ରାଜ୍ୟରେ ଏଚ୍‌ଆଇଭି/ଏଡ୍‌ସ କାର୍ଯ୍ୟକ୍ରମ : ୧୪ ବିଭାଗକୁ ନୋଡାଲ ଅଧିକାରୀ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର : ରାଜ୍ୟରେ ଏଚ୍‌ଆଇଭି/ଏଡ୍‌ସ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ପାଇଁ ୧୪ ବିଭାଗକୁ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ଚିଠି ଲେଖିବ ସ୍ୱାସ୍ଥ୍ୟ ବିଭାଗ। ଯାହାଫଳରେ ବିଭିନ୍ନ ବିଭାଗ, ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସର ସହାୟତାରେ ଏଚ୍‌ଆଇଭି କାର୍ଯ୍ୟକ୍ରମକୁ ରାଜ୍ୟବ୍ୟାପୀ ସହାୟତା ମିଳିପାରିବ।

ସୂଚନା ଅନୁଯାୟୀ, ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ନାକୋ ପକ୍ଷରୁ କିଛିଦିନ ତଳେ ୧୬ଟି ମନ୍ତ୍ରଣାଳୟ ସହିତ ଏ ସଂପର୍କରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଭିତ୍ତିରେ ଓସାକ୍ସ ପକ୍ଷରୁ ରାଜ୍ୟର ବିଭିନ୍ନ ବିଭାଗକୁ ନିଜ ନିଜର ନୋଡାଲ ଅଧିକାରୀ ପ୍ରଦାନ କରିବାକୁ କୁହାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, କ୍ରୀଡ଼ା ଓ ଯୁବ ବ୍ୟାପାର ଓ ପଞ୍ଚାୟତିରାଜ ଭଳି ବିଭାଗର ଏଚ୍‌ଆଇଭି ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ରହିଛି। ନିକଟରେ ଉଚ୍ଚଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ନିଜ ନିଜର ନୋଡାଲ ଅଧିକାରୀଙ୍କୁ ଚୟନ କରିଛନ୍ତି। ଅନ୍ୟ ବିଭାଗମାନେ ଆସନ୍ତା ୭ଦିନ ମଧ୍ୟରେ ନିଜ ନିଜର ନୋଡାଲ ଅଧିକାରୀଙ୍କୁ ଚୟନ କରି ଓସାକ୍ସ ସହିତ ଯୋଗାଯୋଗ କରିବା ପାଇଁ କୁହାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ନୋଡାଲ ଅଧିକାରୀଙ୍କ ଚୟନ ପରେ ଓସାକ୍ସର ପ୍ରକଳ୍ପ ନିର୍ଦେଶକଙ୍କ ଅଧକ୍ଷତାରେ ଏକ ସବ୍‌ କମିଟି ଗଠନ କରାଯିବ। ଏହି କମିଟିରେ ଓସାକ୍ସର ଯୁଗ୍ମ ନିର୍ଦେଶକ(ଆଇଇସି) ଓ ଉପ ନିର୍ଦେଶକ(ମେନଷ୍ଟ୍ରିମ୍‌)ଙ୍କ ସମେତ ସମସ୍ତ ବିଭାଗର ନୋଡାଲ ଅଧିକାରୀମାନେ ରହିବେ। ଆଗାମୀ ଦିନରେ ରାଜ୍ୟରେ ଏଚ୍‌ଆଇଭି/ଏଡ୍‌ସ ନିୟନ୍ତ୍ରଣ ନେଇ କେଉଁ କେଉଁ କାର୍ଯ୍ୟକ୍ରମ କରାଯିବ ତାହା ନେଇ ଯୋଜନା ପ୍ରସ୍ତୁତ କରାଯିବ।

ଆଜି ଏ ସଂକ୍ରାନ୍ତରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଓସାକ୍ସର ପ୍ରକଳ୍ପ ନିର୍ଦେଶକ ଡା.ସଂଜୟ ପଟ୍ଟନାୟକ, ଯୁଗ୍ମ ନିର୍ଦେଶକ(ଆଇଇସି) ସୋନିଆ ବେହେରା, କେ.ପ୍ରଧାନ, ଏସ୍‌.କେ ସ୍ୱାଇଁ, ଅମିତାଭ ଦାସ, ଏସ୍‌.ସୁନ୍ଦରାୟ, ଏସ୍‌.ଏସ୍‌ କାନୁନ୍‌ଗୋ, ଏ.କେ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର