ପ୍ରତିଶୋଧ ନେଲେ କଙ୍ଗାରୁ: ତଥାପି ଓଡ଼ିଶା ବିଜେତା

ରାଉରକେଲା : ସ୍ଥାନୀୟ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ରବିବାର ଆୟୋଜିତ ଓଡ଼ିଶା ଓ ନ୍ୟୁ ସାଉଥ୍‌ ୱେଲ୍‌ସ (ଏନ୍‌ଏସ୍‌ଡବ୍ଲ୍ୟୁ) ଟେଷ୍ଟ୍‌ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌କୁ ଏନ୍‌ଏସ୍‌ଡବ୍ଲ୍ୟୁ ୩-୨ ଗୋଲ୍‌ରେ ଜିତି ନେଇଛି। ତେବେ ସିରିଜ୍‌ ବିଜେତା ଆଖ୍ୟା ପାଇଁ ଅନୁଷ୍ଠିତ ନିର୍ଣ୍ଣାୟକ ପେନାଲ୍‌ଟି ସୁଟ୍‌ଆଉଟ୍‌କୁ ୫-୪ରେ ଗୋଲ୍‌ରେ ଜିତି ଓଡ଼ିଶା ଦଳ ଶୃଙ୍ଖଳା ସମ୍ମାନ ହାତେଇ ନେଇଛି। ଉଭୟ ମ୍ୟାଚ୍‌‌ରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିବା ଓଡ଼ିଶା ଦଳର ଅଧିନାୟକ ରୋଶନ ମିଞ୍ଜ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଓ ଏନ୍‌ଏସ୍‌ଡବ୍ଲ୍ୟୁ ଅଧିନାୟକ କର୍ଟ‌୍ ଲବେଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ୍‌ ଖେଳାଳି ବିବେଚିତ ହୋଇଛନ୍ତି।

ମ୍ୟାଚ୍‌ର ପ୍ରଥମ ମିନିଟ୍‌ରୁ ଦୁଇ ଦଳ ଆକ୍ରାମଣାତ୍ମକ ଶୈଳୀ ଆପଣେଇଥିଲେ ମଧ୍ୟ ପ୍ରଥମ କ୍ବାର୍ଟର୍‌ ଗୋଲ୍‌ ଶୂନ୍ୟ ରହିଥିଲା। ୨୮ତମ ମିନିଟ୍‌ରେ ପ୍ରସନ୍ନ ତିର୍କୀ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ରେ ଦଳକୁ ଆଗୁଆ କରିଥିିଲେ। ମାତ୍ର ଦ୍ବିତୀୟାର୍ଦ୍ଧରେ ଏନ୍‌ଏସ୍‌ଡବ୍ଲ୍ୟୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଥୋମାସ୍‌ ମିଓଟୋଙ୍କ ଲାଗ୍‌ ଲାଗ୍‌ ଦୁଇଟି ଗୋଲ୍‌ (୩୫ ଓ ୪୪ ମିନିଟ୍‌ରେ) ବଳରେ ଦଳ ୨-୧ରେ ଆଗୁଆ ରହିଥିଲା। ମାତ୍ର ଅଧିନାୟକ ରୋଶନ ମିଞ୍ଜଙ୍କ ଗୋଲ୍‌ (୫୩ ମିନିଟ୍‌) ବଳରେ ଓଡ଼ିଶା ଗୋଲ୍‌ ସ୍କୋର୍‌ ବରାବର କରିଥିଲା। କିନ୍ତୁ ବିପକ୍ଷ ଅଧିନାୟକ କର୍ଟ‌୍ ଲବେଟ୍‌ (୫୬ ମିନିଟ୍)ଙ୍କ ଚମତ୍କାର ଗୋଲ୍‌ ପୁଣି ଏନ୍‌ଏସ୍‌ଡବ୍ଲ୍ୟୁକୁ ୩-୨ରେ ଆଗୁଆ କରିଥିଲା। ଓଡ଼ିଶା ଆଉ କୌଣସି ଗୋଲ୍‌ ଦେବାରେ ସକ୍ଷମ ହୋଇ ନ ପାରି ୨-୩ ଗୋଲ୍‌ରେ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର