ଜାତୀୟ ରାଜପଥରେ ବଢ଼ୁଛି ଲୁଟପାଟ : ୪ ବର୍ଷରେ ରୁଜୁ ହେଲାଣି ୨୯୬ ମାମଲା

ସ୍ୱତନ୍ତ୍ର ଫୋର୍ସ ଗଠନ ପାଇଁ ଗୃହ ବିଭାଗକୁ ଚିଠି ଲେଖିଲେ ଡିଜି

ଭୁବନେଶ୍ୱର : ଜାତୀୟ ରାଜପଥରେ ଦିନକୁ ଦିନ ଲୁଟପାଟ, ଛିନତାଇ ଓ ଡକାୟତି ଭଳି ମାମଲା ବଢ଼ି ଚାଲିଛି। ବିଗତ କିଛି ବର୍ଷ ହେବ ଏଭଳି ଲୁଟପାଟ ପୁଲିସ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ୪ ବର୍ଷରେ ରାଜ୍ୟର ବିଭିନ୍ନ ଥାନାରେ ପାଖାପାଖି ୨୯୬ଟି ଲୁଟପାଟ ମାମଲା ରୁଜୁ ହୋଇଛି। କିଛି ଦିନ ତଳେ ଖୋଦ୍‌ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଜାତୀୟ ରାଜପଥରେ ଲୁଟପାଟ ବୃଦ୍ଧି ପାଇଛି ବୋଲି ଏକ ପ୍ରଶ୍ନର ଉତ୍ତରରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଭାଷଣ ପରେ ପୁଲିସ ବିଭାଗ ଜାତୀୟ ରାଜପଥରେ ପାଟ୍ରୋଲିଂ ପାଇଁ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିବାକୁ ଯୋଜନା କରିଛି। ଏ ନେଇ ପୁଲିସ ଡିଜି ଗୃହ ବିଭାଗକୁ ଏକ ଚିଠି କରିଛନ୍ତି। ଗୃହ ବିଭାଗରୁ ଅନୁମତି ମିଳିବା ପରେ ଜାତୀୟ ରାଜପଥରେ ପାଟ୍ରୋଲିଂ କରିବାକୁ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ସୂଚନା ମୁତାବକ, ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥର ୫ଟି ସ୍ଥାନକୁ ଅତ୍ୟନ୍ତ ସମ୍ବେଦନଶୀଳ ରାଜପଥ ବୋଲି ପୁଲିସ ଚିହ୍ନଟ କରିଛି। ସେହି ରାଜପଥରେ ହିଁ ଲୁଟେରାମାନେ ସକ୍ରିୟ ଅଛନ୍ତି। ସେଗୁଡିକ ହେଲା, ସମ୍ବଲପୁର- ରାଉରକେଲା, ମଙ୍ଗୁଳି- ସମ୍ବଲପୁର, ଭୁବନେଶ୍ୱର-ପୁରୀ, ସମ୍ବଲପୁର- ସୋହେଲା, ଜଳେଶ୍ୱର- ଇଚ୍ଛାପୁରମ୍‌ ଆଦି। ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ କରିବ।

ଏଥିପାଇଁ ଗୃହ ବିଭାଗକୁ ୫୨୨ଜଣ କର୍ମଚାରୀ ନିଯୁକ୍ତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ୧୦୮ ଜଣ ଏସ୍‌ଆଇ, ୨୧୬ ଜଣ କନଷ୍ଟେବଲ, ୧୩୮ଜଣ କନଷ୍ଟେବଲ/ଡ୍ରାଇଭର, ୬୦ଜଣ ଆଟେଣ୍ଡାଣ୍ଟ୍‌, ୧୦ଟି ଆମ୍ବୁଲାନ୍ସ, ୩୬ଟି ବଲେରୋ ଯୋଗାଇ ଦେବାକୁ କୁହାଯାଇଛି। ଏହି ପାଟ୍ରୋଲିଂ ଟିମ୍‌ ଜାତୀୟ ରାଜପଥରେ ପାଟ୍ରୋଲିଂ କରିବା ସହିତ ଲୁଟେରାମାନଙ୍କ ଉପରେ ନଜର ରଖିବ। ଏହାଦ୍ୱାରା ଜାତୀୟ ରାଜପଥରେ ଛିନ୍‌ତାଇ, ଲୁଟ ଓ ଡକାୟତି ଭଳି ଅପରାଧ ଅନେକ ମାତ୍ରାରେ ହ୍ରାସ ପାଇବ। ଆବଶ୍ୟକ ହେଲେ ଏହି ପାଟ୍ରୋଲିଂ ଟିମ୍‌ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିବିଶେଷଙ୍କୁ ହସ୍ପିଟାଲ ମଧ୍ୟ ନେବ ବୋଲି ପୁଲିସ ଡିଜି ଶର୍ମା ସୂଚନା ଦେଇଛନ୍ତି। ସେହିପରି ଜାତୀୟ ରାଜପଥରେ ଲୁଟପାଟ ବଢ଼ି ଚାଲୁଥିବାରୁ ଭାରୀଯାନଗୁଡ଼ିକରେ ସିସି କ୍ୟାମେରା ଓ ଜିପିଆର୍‌ଏସ୍‌ ଲଗାଇବାକୁ ଡିଜି ପୁଲିସ ପରାମର୍ଶ ଦେଇଛନ୍ତି। ଏଠାରେ ପ୍ରକାଶଥାଉକି ଓଡ଼ିଶାରେ ଦେଇ ୧୬ଟି ଜାତୀୟ ରାଜପଥର ୩୫୯୨ କିମି ରହିଛି।

ଅନ୍ୟପକ୍ଷରେ କମିସନରେଟ ପୁଲିସ ଅଧୀନ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀଠାରୁ ପଳାସୁଣୀ ମଧ୍ୟରେ ଲୁଟପାଟ ଓ ଛିନତାଇ ହ୍ରାସ ପାଇଛି। ୨୦୧୬ ମସିହାରେ ୪୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ଏହା ଖସି ୩୪ରେ ପହଞ୍ଚିଥିଲା। ଚଳିତ ବର୍ଷ ଏବେ ସୁଦ୍ଧା ମାତ୍ର ୧୪ଟି ମାମଲା ରୁଜୁ ହୋଇଛି ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର