ଖସୁଛି ହୀରାକୁଦ ଜଳସ୍ତର : ବିଦ୍ୟୁତ୍‌ ଉତ୍ପାଦନ କମିବ

ସମ୍ବଲପୁର : ବର୍ଷା ଅଭାବ ସହିତ ମହାନଦୀରେ କମ୍‌ ଜଳ ପ୍ରବାହ ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଜଳସ୍ତର ଏବେ ୬୦୦ ଫୁଟ୍‌ ତଳକୁ ଖସି ଆସିଛି। ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୫୯୯.୭୩ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ୯ଟା ସୁଦ୍ଧା) ହାରାହାରି ୧୧,୯୭୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୬,୩୧୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳସେଚନ ଓ ଶିଳ୍ପକୁ ଯୋଗାଣକୁ ଦୃଷ୍ଟିରେ ରଖି ସରକାର ବିଦ୍ୟୁତ ଉତ୍ପାଦନ ଉପରେ କଟକଣା ଲଗାଇଥିବା ଜଣାପଡ଼ିଛି। ତେବେ ଆଉ ୧୦ ଦିନ ବର୍ଷା ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଜଳ ସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ମହାନଦୀରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇବା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଉପରେ ଏହାର ବେଶ୍‌ ପ୍ରଭାବ ପଡ଼ିଛି। ଅଣମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ସାଂଘାତିକ ଭାବେ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ହୀରାକୁଦ ଜଳ ପରିଚାଳନାରେ ବେଶ୍‌ ସତର୍କତା ଅବଳମ୍ବନ କରୁଛନ୍ତି। ପ୍ରତ୍ୟେକ ବର୍ଷ ୧୫/୧୬ ଜୁନ୍‌ରେ ହୀରାକୁଦ ଜଳଭଣ୍ଡାରରୁ କେନାଲଗୁଡ଼ିକରେ ପାଣି ଛଡ଼ାଯାଇଥାଏ। ଚାଷୀମାନେ କେନାଲ ପାଣିରେ ଖରିଫ ଫସଲ ପାଇଁ ତଳି ପକାଇଥାନ୍ତି। ଏଥର କିନ୍ତୁ ହୀରାକୁଦ ଜଳଭଣ୍ଡାରରୁ ବାହାରି ଥିବା ଦୁଇ ପ୍ରମୁଖ କେନାଲ ବରଗଡ଼ ଓ ଶାସନରେ ବିଳମ୍ବରେ ପାଣି ଛଡ଼ାଯାଇଥିଲା। ଶାସନ କେନାଲରେ ତ ୧୦ ଦିନ ବିଳମ୍ବରେ ପାଣି ଛଡ଼ାଯାଇଥିଲା। ନିର୍ଧାରିତ ତାରିଖରେ ପାଣି ଛଡ଼ାଯାଇଥିଲେ ଜଳସ୍ତର ଏବେ ଆହୁରି କମ୍‌ ରହିଥାନ୍ତା। ଜଳସ୍ତର ୫୯୫ ତଳକୁ ଖସିଲେ ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଣ ଉପରେ କଟକଣା ରହିଛି। ଜଳସ୍ତର ୫୯୨ ଫୁଟ୍‌ ତଳକୁ ଖସିଲେ ଜଳସେଚନ ବାଧାପ୍ରାପ୍ତ ହୋଇଛି। ଏସବୁ ଦୃଷ୍ଟିରେ ରଖି ସରକାର ବିଦ୍ୟୁତ ଉତ୍ପାଦନ ଉପରେ ଅଂକୁଶ ଲଗାଇଛନ୍ତିି। ବୁର୍ଲା ହୀରାକୁଦ ପାଓ୍ଵାର ହାଉସରୁ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୭୫.୫ ମେଗାଓ୍ଵାଟ ଏବଂ ଚିପିଲିମା ପାଓ୍ଵାର ହାଉସରୁ ୭୨ ମେଗାଓ୍ଵାଟ ରହିଛି। ପୂର୍ଣ୍ଣ କ୍ଷମତା ମୁତାବକ ବିଦ୍ୟୁତ ଉତ୍ପାଦନ କରାଗଲେ ପାଓ୍ଵାର ଚାନେଲରେ ବି ପୂରା କ୍ଷମତାରେ ପାଣି ଛାଡ଼ିବାକୁ ପଡ଼ିବ। ଆଉ ଜଳସ୍ତର ଖୁବ୍‌ କମ୍‌ ସମୟ ମଧ୍ୟରେ ବହୁତ ହ୍ରାସ ପାଇବ। ତେଣୁ ବୁର୍ଲା ପାଓ୍ଵାର ହାଉସ୍‌ରୁ ପ୍ରାୟ ୩୫ରୁ ୬୧ ମେଗାଓ୍ଵାଟ ଏବଂ ଚିପିଲିମାରୁ ୩୦ରୁ ୪୧ ମେଗାଓ୍ଵାଟ ମଧ୍ୟରେ ବିଦ୍ୟୁତ ଉତ୍ପାଦନ କରାଯାଉଥିବା କୁହାଯାଉଛି। କଲମ୍‌ା ବ୍ୟାରେଜର ଗେଟ୍‌ ଖୋଲାଯିବା ପରେ ବି ହୀରାକୁଦକୁ ବହୁତ କମ୍‌ ପରିମାଣର ଜଳପ୍ରବେଶ ହେଉଛି। ହୀରାକୁଦ ଜଳଭଣ୍ଡାରରେ ମିଶିଥିବା ଇବ୍‌ ନଦୀ ତଥା ସ୍ଥାନୀୟ ନଈନାଳରେ ମଧ୍ୟ କମ୍‌ ପାଣି ଆସୁଛିୀ

ସମ୍ବନ୍ଧିତ ଖବର