ମହଙ୍ଗା ହେବ ବିଜୁଳି!

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବାରମ୍ବାର ନିର୍ଦେଶରେ କହୁଛନ୍ତି ଯେ ବଳକା ବିଦ୍ୟୁତ ବିକି କ୍ଷତି ଭରଣା କର। ହେଲେ ସେତେ ପର୍ଯ୍ୟାପ୍ତ ବିଦ୍ୟୁତ ଉତ୍ପାଦନ ହେଉନି, ଯାହାକୁ ବିକି ଆର୍ଥିକ ଶୃଙ୍ଖଳା ଅଣାଯାଇପାରିବ। ଖୋଲା ବଜାରରେ ମଧ୍ୟ ବିଦ୍ୟୁତ ନିଅଣ୍ଟିଆ ନଥିବାରୁ ବ୍ୟାବସାୟିକ ଲାଭ ସେଭଳି ନାହିଁ। ବିଦ୍ୟୁତ ବଣ୍ଟନ କଂପାନିମାନେ ମଧ୍ୟ ସେମାନଙ୍କର ବକେୟା ପ୍ରଦାନ କରୁନାହାନ୍ତି। ପରିଣାମ ହେଲା, ଗ୍ରୀଡ୍‌କୋ ବର୍ଷକୁ ବର୍ଷ ଭୟଙ୍କର ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇଯାଉଛି। ବିଦ୍ୟୁତ କିଣା, ଋଣ ପରିଶୋଧ, ସୁଧ ପୈଠ, ଦରମା ଆଦି ଖର୍ଚ୍ଚ ଆୟକୁ ବଳେଇ ପଡିଲାଣି।

ଏଭଳି ଯୁକ୍ତି ଦର୍ଶାଇ ଗ୍ରୀଡ୍‌କୋ ୨୦୧୮-୧୯ ଅର୍ଥାତ୍‌ ଆସନ୍ତା ଆର୍ଥିକ ବର୍ଷରେ ବିଦ୍ୟୁତ ଦର ୟୁନିଟ୍‌ ପିଛା ପ୍ରାୟ ୩ ଟଙ୍କା ୫୨ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ଦରଖାସ୍ତ କରିଛି। ଚଳିତବର୍ଷ ଯେତିକି ଦରରେ ଗ୍ରୀଡ୍‌କୋ ବିଦ୍ୟୁତ ଦେଉଛି, ତା ଠାରୁ ହାରାହାରି ୮୦ ପଇସା ଅଧିକ। ବିକଳ୍ପ ପ୍ରସ୍ତାବ ଦେଇ ଗ୍ରୀଡ୍‌କୋ କହିଛି, ଉପଭୋକ୍ତାଙ୍କ ଭଳି ଯଦି ବଣ୍ଟନ କଂପାନିମାନେ ସେମାନଙ୍କ ଡିମାଣ୍ଡ ଠାରୁ ଅଧିକ ବିଦ୍ୟୁତ ନିଅନ୍ତି, ତେବେ ଅଧିକ ଚାର୍ଜ ଦେବାକୁ ପଡ଼ିବ।

ଆସନ୍ତା ଆର୍ଥିକ ବର୍ଷ ପାଇଁ ୯ ହଜାର ୩୮୪ କୋଟି ୪୨ଲକ୍ଷ ଟଙ୍କା ଦରକାର ବୋଲି ହିସାବ କିତାବ କରି ଗ୍ରୀଡ୍‌କୋ କହିଛି ଯେ ଚଳିତବର୍ଷ ଯେଉଁ ବିଦ୍ୟୁତ ହାର ରହିଛି, ତାହାକୁ ବିଚାରକୁ ନେଇ ଦେଖିଲେ, ଚଳିତବର୍ଷ ବିଦ୍ୟୁତ କିଣା ବାବଦରେ କେବଳ ୨୦୨୧ କୋଟି ୪୬ଲକ୍ଷ ଟଙ୍କା ନିଅଣ୍ଟ ପଡ଼ିବ। ଏତେ ଟଙ୍କା ଭରଣା କରିବା ଲାଗି ଆଉ କୌଣସି ଠୋସ୍‌ ବାଟ ନାହିଁ। ଏଣୁ ଏପ୍ରିଲ ପହିଲାରୁ ବିଦ୍ୟୁତ ଦର ବୃଦ୍ଧି କରାନଗଲେ ସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ସଂସ୍ଥା ସଙ୍କେତ ଦେଇଛି।

ସେପଟେ, ଓଡ଼ିଶା ବିଦ୍ୟୁତ ପରିବହନ ନିଗମଠାରୁ ଆରମ୍ଭ କରି ବଣ୍ଟନ କଂପାନି ଯାଏ ସମସ୍ତେ ନିଜ ନିଜ ପକ୍ଷ ରଖି ବିଦ୍ୟୁତ ଦର ବୃଦ୍ଧି ନେଇ ଆୟୋଗ ଉପରେ ଚାପ ରଖିଛନ୍ତି। ପରୋକ୍ଷରେ ଧମକାଇଛନ୍ତି, ଯଦି ଆୟୋଗ ବିଚାର ନ କରନ୍ତି, ତେବେ ଏ ବ୍ୟବସ୍ଥାଟିର ଆର୍ଥିକ ସ୍ଥିତି ଦେବାଳିଆ ଆଡ଼କୁ ଚାଲିଯାଇପାରେ।

ଆୟୋଗଙ୍କ ନିକଟରେ ଗ୍ରୀଡ୍‌କୋ ସମେତ ବିଭିନ୍ନ ସଂସ୍ଥା କରିଥିବା ଆବେଦନ ସୂଚାଇ ଦେଲାଣି ଯେ ଆସନ୍ତା ବର୍ଷ ବିଜୁଳି ଅତି ମହଙ୍ଗା ହେବ। ୟୁନିଟ୍‌ ପିଛା ୫ଟଙ୍କା ଛୁଇଁଯିବା ବିଚିତ୍ର ନୁହେଁ। ବୁଦ୍ଧିଜୀବୀ ମହଲ କହିଛନ୍ତି, ରାଜ୍ୟ ସରକାରଙ୍କ ଅପରିଣାମଦର୍ଶୀ କାର୍ଯ୍ୟ ପରିଣାମରେ ରାଜ୍ୟରେ ବିଦ୍ୟୁତ କ୍ଷେତ୍ର ଭୟଙ୍କର ବିପର୍ଯ୍ୟୟ ଆ଼଼ଡ଼କୁ ମାଡ଼ି ଚାଲିଛି। ସ୍ଥିତି ଏତେ ସାଂଘାତିକ ହେଲାଣି ଯେ ବିଦ୍ୟୁତ ଦର ଧୀରେ ଧୀରେ ମହଙ୍ଗା ହେବା ବାଟ ଖୋଲୁଛି। ଉପଭୋକ୍ତାମାନଙ୍କ ପାଇଁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେଇ ପାରୁନଥିବା କଂପାନି ବିଦ୍ୟୁତ ଦର ବୃଦ୍ଧି ନେଇ କରୁଥିବା ଯୋଜନା କେତେ ଦୂର ଗ୍ରହଣୀୟ ଏହା ଏକ ବ଼ଡ଼ ବିତର୍କକୁ ଅପେକ୍ଷା ରଖୁଛି।

ଉଲ୍ଲେଖଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ନିର୍ଧାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ କଂପାନି ଆୟୋଗଙ୍କ ନିକଟରେ ସେମାନଙ୍କ ଦରଖାସ୍ତ ଦାଖଲ କରିଛନ୍ତି। ଖୁବ୍‌ଶୀଘ୍ର ଏହା ଉପରେ ଶୁଣାଣି ଆରମ୍ଭ ହେବ।

ଗ୍ରୀଡ୍‌କୋ ତା’ ଆବେଦନରେ ଦର୍ଶାଇଛି ଯେ ଆସନ୍ତାବର୍ଷ ରାଜ୍ୟର ଜଳବିଦ୍ୟୁତ କ୍ଷେତ୍ରରୁ ମୋଟ୍‌ ୫ହଜାର ୮୬୬.୧୩ ନିୟୁତ ୟୁନିଟ୍‌ ବିଦ୍ୟୁତ ଉପଲବ୍ଧ ହେବ। ସେହିଭଳି ଘରୋଇ ବିଦ୍ୟୁତ କଂପାନି ସେସା ଷ୍ଟେରଲାଇଟ୍‌, ଜିଏମ୍‌ଆର୍‌ ଓ ଜିନ୍ଦଲ ଆଦି ସୂତ୍ରରୁ ୪୯୭୪.୮୨ ନିୟୁତ ୟୁନିଟ୍‌ ମିିଳିବ। ତାପଜ ଆଦି କ୍ଷେତ୍ରକୁ ମିଶାଇଲେ ରାଜ୍ୟ ସୂତ୍ରରୁ ୨୦୧୮-୧୯ ବର୍ଷରେ ମୋଟ ୧୮ ହଜାର ୨୬୨.୫୧ ନିୟୁତ ୟୁନିଟ୍‌ ବିଦ୍ୟୁତ କିଣାଯିବ। ସେହିଭଳି କେନ୍ଦ୍ରୀୟ ତାପଜ ବିଦ୍ୟୁତ କ୍ଷେତ୍ରରୁ ୮୨୮୧.୮୯ ନିୟୁତ ୟୁନିଟ୍‌ ଓ କେନ୍ଦ୍ରୀୟ ଜଳବିଦ୍ୟୁତ କ୍ଷେତ୍ରରୁ ୯୧୪ ନିୟୁତ୍‌ ୟୁନିଟ୍‌ ଅଣାଯିବା ଲାଗି ହିସାବ କରାଯାଇଛି। ଏସବୁକୁ ମିଶାଇଲେ ମୋଟ ୨୭ ହଜାର ୪୫୮ ନିୟୁତ ୟୁନିଟ୍‌ ବିଦ୍ୟୁତ ଉପଲବ୍ଧ ହେଉଛି।

ବିଭିନ୍ନ ବଣ୍ଟନ କଂପାନିଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ଗ୍ରୀଡ୍‌କୋ ହିସାବ କରିଛି ଯେ ୨୦୧୮-୧୯ ବର୍ଷରେ ୨୬ ହଜାର ୫୬୬ ନିୟୁତ ୟୁନିଟ୍‌ ବିଦ୍ୟୁତ ଆବଶ୍ୟକ। ସେସୁ ସର୍ବାଧିକ ୯୩୫୪ ନିୟୁତ ୟୁନିଟ୍‌ ଚାହିଦା ଥିବା କହିଛି। ଓ୍ଵସ୍କୋ ୭୨୦୦ ନିୟୁତ ୟୁନିଟ୍‌, ନେସ୍କୋ ୬୩୦୭ ନିୟୁତ ୟୁନିଟ୍‌ ଓ ସାଉଥ୍‌କୋ ୩୭୦୦ ନିୟୁତ ୟୁନିଟ୍‌ ମାଗିଛି। ପରିବହନ ଜନିତ କ୍ଷତି ୯୩୯ ନିୟୁତ ୟୁନିଟ୍‌କୁ ମିଶାଇବା ପରେ ରାଜ୍ୟର ବିଦ୍ୟୁତ ଚାହିଦା ମୋଟ ୨୬ ହଜାର ୮୨୧ ନିୟୁତ ୟୁନିଟ୍‌ ହେବ।

ଗ୍ରୀଡ୍‌କୋ ଏଥର ଚତୁରତାର ସହିତ ଆୟୋଗ ନିକଟରେ ନିଜର ଦେବାଳିଆ ସ୍ଥିତି ବଖାଣିଛି। କହିଛି, ଆୟୋଗ ତାଙ୍କ ରାୟରେ ବଣ୍ଟନ କଂପାନିମାନଙ୍କୁ ଦେୟ ଠିକଣା ସମୟରେ ଦେବା କଥା କହିଥିଲେ। ହେଲେ ସେମାନେ ଦେଉନାହାନ୍ତି। ସିକ୍ୟୁରିଟି ଜମା ବାବଦରେ ୨୧୩୫ କୋଟି ଟଙ୍କା ବକେୟା ପଡିଛି। ବିଦ୍ୟୁତ ଦେୟ ବାବଦରେ ୩୨୧୩ କୋଟି ୧୪ଲକ୍ଷ ଟଙ୍କା ବଣ୍ଟନ କଂପାନିମାନେ ଦେଇନାହାନ୍ତି। ଋଣ ପରିମାଣ ପ୍ରାୟ ୧୦ ହଜାର କୋଟି ଛୁଇଁଲାଣି।

ଏଠାରେ ସ୍ମରଣଯୋଗ୍ୟ, ଗ୍ରୀଡ୍‌କୋ ଆର୍ଥିକ କ୍ଷତିର ଆକାର ଦେଖି ଖୋଲା ବଜାରରେ ଆଉ କେହି ଏହି ସଂସ୍ଥାକୁ ଋଣ ଦେବାକୁ ରାଜି ହେଉନାହାନ୍ତି। ଏଣୁ ରାଜ୍ୟ ସରକାର ଋଣ ବାବଦରେ ଗ୍ୟାରେଣ୍ଟି ପଡିବାକୁ ବାଧ୍ୟ ହେଉଛନ୍ତି।

ସେସୁ ଏବେ ୟୁନିଟ୍‌ ପିଛା ୨ଟଙ୍କା ୭୪, ନେସ୍କୋ ୩ଟଙ୍କା ୦୧, େଓ୍ଵସ୍କୋ ୩ଟଙ୍କା ୦୧ ପଇସା ଓ ସାଉଥ୍‌କୋ ୧ଟଙ୍କା ୯୯ ପଇସାରେ ଗ୍ରୀଡ୍‌କୋ ଠାରୁ ବିଦ୍ୟୁତ କିଣୁଛନ୍ତି। ଯଦିଓ ସ୍ଥିତି ଏହାଠାରୁ ଢେର୍‌ ଗମ୍ଭୀର ରହିଛି, ତଥାପି କମିସନ ୨୦୧୭-୧୮ ଶୁଣାଣି ସମୟରେ ବଣ୍ଟନ କ୍ଷତି ୨୧.୩୪% ଓ ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୨.୧୩ % ଧାର୍ଯ୍ୟ କରିଥିଲେ। ହେଲେ ଏହି କ୍ଷତି ଲକ୍ଷ୍ୟ ହାସଲ ଦିଗରେ କେହି ବି ସକ୍ଷମ ହୋଇନାହାନ୍ତି। ଏଣୁ ଏସବୁର ଭାର ସିଧାସଳଖ ଉପଭୋକ୍ତାଙ୍କ ମୁଣ୍ଡକୁ ଯିବା ଛଡ଼ା ଅନ୍ୟଗତି ନାହିଁ।

ସମ୍ବନ୍ଧିତ ଖବର