଗ ସହଯୋଗ କରିଛନ୍ତି। ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କ ସହାୟତାରେ ଏହି ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି। ଜିଲ୍ଲାସ୍ତରରେ ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଗତି ବାବଦରେ ଏଥିରୁ ଜଣାପଡ଼ିବ। ଯୋଜନା ପ୍ରଣୟନରେ ଏହା ସାହାଯ୍ୟ କରିବ। ଆଟ୍‌ଲାସ୍‌ ଦ୍ୱାରା ଅପେକ୍ଷାକୃତ କମ୍‌ ସଫଳତାପ୍ରାପ୍ତ ଭୌଗୋଳିକ ଜିଲ୍ଲାଗୁଡ଼ିକର ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀ ପାଇଁ ଉଚ୍ଚଶିକ୍ଷା ପ୍ରସାରରେ ରହିଥିବା ଲିଙ୍ଗଗତ ଅସମାନତା ଜାଣି ହେବ। ଲିଙ୍ଗଗତ ଅସମାନତାରେ ବିଦ୍ୟାର୍ଥୀଙ୍କ ନାମଲେଖା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ଥିତି, ସାକ୍ଷରତା ଓ ଦିବ୍ୟାଙ୍ଗଙ୍କ ଉଚ୍ଚଶିକ୍ଷା ସମ୍ପର୍କିତ ତଥ୍ୟ ଡାଟାବେସ୍‌ରେ ଉପଲବ୍ଧ ହେବ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ରହିଥିବା ଭିତ୍ତିଭୂମି, ଶିକ୍ଷକ ଓ ବିକାଶକୁ ନେଇ ପ୍ରତି ଜିଲ୍ଲାର ବିବରଣୀ ଏଥିରୁ ମିଳିବ। ଏହି ଆଟ୍‌ଲାସ୍‌କୁ ତତ୍‌କ୍ଷଣାତ୍‌ ଅପ୍‌ଡେଟ୍‌ କରାଯାଇପାରିବ। ଉତ୍ସବରେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର