ହୀରାକୁଦରୁ ବନ୍ୟାଜଳ ନିଷ୍କାସନ : ଅଢ଼େଇ ଘଣ୍ଟା ଖୋଲିଲା ଗୋଟିଏ ଗେଟ୍‌, ଗୁରୁବାର ପୁଣି ଖୋଲିବ

ସମ୍ବଲପୁର : ପୂର୍ବ ଘୋଷଣା ଅନୁସାରେ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ବୁଧବାର ଦିନ ୧୧ଟା ୨୬ ମିନିଟରେ ଜଳଭଣ୍ଡାରର ହୀରାକୁଦ ପାର୍ଶ୍ବ ବାମ ସ୍ପିଲ୍‌ୱେ’ରେ ଥିବା ୭ନଂ ସ୍ଲୁଇସ୍‌ ଗେଟ୍‌ ଖୋଲି ଜଳଭଣ୍ଡାରରୁ ମହାନଦୀକୁ ପାଣି ଛଡ଼ା ଯାଇଥିଲା। ଏହି ଗୋଟିଏ ଗେଟ୍‌ ଦେଇ ୧୫, ୫୫୦ କ୍ୟୁସେକ୍‌ ପାଣି ନିଷ୍କାସିତ ହୋଇଥିଲା। ଗେଟ୍‌ ଖୋଲିବା ବେଳେ ଜଳଭଣ୍ଡାରର ଜଳସ୍ତର ୬୧୮.୬୯ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୭୦ ହଜାର କ୍ୟୁସେକ୍‌ରୁ ଅଧିକ ଜଳ ପ୍ରବେଶ କରୁଥିଲା। ତେବେ ମହାନଦୀର ତଳ ମୁଣ୍ଡରେ ବନ୍ୟା ସ୍ଥିତି ଥିବାରୁ ଓ ଖଇରମାଳରୁ ମୁଣ୍ଡଳି ମଧ୍ୟରେ ପ୍ରଚୁର ପରିମାଣରେ ଜଳ ପ୍ରବାହିତ ହେଉଥିବାରୁ ମାତ୍ର ଅଢ଼େଇ ଘଣ୍ଟା ଖୋଲା ରଖି ଦିନ ୨ଟାରେ ଗେଟ୍‌କୁ ବନ୍ଦ କରି ଦିଆ ଯାଇଥିଲା। ଏହି ନିଷ୍କାସିତ ବନ୍ୟା ଜଳ ୪୮ ଘଣ୍ଟା ମଧ୍ୟରେ ମୁଣ୍ଡୁଳିରେ ପହଞ୍ଚିବ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୫୮.୫୪ ମିଲିମିଟର ବର୍ଷା ହେବା ଚିନ୍ତାର କାରଣ ପାଲଟିଛି। ଜଳଭଣ୍ଡାରକୁ ଜଳପ୍ରବେଶ କ୍ରମାଗତ ବୃଦ୍ଧି ପାଇ ବୁଧବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୧୯.୯୩ ଫୁଟ୍‌ରେ ପହଞ୍ଚି ସାରିଛି। ଏଥିସହ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ତେଣୁ ଗୁରୁବାର ପୁଣିଥରେ ହୀରାକୁଦର ଗେଟ୍‌ ଖୋଲାଯିବ ବୋଲି ଜଳସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉପକୂଳ ଅଞ୍ଚଳର ସ୍ଥିତିକୁ ଦେଖି କେତେ ଗେଟ୍‌ ଖୋଲାଯିବ ‌େସ ନେଇ ନିଷ୍ପତ୍ତି ନିଆଯିବ।

ବୁଧବାର ହୀରାକୁଦ ଗେଟ୍‌ ଖୋଲିବା ପୂର୍ବରୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ସୁଇଚ୍‌ ଟିପି ଗେଟ୍‌ ଖୋଲିଥିଲେ। ଏହି ସମୟରେ ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଇଂ ସୁନୀଲ ନାୟକ, ଅଧୀକ୍ଷଣ ଯନ୍ତ୍ରୀ ଇଂ ନିରାକାର ବିଶି ଓ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର