ହିଞ୍ଜିଳି କଂଗ୍ରେସରେ ଅଡୁଆ : ଶମ୍ଭୁଙ୍କୁ ଟିକେଟ୍, ରାମକୃଷ୍ଣଙ୍କ ନାମାଙ୍କନ

ଶେରଗଡ଼ : ହିଞ୍ଜିଳିକାଟୁ କଂଗ୍ରେସ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ରାମକୃଷ୍ଣ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରି ଟ‌ିକେଟ୍ ଦେଇଥିବା ବେଳେ ଏହି ନିଷ୍ପତ୍ତି ବଦଳି ଯାଇଛି। ରାମକୃଷ୍ଣଙ୍କ ବଦଳରେ ପିସିସି ସଭ୍ୟ ଶମ୍ଭୁ ପାଣିଗ୍ରାହୀଙ୍କୁ ଦଳ ଟିକେଟ୍ ଦେବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତାକାଲି ଶମ୍ଭୁ ନାମାଙ୍କନ ଦାଖଲ କରୁଥିବା ବେଳେ ରାମକୃଷ୍ଣ ଆଜି କଂଗ୍ରେସ ପ୍ରାର୍ଥୀ ଭାବେ ଛତ୍ରପୁର ଠାରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଫଳରେ ଏଭଳି ପରିସ୍ଥିତିରେ ଦଳ କିଭଳି ଆଭିମୁଖ୍ୟ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଛି।

ହିଞ୍ଜିଳିକାଟୁ ଆସନ ପାଇଁ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଥମ ପର୍ଯ୍ୟାୟ ତାଲିକାରେ ରାମକୃ୍ଷ୍ଣା ପଣ୍ଡାଙ୍କ ନାମ ଘୋଷଣା କରାଯାଇଥିଲା। ତେବେ ଏହାକୁ ନେଇ ପ୍ରମୁଖ ଆଶାୟୀ ଶମ୍ଭୁ ଓ ତାଙ୍କ ସମର୍ଥକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପରେ ଶମ୍ଭୁ ଭୁବନେଶ୍ବର ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ଟିକେଟ୍ ପ୍ରଦାନ ନିଷ୍ପତ୍ତିର ପୁନର୍ବିଚାର କରିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ତାଙ୍କ କଥା ବିଚାର କରା ନ ଗଲେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ବୋଲି ଶମ୍ଭୁ ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଥିଲେ। ଫଳରେ ପୁଣି ପିସିସି ପକ୍ଷରୁ ନିଷ୍ପତ୍ତି ବଦଳାଯାଇ ପ୍ରାର୍ଥୀ ପରିବର୍ତ୍ତନ କରି ଶମ୍ଭୁଙ୍କୁ ଟିକେଟ୍ ଦିଆଯାଇଛି। ଟିକେଟ୍ ନେଇ ସେ ଭୁବନେଶ୍ବରରୁ ଆସିବା ପରେ ଆସନ୍ତାକାଲି ଶମ୍ଭୁ ହିଞ୍ଜିଳିରୁ ସମର୍ଥକଙ୍କ ଗହଣରେ ବାହାରି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି। ସେପଟେ ରାମକୃଷ୍ଣ ଆଜି କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। କିନ୍ତୁ ଦଳର ଟିକେଟ୍ ଦାଖଲ କରି ନାହାନ୍ତି।

ସୂଚନା ଥାଉକି, ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ କଂଗ୍ରେସ ୩ ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଗଲା ୧୫ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସ ‌ସଂଗଠନର ମଙ୍ଗ ଧରିଥିବା ଶମ୍ଭୁ ଗତ ଦୁଇ ନିର୍ବାଚନରେ ଟିକେଟ୍ ପାଇବାରୁ ବଞ୍ଚିତ ହୋଇ ଥିଲେ। ତେବେ ଚଳିତବର୍ଷ ଟିକେଟ୍ ପାଇବା ପରେ କଂଗ୍ରେସ ଶାସକ ଦଳ ବିଜେଡିକୁ କିଭଳି ଟକ୍କର ଦେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର