କୁଲୁସିଂରେ ଧସିଲା ପାହାଡ଼

ରାୟଗଡା : ଲଗାଣ ବର୍ଷା ପ୍ରଭାବରେ ଗୁଣପୁର ବ୍ଲକର କୁଲୁସିଂ ଗ୍ରାମରେ ଧସିଛି ପାହାଡ଼। ଶହେ ଫୁଟ ଓସାରର ପାହାଡ ଧସିବା ଯୋଗୁ ୫ ହଜାର କାଜୁ ଗଛ ସମେତ ୨୦ ଏକର ଧାନ ଜମିରେ ଫସଲ ନଷ୍ଟ ହୋଇଛି। ଏହି ଘଟଣାରୁ ଅଳ୍ପକେ ୩ ପରିବାର ବର୍ତି ଯାଇଥିବା ବେଳେ ଘର ଭିତରେ ପାହାଡର କାଦୁଅ ମାଟି ପଶିବା ଯୋଗୁ ୨୨ ଜଣଙ୍କୁ କୁଲୁସିଂ କମ୍ୟୁନିଟ ହଲରେ ଥଇଥାନ କରାଯାଇଛି। ରାସ୍ତା ଉପରେ ବଡ ବଡ ପଥର ପଡି ରହିଥିବାରୁ ଆବଡା-ଶଗଡା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଗତକାଲି ସକାଳ ୮ଟାରୁ ଗୁଣପୁର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିଲା। ଦିନ ତମାମ ବର୍ଷା ଲାଗି ରହିବା କାରଣରୁ ଆବଡା ପଞ୍ଚାୟତର କୁଲୁସିଂ ଗ୍ରାମକୁ ଲାଗିଥିବା ଗୁଙ୍ଗୁ ପାହାଡ଼ ଧସିଥିଲା। ମଧ୍ୟାହ୍ନ ସାଢ଼େ ୧ଟାରେ ଏହି ଅଘଟଣ ଘଟିଥିଲା। ପ୍ରବଳ ଶବ୍ଦ କରି ଶହେ ଫୁଟ ଓସାର‌ ପାହାଡରୁ ମାଟି, କାଦୁଅ ଧସି ଆସିବା ପରେ ପାହାଡ ତଳେ ବାସ କରୁଥିବା କାନସିମଜେଲଡା ସାହି ଲୋକେ ଭୟଭୀତ ହୋଇ ଦୌଡି ପଳାଇଥିଲେ। କ୍ଷଣକ ମଧ୍ୟରେ ୩ ଘର ଭିତରେ ମାଟି, କାଦୁଅ ଭର୍ତି ହେବା ସହ ପାହାଡ ଉପରେ ଓ ତଳେ ଲାଗିଥିବା ୫ ହଜାରରୁ ଉର୍ଧ୍ବ ଗଛ ନଷ୍ଟ ହୋଇଥିଲା। ଏଥିସହିତ ୨୦ ଏକର ଜମିରେ ମାଟି, କାଦୁଅ ପାଣି ମାଡ଼ିଯିବା ଯୋଗୁ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର