ହୀରାକୁଦ ଜଳସ୍ତର ୬୩୦ ଫୁଟ୍, ଗୋଟିଏ ଗେଟ୍ ଖୋଲା

ସମ୍ବଲପୁର : ଗତ ମାସ ୨୦ ତାରିଖରେ ୬୩୦ ଫୁଟ୍‌ର ସର୍ବୋଚ୍ଚ ସ୍ତର ଛୁଇଁ ଥିଲା ହୀରାକୁଦ ଜଳଭଣ୍ଡାର। ତେବେ ମାସର ଶେଷ ଭାଗରେ ପ୍ରବଳ ବର୍ଷା ଓ ଉପର ମୁଣ୍ଡରୁ ଜଳ ପ୍ରବାହ ଯୋଗୁଁ ୨୨ଟି ପର୍ଯ୍ୟନ୍ତ ଗେଟ୍ ଖୋଲି ପାଣି ଛଡ଼ା ଯାଇଥିଲା। ଫଳରେ ଜଳସ୍ତର ଖସି ୬୨୯.୩ ଫୁଟ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଗେଟ୍ ଗୁଡ଼ିକ ବନ୍ଦ ହେବା ଯୋଗୁଁ ହୀରାକୁଦ ଜଳଭଣ୍ଡାର ପୁଣିଥରେ ଭରି ଯାଇଛି। ରବିବାର ଦିନ ୨ଟାରୁ ୩ଟା ମଧ୍ୟରେ ହୀରାକୁଦ ପୁଣିଥରେ ଉଛୁଳି ୬୩୦ ଫୁଟ୍ ଛୁଇଁ ଥିଲା। ରାତି ୯ଟା ପର୍ଯ୍ୟନ୍ତ ଜଳସ୍ତର ସେହି ୬୩୦ ଫୁଟ୍ ଥିଲାବେଳେ ଗୋଟିଏ ମାତ୍ର ଗେଟ୍ ଖୋଲାଥିଲା। ଯେତିକି ପାଣି ଆସୁଥିଲା ସେତିକି ପରିମାଣର ନିଷ୍କାସିତ ହେଉଥିଲା। ରାତି ୯ଟା ବେଳେ ଜଳ ପ୍ରବେଶ ୩୫,୧୭୨ କ୍ୟୁସେକ୍‌ ଓ ବିଭିନ୍ନ ମାର୍ଗ ଦେଇ ନିଷ୍କାସନ ସେହି ୩୫,୧୭୨ କ୍ୟୁସେକ୍‌ ଥିଲା। ତନ୍ମଧ୍ୟରୁ ବାମ ସ୍ପିଲ୍‌ୱେ’ର ଗୋଟିଏ ଗେଟ୍ ଦେଇ ୧୬,୪୪୦ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୪,୭୭୬ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩,୭୮୬ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

ସମ୍ବନ୍ଧିତ ଖବର