ପଥର କୁଆଁରି ଧସିବା ଘଟଣା : ସେନା ସହାୟତାରେ ହେବ କଣ୍ଟ୍ରୋଲ ବ୍ଲାଷ୍ଟିଂ, ବୋରିପୁଟରେ ଲାଗୁହେଲା ୧୪୪ ଧାରା

ଗୁମ୍ମା ପାହାଡକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା, ଦିଲ୍ଲୀରୁ ଆସୁଛନ୍ତି ବାୟୁସେନାର ସ୍ୱତନ୍ତ୍ର ଟିମ୍‌

ଜୟପୁର : ପଥର କୁଆଁରି ଧସିବା ଘଟଣାରେ ୭ ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଛି। ମାତ୍ର, କୌଣସି ଆଶାନୁରୂପ ସଫଳତା ମିଳିନି। ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଶେଷ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ପ୍ରଶାସନ, ପୁଲିସ, ସ୍ଥଳ ସେନା ଓ ବାୟୁ ସେନାର ଉପସ୍ଥିତିରେ ଏଠାରେ କଣ୍ଟ୍ରୋଲ ବ୍ଲାଷ୍ଟିଂ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବୋରିପୁଟରେ ୧୪୪ଧାରା ଜାରି କରାଯାଇଛି। ଏଥିସହିତ, ଗୁମ୍ମା ପାହାଡରୁ ପଥର ଖସୁଥିବାରୁ ଏହାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି।

ସୂଚନା ଅନୁସାରେ, ସେନାର ବୈଷୟିକ ଟିମ୍‌ ଦେଇଥିବା ମତାମତକୁ ଗ୍ରହଣ କରି ପ୍ରଶାସନ ଆଲୋଚନା ଆରମ୍ଭ କରିଥିଲା । ରାଣୀଗଡ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସପି କେ.ଭି ସିଂହ, ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ପିଏ ଆଇଟିିଡିଏ ବିକାଶ ଚନ୍ଦ୍ର ବାଇନ, ଅତିରିକ୍ତ ବିଡିଓ ମନୋଜ ନାୟକଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଚାପି ହୋଇ ରହିଥିବା ଦୁଇ ଜେସିବି ଅପରେଟର୍‌ଙ୍କ ପରିବାର ସହ ଆଲୋଚନା କରି ବିସ୍ଫୋରଣ ପାଇଁ ମନୁମତି ମଗାଯାଇଥିଲା। ପରିବାର ଲୋକ ସହମତ ହେବାରୁ ଆବଶ୍ୟକ ସରଞ୍ଜାମ, କେମିକାଲ ଓ ଲୁହା ସାମଗ୍ରୀ କିଣାହୋଇ ଘଟଣାସ୍ଥଳକୁ ନିଆଯାଇଛି।

ଆସନ୍ତାକାଲି ପ୍ରଶାସନ, ପୁଲିସ, ସ୍ଥଳ ସେନା ଓ ବାୟୁ ସେନାର ଉପସ୍ଥିତିରେ ଏଠାରେ କଣ୍ଟ୍ରୋଲ ବ୍ଲାଷ୍ଟିଂ କରାଯିବ। ତେଣୁ ଆଜି ଠାରୁ ପଥର ଗୁଡିକ କଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେହିପରି ପ୍ରଶାସନ ପକ୍ଷରୁ ବୋରିପୁଟରେ ୧୪୪ଧାରା ଜାରି କରାଯାଇଛି। ଏହାସହ ଗୁମ୍ମା ପାହାଡରୁ ପଥର ଖସୁଥିବାରୁ ଏହାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଡାକବାଜି ଯନ୍ତ୍ରରେ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ରହିଥିବା ଜନବସତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ରାଜ୍ୟ ସରକାରଙ୍କ ଅନୁରୋଧ ଯୋଗୁଁ ଆସନ୍ତାକାଲି ଦିଲ୍ଲୀରୁ ବାୟୁସେନାର ୧୦ ଜଣିଆ ଟିମ୍‌ ଆସୁଥିବା ସୂଚନା ମିଳିଛି। ଏହି ଟିମ୍‌ ଦିଲ୍ଲୀରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କୋରାପୁଟ ବିଏସ୍‌ଏଫ୍‌ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ବୋରିପୁଟ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଗତ ଦୁଇଦିନ ହେବ କୋରାପୁଟରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେଇଛି। ଦିନରେ ଅସହ୍ୟ ଖରା ସାଙ୍ଗକୁ ସନ୍ଧ୍ୟା ହେଉ ହେଉ ବର୍ଷା ହେଉଛି। ତେଣୁ ଉଦ୍ଧାର କାର୍ଯ୍ୟକୁ କିଭଳି ସୁଚାରୁ ରୂପେ କରାଯିବ ତାହା ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ୍‌ ପାଲଟିଛି।

ସମ୍ବନ୍ଧିତ ଖବର