ହାଇକୋର୍ଟରେ ହାଇଟେକ୍ ଗ୍ରୁପ୍ ମୁଖ୍ୟଙ୍କ ଅପିଲ, ୧୬ରେ ପରବର୍ତ୍ତୀ ଶୁଣାଣି

କଟକ: ହାଇ‌େଟକ୍ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ୫ଟି ଅପିଲର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ ହେବ। ଆଜି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ତପୀଠରେ ସମସ୍ତ ଅପିଲର ଏକତ୍ର ଶୁଣାଣି ହୋଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟ ତିରୁପତିଙ୍କ ଜାମିନ ଆବେଦନ ଉପରେ ୨୦୧୪ରେ ଶୁଣାଣି କରି ୬୩.୫୫କୋଟି ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଟଙ୍କା କଟକ ସ୍ବତନ୍ତ୍ର ଅଦାଲତକୁ ଟ୍ରାନ୍ସଫର ହୋଇ ଆସିଥିଲା। ଏହି ଟଙ୍କା ହାଇଟେକ୍ ଗ୍ରୁପ୍ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ସରକାର ଅଦାଲତରେ ଆବେଦନ କରିଥିଲେ। ଏହି ଟଙ୍କା ଜମା କରିବା ବେଳେ ରହିଥିବା ଆଇନ ପରବର୍ତ୍ତୀ ସମୟରେ ‌ସଂଶୋଧନ କରାଯାଇଥିଲା। କମ୍ପାଉଣ୍ଡିଂ ପ୍ରସଂଗରେ ଆଇନରେ ସଂଶୋଧନ ଅଣାଯାଇଥିଲା। ଟଙ୍କା ଜମା କରିବା ବେଳେ ପ୍ରଚଳିତ ଆଇନ ଅନୁସାରେ ପଦକ୍ଷେପ ନିଆ ନ ଯାଇ ସଂଶୋଧିତ ଆଇନ ଅନୁସରଣ କରାଯିବା ଗ୍ରହଣୀୟ ନୁହେଁ ଦର୍ଶାଇ ଆବେଦନକାରୀ ଅପିଲ ଦାୟର କରିଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ସତ୍ୟପାଠ ମାଧ୍ୟମରେ ପୂର୍ବରୁ ଜବାବ ଦାଖଲ କରି ସାରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର