ଅପହରଣ! : ବୋଲେରୋରେ ଆସିଲେ, ଯୁବକଙ୍କୁ ଉଠାଇଲେ

ଏତଲା ଆଧାରରେ ତଦନ୍ତ, ସିସିଟିଭି ଫୁଟେଜ୍ ଯାଞ୍ଚ

ବୁଗୁଡ଼ା : ଆଜି ଅପରାହ୍ନ ପ୍ରାୟ ଗୋଟାଏ ପାଞ୍ଚ ମିନିଟ। କିଛି ବ୍ୟକ୍ତି ୨ଟି ବୋଲେରୋରେ ଆସି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ହାଇସ୍କୁଲ ଛକରେ ଅଟକିଥିଲେ। ବାଇକ୍‌ରେ ଆସୁଥିବା କାହ୍ନୁଚରଣ ନାୟକଙ୍କୁ ନାଟକୀୟ ଢଙ୍ଗରେ ଉଠାଇ ବୋଲେରୋରେ ବସାଇ ନେଇ ପଳାଇବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କାହ୍ନୁଙ୍କୁ ଅପହରଣ କରାଯାଇଛି ନା, ଏହା କୌଣସି ଜିଲ୍ଲା ପୁଲିସର କାମ ଏହାକୁ ନେଇ ପରିବାର ଲୋକେ ‌ସନ୍ଦେହରେ ପଡ଼ିଛନ୍ତି। ଏ ନେଇ ବୁଗୁଡ଼ା ପୁଲିସ ପାଖରେ କୌଣସି ତଥ୍ୟ ନଥିବା ସ୍ପଷ୍ଟ ହେବା ପରେ କାହ୍ନୁକୁ ଅପହରଣ କରା ଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଛନ୍ତି। ଏହା ପରେ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛକରେ ଲାଗିଥିବା ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ କରିଛି। ହେଲେ ସନ୍ଧ୍ୟା ସୁଦ୍ଧା କୌଣସି ସୁରାକ୍ ମିଳିପାରିନି। ୨ଟି ବୋଲେରୋରେ ୧୦ରୁ ୧୨ ଜଣ ବ୍ୟକ୍ତି ଥିଲେ। ଯୁବକ ସେଠାରେ ଓହ୍ଲାଇ ବସଷ୍ଟାଣ୍ଡ ପଟୁ ବାଇକରେ ଆସୁଥିବା ଶକ୍ତିନଗରର କାହ୍ନୁଚରଣ ନାୟକଙ୍କୁ ଘେରି ଯାଇଥିଲେ। ଜଣେ ବ୍ୟକ୍ତି କାହ୍ନୁଙ୍କ ବାଇକକୁ ଗୋଇଠା ମାରି ତଳେ ପକାଇ ଦେଇଥିଲା। କାହ୍ନୁ ଉଠି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ମୁଥ ମାରି ସେମାନେ ତାଙ୍କୁ ବୋଲେରୋରେ ବସାଇ ଦେଇଥିଲେ। ଉପସ୍ଥିତ ‌ଲୋକେ ଏହାକୁ ଜଳକା ପରି ଚାହିଁ ରହି ଥିଲେ। ହେଲେ ପ୍ରତିରୋଧ କରିବାକୁ କେହି ସାହସ କରି ପାରି ନଥିଲେ। ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରୁଥିବା ବେଳେ ତାଙ୍କୁ ଧମକଚମକ ଦେଇ ନୟାଗଡ଼ ଦିଗରେ ପଳାଇଥିଲେ। ମାତ୍ର ୨ ମିନିଟ୍ ଭିତରେ ଫିଲ୍ମ ଢଙ୍ଗରେ ଏ ସବୁ ଘଟିଗଲା। ଏ ଘଟଣା ନେଇ ତାଙ୍କ ପରିବାର ଲୋକେ ବର୍ତମାନ ଚିନ୍ତାରେ ପଡ଼ିଛନ୍ତି। ଖୁବ୍ ଶୀଘ୍ର କାହ୍ନୁଙ୍କୁ ମୁକୁଳାଇ ଆଣିବାକୁ ପୁଲିସକୁ ନିବେଦନ କରିଛନ୍ତି। ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇଛି।

ସମ୍ବନ୍ଧିତ ଖବର