କାହାର ଜୀବନ ନେଇ ଅନ୍ୟକୁ ସୁବିଧା ଦିଅନି : ବିଧାନସଭା ପ୍ରଶ୍ନକାଳରେ ଉଠିଲା ହୀରାକୁଦ ବିସ୍ଥାପିତଙ୍କ କଥା

ଉଦ୍‌ବେଗ ପ୍ରକାଶ କଲେ ଶାସକ ବିଧାୟକ, ବୈଠକ ଡାକିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଲେ

ଭୁବନେଶ୍ବର : ହୀରାକୁଦ ବନ୍ଧ ପାଇଁ ହଜାର ହଜାର ଲୋକ ବିସ୍ଥାପିତ ହେ‌େଲ। ବହୁ ଗାଁ ଜଳମଗ୍ନ ହୋଇଗଲା। ଏବେ ହୀରାକୁଦ ଯୋଗୁ ଲକ୍ଷାଧିକ ହେକ୍ଟର ଜମି ଜଳସେଚିତ ହେଉଛି। କିନ୍ତୁ ୬୦ ବର୍ଷରୁ ଅଧିକ ହୋଇଗଲା, ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ସମାଧାନ ହେଲାନି। ଏପରିକି ଆର୍ଥିକ ସହାୟତା ବି ଏ ଯ‌ାଏ ମିଳିନି। ସେମାନଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ ଓ ସେମାନଙ୍କ ଦୁଃଖ ସବୁ ସୀମା ଟପିଗଲାଣି।

ଆଜି ପ୍ରଶ୍ନକାଳରେ ଶାସକ ଦଳର ବିଧାୟକମାନେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ। ସିଧା ଜଣାଇଥିଲେ, କାହାର ଜୀବନ ନେଇ ଅନ୍ୟକୁ ସୁବିଧା ଦେବା କଦାପି ନ୍ୟାୟ ନୁହେଁ। ତେଣୁ ବିସ୍ଥାପିତଙ୍କ ମୌଳିକ ସମସ୍ୟା ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରାଯାଉ।

କିଶୋର ମହାନ୍ତିଙ୍କ ମୂଳ ପ୍ରଶ୍ନ ଥିଲା, ସମ୍ବଲପୁରରେ ହୀରାକୁଦ ବନ୍ଧ ନିର୍ମାଣ ହେବା ସମୟରେ ଯେଉଁ ରାଜସ୍ବ ଗ୍ରାମଗୁଡ଼ିକ ଜଳମଗ୍ନ ହୋଇଥିଲା ଓ ସେମାନଙ୍କୁ ଉପର ଅଞ୍ଚଳକୁ ନେଇ ବସତି ସ୍ଥାପନ କରାଗଲା, ସେହି ଅଞ୍ଚଳକୁ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ କରିବେ କି ?

ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥି‌େଲ, ହୀରାକୁଦ ବନ୍ଧ ନିର୍ମାଣ ସମୟରେ ସମ୍ବଲପୁର ଜିଲ୍ଲାର ୪୬ଟି ରାଜସ୍ବ ଗ୍ରାମ ସମ୍ପୂର୍ଣ୍ଣ ଓ ଆଂଶିକ ଜଳମଗ୍ନ ହୋଇଥିଲା। ସେହି ଗ୍ରାମର ବାସିନ୍ଦାଙ୍କୁ ଉପର ଅଞ୍ଚଳକୁ ନିଆଯାଇ ୩୨ଟି ଗ୍ରାମରେ ଥଇଥାନ କରାଯାଇଥିଲା ଓ ସମସ୍ତ ୩୨ଟି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇସାରିଛି। ସେହିପରି ହୀରାକୁଦ ବନ୍ଧ ନିର୍ମାଣ ବେଳେ ଝାରସୁଗୁଡ଼ା ଜିଲ୍ଲାର ୧୯ଟି ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ସେହି ଗ୍ରାମର ବାସିନ୍ଦାଙ୍କୁ ଉପର ଅଞ୍ଚଳକୁ ନିଆଯାଇ ୧୯ଟି ବସତିରେ ଥଇଥାନ କରାଯାଇଥିଲେ ମଧ୍ୟ କେବଳ ଝାରସୁଗୁଡ଼ା ତହସିଲ୍‌ର ‘ଭୁରଶୁଣ୍ଡ’କୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛି। ଅବଶିଷ୍ଟ ୧୮ଟି ପଡ଼ା ଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛନ୍ତି।

କିନ୍ତୁ ଏହି ତଥ୍ୟକୁ ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମହାନ୍ତି ଗ୍ରହଣ କରି ନ ଥିଲେ। ସେ କହିଥିଲେ, ବରଗଡ଼ ଜିଲ୍ଲାର କିଛି ଗାଁ ମଧ୍ୟ ଜଳମଗ୍ନ ହୋଇଥିଲା। ସେ ସମ୍ପର୍କରେ ମନ୍ତ୍ରୀଙ୍କ ଉତ୍ତରରେ ତଥ୍ୟ ନାହିଁ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ବାସଚ୍ୟୁତଙ୍କୁ କ୍ଷତିପୂରଣ ଦେବା ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା। କିନ୍ତୁ ସେହି ତାଲିକା ଓ ବର୍ତ୍ତମାନର ତାଲିକାର ତଥ୍ୟରେ ତାଳମେଳ ରହୁ ନାହିଁ। ଝାରସୁଗୁଡ଼ାର ୧୮ଟି ଗ୍ରାମ ନୁହେଁ, ଲଖନପୁର ବ୍ଲକ୍‌ର ଆଉ ୧୫ଟି ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଥିଲା। ବିସ୍ଥାପିତଙ୍କୁ ନ୍ୟାୟ ଦେବାରେ ବହୁ ବିଳମ୍ବ ହୋଇଗଲାଣି। ମନ୍ତ୍ରୀ ଏ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ।

ଦେବେଶ ଆଚାର୍ଯ୍ୟ ଏ ନେଇ ଉଦ୍‌ବେଗ ପ୍ରକାଶ କରି କହିଥିଲେ, ବରଗଡ଼ ଜିଲ୍ଲାର ବହୁ ଗ୍ରାମର ଲୋକ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଥିଲେ ବି ଏ ଯାଏ ସହାୟତା ମିଳିନି। ସେମାନେ ଅସୁବିଧା ଭୋଗୁଛନ୍ତି। ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ।

ରୋହିତ ପୂଜାରୀ କହିଲେ, ହୀରାକୁଦ ଓ ରେଙ୍ଗାଲି ପ୍ରକଳ୍ପର ବହୁ ବିସ୍ଥାପିତଙ୍କୁ ମୋ ନିର୍ବାଚନମଣ୍ଡଳୀରେ ଥଇଥାନ କରାଯାଇଛି। କିନ୍ତୁ ସରକାରଙ୍କୁ ସେମାନଙ୍କୁ ଭୁଲି ଯାଇଛନ୍ତି। ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ହେଉଛନ୍ତି। କିଶୋର ନାୟକ ମଧ୍ୟ ରେଙ୍ଗାଲି ବିସ୍ଥାପିତଙ୍କ ସମସ୍ୟା ଉଠାଇ ସେମାନେ ଥଇଥାନ ହୋଇଥିବା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ଦାବି କରିଥିଲେ।

ବିଧାୟକମାନଙ୍କ ଉଦ୍‌ବେଗ ଦେଖି ବାଚସ୍ପତି କହିଥିଲେ, ହୀରାକୁଦ ଚାରି ପଟେ ବୁଡ଼ି ଅଞ୍ଚଳରେ ବହୁ ଦିନ ଧରି ସମସ୍ୟା ରହିଛି। ରାଜସ୍ବ ମନ୍ତ୍ରୀ ସ୍ଥାନୀୟ ଜନ ପ୍ରତିନିଧି ଓ ଅଧିକାରୀମାନଙ୍କୁ ଡାକି ଆଲୋଚନା କରନ୍ତୁ। ସେମାନଙ୍କ ବସତିକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ସହ ମୌଳିକ ସୁବିଧା ଦେବାର ବ୍ୟବସ୍ଥା କରନ୍ତୁ। ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଥିଲେ, ଏହା ନିଶ୍ଚିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ସଭ୍ୟମାନଙ୍କ ଉଦ୍‌ବେଗ ସହ ମୁଁ ଏକମତ। ଖୁବ୍ ଶୀଘ୍ର ବୈଠକ ଡାକି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯିବ।

ସମ୍ବନ୍ଧିତ ଖବର