ରାଜସ୍ୱ ଆଦାୟ ବଢ଼ିଲା, ଖର୍ଚ୍ଚ ବି : ତଥାପି ଖଣିଜ ପାଣ୍ଠିର ବିନିଯୋଗ ଚିନ୍ତା

ଅଗଷ୍ଟରୁ ଅନ୍‌ଲାଇନ ପେନ୍‌ସନ ଦରଖାସ୍ତ ଓ ମଞ୍ଜୁରି ବାଧ୍ୟତାମୂଳକ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ପ୍ରଥମ ତିନିମାସ ମଧ୍ୟରେ ଉଭୟ ରାଜସ୍ୱ ଅଭିବୃଦ୍ଧି ଏବଂ ବଜେଟ୍‌ ଅର୍ଥ ବିନିଯୋଗ ହାର ବୃଦ୍ଧି ଘଟିଛି। ରାଜସ୍ୱ ଅଭିବୃଦ୍ଧି ହାର ବୃଦ୍ଧି ପାଇବା ପଛରେ ରହିଛି ଖଣି ରାଜସ୍ୱର ପ୍ରମୁଖ ଅବଦାନ। ଗତବର୍ଷ ପ୍ରଥମ ତ୍ରୈମାସିକରେ ଖଣି ଓ ଇସ୍ପାତ ବିଭାଗ ୧୨୭୬ କୋଟିର ଖଣିଜ ରାଜସ୍ୱ ସଂଗ୍ରହ କରିଥିବା ବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ଆଦାୟ ହୋଇଛି ୨୪୮୨.୩୪ କୋଟିର ରାଜସ୍ୱ। ଗତବର୍ଷ ତୁଳନାରେ ଏହି ଖଣିଜ ରାଜସ୍ୱ ଅଭିବୃଦ୍ଧି ହାର ୬୯ ପ୍ରତିଶତ ବୃଦ୍ଧି ପାଇଛି। କେବଳ ରାଜସ୍ୱ ଅଭିବୃଦ୍ଧି ନୁହେଁ, ବଜେଟ୍‌ ଅର୍ଥ ବିନିଯୋଗ ହାର ମଧ୍ୟ ବିଗତ ବର୍ଷ ଏହି ସମୟ ତୁଳନାରେ ୧୯ ପ୍ରତିଶତ ବୃଦ୍ଧି ପାଇଛି।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ରାଜସ୍ୱ ଅଭିବୃଦ୍ଧି ସହିତ ବିନିଯୋଗ ହାର ସଂପର୍କରେ ହୋଇଥିବା ଆଲୋଚନାରୁ ଉପରୋକ୍ତ ସୂଚନା ପ୍ରକାଶ ପାଇଛି। ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ସ୍ଥିତି ତଥ୍ୟ ଉପସ୍ଥାପନ କରିଥିଲେ। ଏହି ତଥ୍ୟ ଅନୁଯାୟୀ ଗତ ବର୍ଷ ଏପ୍ରିଲରୁ ଜୁନ୍‌ ମାସ ଶେଷ ସୁଦ୍ଧା ମୋଟ ୧୧୪୦୯ କୋଟି ବିନିଯୋଗ ହୋଇଥିଲା। ଚଳିତ ବର୍ଷ ଏହି ସମୟ ମଧ୍ୟରେ ବିନିଯୋଗ ରାଶି ୧୩୫୯୧ କୋଟିକୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ସାମାଜିକ କଲ୍ୟାଣ କ୍ଷେତ୍ରରେ ଗତବର୍ଷ ଅପେକ୍ଷା ୬୫ ପ୍ରତିଶତ ଅର୍ଥ ଅଧିକ ବିନିଯୋଗ ହୋଇଥିବା ଉଲ୍ଲେଖନୀୟ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୩୫୧୬ କୋଟି ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୨୮୪୦ କୋଟି ଖର୍ଚ ହୋଇଛି। ସେହିପରି ଚଳିତ ବର୍ଷ ଆର୍ଥିକ ବର୍ଷ ପ୍ରଥମ ତିନିମାସରେ ରାଜସ୍ୱ ଆଦାୟ ୮୯୨୮ କୋଟି ହୋଇଛି। ଗତବର୍ଷ ଏହି ସମୟ ବେଳକୁ ରାଜସ୍ୱ ସଂଗ୍ରହ ହୋଇଥିଲା ୬୯୩୬ କୋଟି। ଏହି ରାଜସ୍ୱ ସଂଗ୍ରହ ମଧ୍ୟରେ ୬୪୪୫.୫୨ କୋଟିର ନିଜସ୍ୱ ଟିକସ ଓ ୨୪୮୨.୩୪ କୋଟିର ଅଣଟିକସ ଅନ୍ତର୍ଭୁକ୍ତ।

ରାଜସ୍ୱ ବିଶେଷ କରି ଖଣିଜ ରାଜସ୍ୱ ଆଦାୟ ବୃଦ୍ଧି ପାଉଥିଲେ ହେଁ ଜିଲ୍ଲା ଖଣିଜ ପାଣ୍ଠିର ବିନିଯୋଗ ହାର ଆଶାନୁରୂପକ ହୋଇପାରିନାହିଁ। ସଚିବସ୍ତରୀୟ ବୈଠକରେ ଏ ନେଇ ଚିନ୍ତା ପ୍ରକାଶ ପାଇଥିଲା। ଏହି ପାଣ୍ଠିର ବିନିଯୋଗ ନେଇ ସମୀକ୍ଷା ହୋଇଥିଲା। ଏଥିରୁ ଜଣାଯାଇଛି ଯେ ବର୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାର ମୋଟ ୭୯୮୨ଟି ପ୍ରକଳ୍ପ ମଞ୍ଜୁରି ହୋଇଛି। ଏଥିନିମନ୍ତେ ପ୍ରାୟ ୨୯୩୪ କୋଟି ଆବଣ୍ଟନ କରାଯାଇଛି। ଏହି ପାଣ୍ଠିରେ ଅଧିକରୁ ଅଧିକ ନୂଆ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ମୁଖ୍ୟ ସଚିବ ବିଭିନ୍ନ ବିଭାଗ ମୁଖ୍ୟଙ୍କୁ ନିର୍ଦେଶ ଦେଇଥିଲେ। ବଜେଟ ଅଧୀନରେ ଥିବା ଯୋଜନା, ପ୍ରକଳ୍ପଗୁଡ଼ିକ ଭଳି ଖଣିଜ ପାଣ୍ଠି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ଵୟନ ଓ ପରିଚାଳନା କରିବା ପାଇଁ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ ପରାମର୍ଶ ଦେଇଥିଲେ।

ବୈଠକର ଅନ୍ୟ ଏକ ନିଷ୍ପତ୍ତି ମୁତାବକ ଆସନ୍ତା ଅଗଷ୍ଟ ମାସଠାରୁ ପେନ୍‌ସନ୍‌ ଦରଖାସ୍ତ ଦାଖଲ, ପ୍ରକ୍ରିୟାକରଣ ଓ ମଞ୍ଜୁରି କାର୍ଯ୍ୟ ସଂପୂର୍ଣ୍ଣ ରୂପେ ଅନ୍‌ଲାଇନ ଯୋଗେ କରାଯିବ। ପ୍ରଚଳିତ ବ୍ୟବସ୍ଥାରେ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ କାର୍ଯ୍ୟ କରାଯାଉଛି। ୨୦୧୯ ଜାନୁଆରି ସୁଦ୍ଧା ପରବର୍ତୀ ପର୍ଯ୍ୟାୟରେ ଏହି ଅନ୍‌ଲାଇନ ମଞ୍ଜୁରି ପ୍ରକ୍ରିୟାକୁ ଏ.ଜି. ଦପ୍ତର ସହିତ ସଂଯୋଜିତ କରାଯିବ ବୋଲି ଅର୍ଥ ବିଭାଗ ମୁଖ୍ୟ ସୂଚନା ଦେଇଥିଲେ। ଅନୂରୂପ ଭାବେ ଆସନ୍ତା ନଭେମ୍ବର ମାସରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଦାନ ଓ ସ୍ୱତନ୍ତ୍ର ପ୍ରକଳ୍ପଗୁଡ଼ିକ ବାବଦରେ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲକୁ ସଂପୂର୍ଣ୍ଣ ରୂପେ ଅନ୍‌ଲାଇନ କରାଯିବ।

ସମ୍ବନ୍ଧିତ ଖବର