ନୂଆବର୍ଷରେ ମା’ ହେବ ହିମାଳୟ ଭାଲୁ ‘କୁଲୁ’

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୬ ‘କ’ ଖୁଆଡ଼ ମଧ୍ୟରେ ରହିଥିବା କଳା ରଙ୍ଗର ହିମାଳୟ ଭାଲୁ କୁଲୁ(୧୧) ଏବେ ଗର୍ଭବତୀ। ସେ ଆଗାମୀ ନୂଆ ବର୍ଷର ଜାନୁଆରି ମାସ ମଧ୍ୟରେ ସେ ତା’ର ଚତୁର୍ଥ ଗର୍ଭର ଶାବକ ପ୍ରସବ କରି ମା’ ହେବ ବୋଲି ଜଣାପଡ଼ିଛି। ତେଣୁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଗତ ମେ’ ମାସରେ ପୁରୁଷ ଭାଲୁ ଶମ୍ଭୁ ସହ ମିଳନରୁ ଗର୍ଭଧାରଣ କରିଥିଲା କୁଲୁ। ହିମାଳୟ ଭାଲୁମାନେ ସାଧାରଣତଃ ଗର୍ଭଧାରଣର ୨୧୦ ଦିନ ମଧ୍ୟରେ ପିଲା ପ୍ରସବ କରିଥାଆନ୍ତି। ସେହି ହିସାବ ଅନୁସାରେ ଆଗାମୀ ଜାନୁଆରି ମାସ ମଧ୍ୟରେ କୁଲୁ ନିଜ ପିଲାକୁ ଜନ୍ମ ଦେବ ବୋଲି ଚିକିତ୍ସା ବିଭାଗ ଅନୁମାନ କରିଛି। ପୂର୍ବରୁ କୁଲୁ ୩ ଥର ଗର୍ଭଧାରଣ ପରେ ପିଲା ପ୍ରସବ କରିଥିଲା। ମାତ୍ର ପ୍ରଥମ ଗର୍ଭର ଶାବକ ନଷ୍ଟ ହୋଇଯାଇଥିଲା। ଦ୍ୱିତୀୟ ଗର୍ଭରୁ ଜନ୍ମ ହୋଇଥିବା ଶାବକକୁ ଜୀବଜନ୍ତୁ ପ୍ରତିବଦଳରେ ଅନ୍ୟ ଚିଡ଼ିଆଖାନାକୁ ପଠାଯାଇଥିବାବେଳେ ତୃତୀୟ ଗର୍ଭରୁ ଜାତ ଶାବକର ମୃତ୍ୟୁ ହୋଇ ଯାଇଥିଲା। ତେବେ ଏଥର ୪ର୍ଥ ଗର୍ଭର ସୁରକ୍ଷିତ ପ୍ରସବ ହେବା ନେଇ ଆଶା ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ବର୍ତମାନ ନନ୍ଦନକାନନରେ କୁଲୁକୁ ମିଶାଇ ମୋଟ ୫ଟି ହିମାଳୟ କଳା ଭାଲୁ ଅଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ପୁରୁଷ ବୁଲୁ ଓ ଶମ୍ଭୁ ଏବଂ ୩ ମାଈ ଟୁଲୁ, କୁଲୁ ଓ କରିସ୍ମ୍ମା ଅଛନ୍ତି।

ସମ୍ବନ୍ଧିତ ଖବର