ହୀରାକୁଦ ବିସ୍ଥାପିତଙ୍କୁ ୧୦ ଡିସିମିଲ ଜମି ପ୍ରସ୍ତାବ: ୧୬୯୦ ଆବେଦନ, ୭୩୭ ଖାରଜ

ସମ୍ବଲପୁର : ଅମଲାତନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଝୁଲୁଛି ହୀରାକୁଦ ନଦୀବନ୍ଧ ବିସ୍ଥାପିତଙ୍କୁ ଘରବାଡ଼ି ଜମି ପଟ୍ଟା ପ୍ରଦାନ ନିର୍ଦେଶ। ସେହିପରି ଫଇସଲା ଅପେକ୍ଷାରେ ରହିଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫୩୦ ପୁନର୍ବାସ ଏବଂ ଥଇଥାନ ମାମଲା। ସମ୍ବଲପୁର ଠାରେ ଆରଡିସି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପୁନର୍ବାସ ଏବଂ ଥଇଥାନର ସ୍ୱତନ୍ତ୍ର ସଚିବ ଅଶୋକ ନାଏକ ଉଭୟ ମାମଲାର ସମୀକ୍ଷା କରିଛନ୍ତି।

ବୈଠକରେ ପ୍ରଥମେ ସମ୍ବଲପୁର ଏସ୍‌ଡିଏମ୍‌ଙ୍କ ସହିତ ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଜମି ପଟ୍ଟା ମାମଲା ନେଇ ଆଲୋଚନା ହୋଇଥିଲା। କ୍ଷତିପୂରଣ ପାଇନଥିବା ହୀରାକୁଦ ବିସ୍ଥାପିତଙ୍କୁ ୧୦ ଡିସମିଲ ଲେଖାଏଁ ଜମି ପ୍ରଦାନ ପାଇଁ ନ୍ୟାୟାଳୟ ପକ୍ଷରୁ ନିର୍ଦେଶ ହୋଇଛି। ଅଗଷ୍ଟ ୩୦ ତାରିଖ ସୁଦ୍ଧା ଏଥିପାଇଁ ୧୬୯୦ ଜଣ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିମଧ୍ୟରୁ ୭୩୭ ଜଣଙ୍କ ଆବେଦନ ନାକଚ ହୋଇ ଯାଇଛି। ୫୦୮ ଜଣଙ୍କୁ ପଟ୍ଟା ପ୍ରଦାନ ପାଇଁ ତହସିଲଦାର ଯୋଗ୍ୟ ବିବେଚିତ କରିଛନ୍ତି। ୪୪୫ ଆବେଦନକୁ ଯାଞ୍ଚ ପାଇଁ ରଖାଯାଇଛି। ତେବେ, ଏଯାଏ କେବଳ ମାତ୍ର ୨୯ ଜଣଙ୍କ ଆବେଦନର କେସ ରେକର୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଛି। ଏଠାରେ ଯାଞ୍ଚ ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ଯିବ। ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ତେବେ, ବିସ୍ଥାପିତଙ୍କୁ ସେମାନଙ୍କର ହକ୍‌ ପ୍ରଦାନରେ ପୂର୍ବରୁ ହୋଇଆସୁଥିବା ବିଳମ୍ବିତ ପ୍ରକ୍ରିୟା ଆଉ କେତେ ବିଳମ୍ବ ହେବ ସେ ନେଇ ଅନିଶ୍ଚିତତା ରହିଛି।

ବୈଠକରେ ସଚିବ ଶ୍ରୀ ନାଏକ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ନେଇ ଥଇଥାନ ଏବଂ ରିଭିଜନ ମାମଲାର ଫଇସଲା କରି ତଥ୍ୟ ପ୍ରଦାନ ପାଇଁ ସମସ୍ତ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର