୮ରୁ ହୋମ୍‌ଗାର୍ଡଙ୍କ କାର୍ଯ୍ୟବନ୍ଦ

ଭୁବନେଶ୍ୱର : ୪ ଦଫା ଦାବି ନେଇ ଓଡ଼ିଶା ଗୃହରକ୍ଷୀ କଲ୍ୟାଣ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ଆସନ୍ତା ୮ ତାରିଖରୁ ସଂଘର ୧୭ ହଜାର ୭୬୫ ଜଣ ସଦସ୍ୟ ତଥା ଗୃହରକ୍ଷୀ କାର୍ଯ୍ୟବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବାରମ୍ବାର ସରକାରଙ୍କୁ ଦାବି ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ସଂଘ କାର୍ଯ୍ୟବନ୍ଦ କରିବା ପାଇଁ ବାଧ୍ୟ ହେଉଥିବା ସମ୍ପାଦକ ହୃଦାନନ୍ଦ ସାହୁ ଓ ସଭାପତି ଶରତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେମାନେ କହିଛନ୍ତି, ଦୈନିକ ଭତ୍ତା ୩ ଶହରୁ ୭ଶହକୁ ବୃଦ୍ଧି, ସର୍ବନିମ୍ନ ମାସିକ ଦରମା, ଅବସରକାଳୀନ ୫ ଲକ୍ଷ ଭତ୍ତା, ମାସରେ ୪ ଦିନ ଛୁଟି ପ୍ରଦାନ କରିବା ପାଇଁ ସଂଘ ଦୀର୍ଘ ଦିନ ହେବ ଦାବି କରିଆସୁଛି। କିନ୍ତୁ ସରକାର ଶୁଣୁ ନାହାନ୍ତି। ଟ୍ରାଫିକ୍‌, ରାତ୍ରଗସ୍ତ, ଦିବାଗସ୍ତ, ରେସିଡେନ୍‌ସ ଡ୍ୟୁଟି, ଭିଭିଆଇପି ଡ୍ୟୁଟି, ଆନ୍ତର୍ଜାତିକ ଖେଳ ଡ୍ୟୁଟି, ଡ୍ରାଇଭର, କମ୍ପ୍ୟୁଟର, ଅଗ୍ନିସେବା ପ୍ରଭୃତି କାମରେ ଏମାନେ ସଫଳତାର ସହ ଦାୟିତ୍ୱ ସଂପାଦନ କରୁଥିଲେ ମଧ୍ୟ ଦାବି ପୂରଣ କରିବା ପାଇଁ ସରକାର ଧ୍ୟାନ ନେଉନାହାନ୍ତି। ଏଣୁ ଆସନ୍ତା ୭ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୮ ତାରିଖରୁ କାର୍ଯ୍ୟବନ୍ଦ କରାଯିବ। ଫଳରେ ଉପରୋକ୍ତ ସମସ୍ତ କାର୍ଯ୍ୟ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର