ଗୁମ୍ମା ପଥର କୁଆଁରି ଧସିବା ଘଟଣା : ଫେଲ୍‌ ମାରୁଛି ଉଦ୍ଧାର କାର୍ଯ୍ୟ, ଚାରି ଦିନ ହେଲା ଚାପି ହୋଇଛନ୍ତି ୨ ଜେସିବି ଅପରେଟର

ଜୟପୁର : କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଗୁମ୍ମା ପଥର କୁଆଁରି ଧସିବା ପରେ ଦୁଇ ଜେସିବି ଅପରେଟରଙ୍କୁ ଆଜି ସଂଧ୍ୟା ସୁଦ୍ଧା ଉଦ୍ଧାର କରାଯାଇ ପାରିନଥିଲା। ଦୁଇ ଦିନ ଧରି ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର ପାଇଁ ଉଦ୍ୟମ କରି ବିଫଳ ହେବାପରେ ଗତକାଲି ସକାଳେ କଟକ ମୁଣ୍ଡୁଳିରୁ ୪୦ଜଣିଆ ଏନଡିଆରଏଫ ଟିମ୍‌ ପହଞ୍ଚିଥିଲା। ତେବେ ଆବଶ୍ୟକ ଉପକରଣ ନଥିବାରୁ ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାର ଅଗ୍ରଗତି ହୋଇପାରି ନଥିଲା। ଏହାପରେ ଗତକାଲି ରାତିରେ ଉଚ୍ଚ କ୍ଷମତା ସଂପନ୍ନ ଲାଇଟ ଲଗାଇବା ପରେ ଏନଡିଆରଏଫ ଟିମ୍‌ ଉଦ୍ଧାର ପାଇଁ ପ୍ରୟାସ କରିଥିଲା। ନିଜେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଉପସ୍ଥିତ ରହି ତଦାରଖ କରିଥିଲେ। କେଇ ଖଣ୍ଡ ପଥରକୁ ହଟାଇବା ପରେ ବଡ଼ବଡ଼ ପଥରକୁ ହଟାଇବା ସମ୍ଭବପର ହୋଇପାରି ନଥିଲା। ଯାହାଫଳରେ ଗତକାଲି ରାତିରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥିଲା।

ଘଟଣାର ପ୍ରାୟ ୪ଦିନ ପରେ ବି ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ନଥିବାରୁ ଚାପରେ ରହିଛି ପ୍ରଶାସନ। ତେଣୁ ଆଜି ଏନଡିଆରଏଫ ଟିମ୍‌ ଓ ସ୍ୱତନ୍ତ୍ର ବୈଷୟିକ ଟିମ୍‌ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଲାଇଫ ଡିଟେକ୍ସନ ମେସିନ ଓ ଭିକ୍ଟିମ ଡିଟେକ୍ସନ କ୍ୟାମେରା ବ୍ୟବହାର କରାଯାଇଥିଲା। ବଡ ବଡ ପଥର ଖଣ୍ଡ ମଝିରେ ଲାଇଫ ଡେଟେକ୍ସନ ମେସିନ ଲଗାଇ ପ୍ରାୟ ୩ଥର ପରୀକ୍ଷା କରାଯାଇଥିଲା। ତଥାପି ଚାପି ହୋଇ ରହିଥିବା ଅପରେଟରଙ୍କ କୌଣସି ସନ୍ଧାନ ମିଳିନଥିଲା। ଏହାପରେ ଭିକ୍ଟିମ୍‌ ଡିଟେକ୍ସନ କ୍ୟାମେରାକୁ ୧୦ଫୁଟ ଭିତରକୁ ପଠାଇ ଯାଞ୍ଚ କରିଥିଲେ। ବାରମ୍ବାର ଏହି ପରୀକ୍ଷା କରାଯାଇଥିଲେ ମଧ୍ୟ ବିଶେଷ ସଫଳତା ମିଳିନାହିଁ। ଅନ୍ୟ କେତେକ ଉପକରଣ ଆସି ଏଠାରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ସୂଚନା ମିଳିଛି। ସେହିପରି ନଗରନାର ଏନଏମଡିସିର ବରିଷ୍ଠ ଅଧିକାରୀ କ୍ରେନ ନେଇ ପହଞ୍ଚିବା ପରେ ପଥର ହଟାଇବା ପାଇଁ ପ୍ରୟାସ ହୋଇଥିଲା। ତେବେ କ୍ରେନ ଅପରେଟର ପୂର୍ବରୁ ଏମିତି ଉଦ୍ଧାର କାମ କେବେ କରି ନଥିବାରୁ ସହାସ ଜୁଟାଇ ପାରି ନଥିଲେ। ବାଧ୍ୟ ହୋଇ ପ୍ରଶାସନ ଜୟପୁରରୁ ଅନ୍ୟ ଏକ କ୍ରେନ ଡକାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ପଥର କୁଆଁରିରେ ଖନନ କାର୍ଯ୍ୟକୁ ବନ୍ଦ କରିବାକୁ ରାଜସ୍ୱ ନୀରିକ୍ଷକ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛି।

ଦୁଇ ଅପରେଟରଙ୍କ ଅବସ୍ଥା ସଂପର୍କରେ କୌଣସି ସ୍ପଷ୍ଟ ତଥ୍ୟ ମିଳୁ ନଥିବାରୁ ପରିବାର ଲୋକ ଆଶଙ୍କାରେ ରହିଛନ୍ତି। ପ୍ରଶାସନର ଉଦ୍ଧାର କାର୍ଯ୍ୟରେ ବିଶେଷ ସଫଳତା ମିଳୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଛନ୍ତି। ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି। ଏହାସହ ସେନାର ସହାୟତା ନେଇ ଉଦ୍ଧାର କାର୍ଯ୍ୟ କରିବାକୁ ସଞ୍ଜୟ ଦାସଙ୍କ ପରିବାର ସଦସ୍ୟ ଓ ଘନଶ୍ୟାମ ଗୁରୁଙ୍କ ବୃଦ୍ଧ ବାପା ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି।

ଏନେଇ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ଘଟଣାକୁ ତିନି ଦିନ ବିତିଥିବାରୁ ଅପରେଟରଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ଲାଗିପଡିଛନ୍ତି। ଯଦିଓ ଏବେ ଯାଏଁ କୌଣସି ସଫଳତା ମିଳି ନାହିଁ। ସେଥିପାଇଁ ଏକ ବୈଷୟିକ ଟିମ୍‌ ଗଠନ କରାଯାଇ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରାଯାଇ ଅପରେଟରଙ୍କୁ ଉଦ୍ଧାର କରାଯିବାକୁ ଚେଷ୍ଟା ଜାର ରହିଛି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇ ସରିଲାଣି। ତଦନ୍ତ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପଥର କୁଆଁରିରେ ଦୁର୍ଘଟଣା : ମହିଳା ଶ୍ରମିକଙ୍କ ସମେତ ୨ମୃତ

ଗୁଣପୁର : କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଗୁମ୍ମା ପଥର କୁଆଁରି ଧସିବା ଘଟଣାର ୪ଦିନ ପରେ ବି ଚାପି ହୋଇ ରହିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ନାହିଁ। ଅନ୍ୟପଟେ ଆଜି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତ ଲବା ଗ୍ରାମ ନିକଟସ୍ଥ ଏକ ପଥର କୁଆଁରିରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ପଥର ବୋଝେଇ ଟିପ୍ପର ଧକ୍କାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜୀବନ ବିକଳରେ ଗାଡିରୁ ଡେଇଁ ଟିପ୍ପର ହେଲପରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ଜଣ ଶ୍ରମିକ ଗୁରୁତର ହୋଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ପୁଟାସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତ ଲବା ଗ୍ରାମ ନିକଟସ୍ଥ ଏକ ପଥର କୁଆଁରିକୁ ଆନ୍ଧ୍ରର ବିଆରସି ନାମକ ଏକ କଂପାନି ଲିଜ୍‌ରେ ନେଇ ପଥର ଫୁଟାଇ ଚାଲାଣ କରୁଛି। ପ୍ରତିଦିନ ଭଳି ଆଜି ଅପରାହ୍ନ ପ୍ରାୟ ସାଢେ ୫ଟାରେ ପାହାଡ ଉପରେ ଏକ ଟିପ୍ପରରେ ପଥର ବୋଝେଇ ହେଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ତଳକୁ ଖସି ଯାଇ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଟ୍ରାକ୍ଟରରେ ମେଟାଲ ଲୋଡ୍‌ କରୁଥିବା ମହିଳା ଶ୍ରମିକ ଗେଲ ଶବରଙ୍କ ଉପରେ ଟିପ୍ପର ମାଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଗାଡିଟି ତଳକୁ ଖସୁଥିବା ଦେଖି ଟିପ୍ପରର ହେଲପର ଦାଉଦ ଶବର ଗାଡିରୁ ଡେଇଁବା ସମୟରେ ପଥର ବାଜି ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର